ଆମେରିକାକୁ ତାଲିବାନର ଧମକ: ସୁଧୁରିଯାଅ ନଚେତ୍ ପରିଣାମ ଭୟାବହ

673

କନକ ବ୍ୟୁରୋ: ଆମେରିକାକୁ ତାଲିବାନର ଧମକ । ହକ୍କାନି ଗ୍ରୁପ ଉପରେ ଆମେରିକା ଦେଇଥିବା ମନ୍ତବ୍ୟ ଓ ରହିତାଦେଶ ଉପରେ ତାତିଲା ତାଲିବାନ୍ ।ତାଲିବାନର ନବଗଠିତ କାମଚଳା ସରକାରରେ ସିରାଜୁଦ୍ଦିନ୍ ହକ୍କାନିଙ୍କର ସମ୍ପୃକ୍ତି ନେଇ ପୂର୍ବରୁ ଆମେରିକା ଧମକ ଦେଉଥିବାବେଳେ ଏବେ ଆମେରିକାକୁ ଡରାଉଛି ତାଲିବାନ୍ । ହକ୍କାନି ଗ୍ରୁପ ଉପରୁ ଲଗାଇଥିବା ରହିତାଦେଶକୁ ତୁରନ୍ତ ହଟାଅ ନୋଚେତ୍ ପରିଣତି ଭୟାବହ ହେବ ବୋଲି ତାଲିବାନ୍ ଚେତାବନୀ ଦେଇଛି ।ତାଲିବାନ୍ ସରକାରରେ ଯେଉଁମାନଙ୍କୁ ସ୍ଥାନ ଦିଆଯାଇଛି ସେମାନଙ୍କ ଟ୍ରାକ୍ ରେକର୍ଡ ଆଦୌ ବିଶ୍ୱାସଯୋଗ୍ୟ ନୁହେଁ । ଏହାଦ୍ୱାରା ସାରା ବିଶ୍ୱ ପ୍ରତି ବିପଦ ରହିଛି । ଆମେରିକାର ଏପରି ବୟାନରେ ଚିହିଁକି ଉଠିଛି ତାଲିବାନ୍ । ହକ୍କାନି ଙ୍କ ପରିବାର ମଧ୍ୟ ଇସ୍ଲାମିକ୍ ଏମିରାତର ଅଂଶ । ତେଣୁ ଦୋହା ଏଗ୍ରିମେଣ୍ଟ ଅନୁସାରେ ହକ୍କାନିଙ୍କ ଉପରେ ଲାଗିଥିବା ପ୍ରତିବନ୍ଧକକୁ ହଟାଇବାକୁ ଚେତାବନୀ ଦେଇଛି । ତାଲିବାନ୍ ସରକାର ଉପରେ ମନ୍ତବ୍ୟ ଦେଇ ଆମେରିକା ସରକାର ଦୋହା ଏଗ୍ରିମେଂଟର ଉଲଂଘନ କରିଛନ୍ତି । ତେଣୁ ଆମେରିକା ଯଥାଶିଘ୍ର ତାଲିବାନ ପ୍ରତି ନିଜ ଦୃଷ୍ଟିଭଙ୍ଗିକୁ ବଦଳାଉ । ଏହାସହ ତାଲିବାନ୍ ସରକାର କିମ୍ବା ହକ୍କାନିଙ୍କ ଉପରେ କୌଣସି ଆପତ୍ତିଜନକ ମନ୍ତବ୍ୟକୁ ବରଦାସ୍ତ କରାଯିବ ନାହିଁ ବୋଲି ତାଲିବାନ ପକ୍ଷରୁ ଧମକ ଦିଆଯାଇଛି ।