‘ବ୍ୟାକ୍ଟ୍ରିଆନ ସୁନା’ ହାସଲ ପାଇଁ ତାଲିବାନର ଜୋରଦାର ଉଦ୍ୟମ । ଜାଣନ୍ତୁ ଏଥିରେ ରହିଛି କଣ?

173

କନକ ବ୍ୟୁରୋ :‘ବ୍ୟାକ୍ଟ୍ରିଆନ୍‌ ସୁନା’ ଭାବେ ସୁପରିଚିତ ‘ବ୍ୟାକ୍ଟ୍ରିଆନ୍‌ ଗୁପ୍ତଧନ’କୁ ଠାବ କରିବା ଲାଗି ଉଦ୍ୟମ ଆରମ୍ଭ କରାଯାଇଥିବା କଥା ତାଲିବାନ୍‌ ସୂଚନା ଓ ସଂସ୍କୃତି ମନ୍ତ୍ରାଳୟ କହିଛି। ଆଫଗାନିସ୍ତାନର ଜୱଜ୍‌ଜାନ୍‌ ପ୍ରଦେଶ ଅନ୍ତର୍ଗତ ଉତ୍ତରାଞ୍ଚଳ କେନ୍ଦ୍ର ଶେର୍‌ବର୍ଗାନ୍‌ ଜିଲ୍ଲାର ତେଲା ତାପା ଅଞ୍ଚଳରୁ ୪ ଦଶନ୍ଧି ତଳେ ଉକ୍ତ ଗୁପ୍ତଧନ ଆବିଷ୍କୃତ ହୋଇଥିଲା। ମଧ୍ୟବର୍ତ୍ତୀକାଳୀନ ତାଲିବାନ୍ କ୍ୟାବିନେଟନ୍‌ର ‘ସାଂସ୍କୃତିକ ମିସନ୍‌’ର ଉପମୁଖ୍ୟ ଅହମ୍ମଦୁଲ୍ଲା ୱାସିକ୍ କହିଛନ୍ତି, ‘ବ୍ୟାକ୍ଟ୍ରିଆନ୍‌ ଗୁପ୍ତଧନ’କୁ ଖୋଜି ଯାଞ୍ଚ କରିବା କାର୍ଯ୍ୟ ସମ୍ପୃକ୍ତ ବିଭାଗଗୁଡ଼ିକ ଉପରେ ନ୍ୟସ୍ତ କରାଯାଇଛି।

 ‘ଟୋଲୋ ନିଉଜ୍‌’ ରିପୋର୍ଟ ଅନୁସାରେ, ସେ ଆହୁରି ମଧ୍ୟ କହିଛନ୍ତି, ଗୁପ୍ତଧନ ବିଷୟରେ ଅନୁସନ୍ଧାନ ଚାଲିଛି। ବାସ୍ତବ କଥା ଜାଣିବା ପାଇଁ ଆମେ ତଥ୍ୟାବଳି ଯୋଗାଡ଼ କରିବୁ। ସେସବୁ ବାହାରକୁ ନିଆଯାଇଥିଲେ, ଆଫଗାନିସ୍ତାନ ପ୍ରତି ବିଶ୍ବାସଘାତକତା କରାଯାଇଛି ବୋଲି ଧରିନେବାକୁ ପଡ଼ିବ। ‘ବ୍ୟାକ୍ଟ୍ରିଆନ୍‌ ଗୁପ୍ତଧନ’ ଏବଂ ଅନ୍ୟାନ୍ୟ ପ୍ରାଚୀନ ସାମଗ୍ରୀ ଯଦି ଦେଶ ବାହାରକୁ ଚାଲିଯାଇଥିବ ତେବେ, ଆଫଗାନିସ୍ତାନ ସରକାର ସାଙ୍ଘାତିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ।

 ‘ନ୍ୟାସ୍‌ନାଲ୍‌ ଜିଓଗ୍ରାଫି’ କହିବା ଅନୁସାରେ, ‘ବ୍ୟାକ୍ଟ୍ରିଆନ୍‌ ଗୁପ୍ତଧନ’ରେ ରହିଛି ସମଗ୍ର ପ୍ରାଚୀନ ବିଶ୍ବରୁ ସଂଗୃହୀତ ଅସଂଖ୍ୟ ସୁବର୍ଣ୍ଣ ଖଣ୍ଡ। ଖ୍ରୀଷ୍ଟପୂର୍ବ ପ୍ରଥମ ଶତକରୁ ଖ୍ରୀଷ୍ଟାବ୍ଦ ପ୍ରଥମ ଶତକ ମଧ୍ୟରେ ସ୍ଥାପିତ ହୋଇଥିବା ୬ଟି କବର ମଧ୍ୟରୁ ଉକ୍ତ ସୁନାର ସନ୍ଧାନ ମିଳିଥିଲା। ସେଗୁଡ଼ିକ ମଧ୍ୟରେ ରହିଛି, ସୁନାମୁଦି, ଅସର୍ପି, ଅସ୍ତ୍ର, କାନଫୁଲ, ବାହୁବନ୍ଧ, ଗଳାହାର ଏବଂ ମୁକୁଟ ସମେତ ୨୦,୦୦୦ରୁ ଅଧିକ ସାମଗ୍ରୀ। ଉପରୋକ୍ତ ସାମଗ୍ରୀଗୁଡ଼ିକରେ ଖଞ୍ଜାଯାଇଛି ଫିରୋଦା, ଭୀଷ୍ମମଣି ଓ ନୀଳମଣି ପରି ଦାମିକା ରତ୍ନ ପଥର। ବିଶେଷଜ୍ଞମାନଙ୍କର ମନେହୁଏ ଏହି କବର ସବୁ ଧନିକ ଏସୀୟ ଯାଯାବର ପ୍ରଜାତିର ୫ଜଣ ନାରୀ ଓ ଜଣେ ପୁରୁଷଙ୍କର। ଫେବ୍ରୁଆରି ୨୦୨୧ରେ ଏହି ‘ବ୍ୟାକ୍ଟ୍ରିଆନ୍‌ ଗୁପ୍ତଧନ’କୁ ପୂର୍ବତନ ସରକାର ‘ରାଷ୍ଟ୍ରପତି ଭବନ’କୁ ଆଣି ସର୍ବସାଧାରଣଙ୍କ ଦର୍ଶନ ପାଇଁ ରଖିଥିଲେ ।