ଆଫଗାନିସ୍ତାନରେ ବଢୁଛି ତାଲିବାନ ଆତଙ୍କ । ଆମେରିକା ସେନା ପ୍ରତ୍ୟାହର ପରେ ଦେଶରେ ଲାଗି ରହିଛି ଗୃହଯୁଦ୍ଧ ।

195

କନକ ବ୍ୟୁରୋ: ୨୦ ବର୍ଷର ଲମ୍ବା ଯୁଦ୍ଧରୁ ଓହରି ଯାଇଛି ଆମେରିକା । ଆଫଗାନିସ୍ତାନରୁ ନିଜ ସେନା ଫେରାଇ ନେଇଛି ଯୁକ୍ତରାଷ୍ଟ୍ର ଆମେରିକା । ଏହାରି ସହିତ ଆଫଗାନିସ୍ତାନରେ ପୁଣିଥରେ ତାଲିବାନ ରାଜ ଆରମ୍ଭ ହୋଇ ଯାଇଛି । ଦେଶର ପାଖାପାଖି ୮୫ ପ୍ରତିଶତ ଭାଗ ତାଲିବାନ ଅକ୍ତିଆର କରିଥିବା ଦାବି କରିଛି । ଦେଶରେ ଗୃହଯୁଦ୍ଧ ଏବେ ଚରମ ସ୍ଥିତିରେ ପହଁଚିଥିବା ଦେଖିବାକୁ ମିଳିଛି ।

ଆଫଗାନିସ୍ତାନରୁ ଆମେରିକା ସେନା ଓହରି ଯିବା ପରେ ଏବେ ଦେଶର ପରିସ୍ଥିତି ବେଶ ସମ୍ବେଦନଶୀଳ ହୋଇ ପଡିଛି । ଆଫଗାନ ସରକାର ଓ ତାଲିବାନ ମଧ୍ୟରେ ଗୃହଯୁଦ୍ଧ ବେଶ ଉକ୍ରଟ ରୂପ ନେବାରେ ଲାଗିଛି । ଗତ ଏକ ସପ୍ତାହ ଧରି ଆଫଗାନ୍ ସେନା ଓ ତାଲିବାନିଙ୍କ ମଧ୍ୟରେ ଅନେକ ଥର ହିଂସା, ଝଡପ ଦେଖିବାକୁ ମିଳିଛି । ପରିସ୍ଥିତି ଏମିତି ବି ହୋଇଛି ଯେ, ଅନେକ ସ୍ଥାନରେ ଆଫଗାନିସ୍ତାନ ସେନା ନିଜ ହତିଆର ଛାଡି ଜୀବନ ବଂଚାଇବାକୁ ଅନ୍ୟ ଦେଶକୁ ପଳାଉଛନ୍ତି ।

– ଆଫଗାନିସ୍ତାନରେ ମୋଟ ୩୯୮ଟି ଜିଲ୍ଲା
– ୧୯୩ ଜିଲ୍ଲାରେ ତାଲିବାନର କବ୍ଚା
– ୧୩୦ଟି ଜିଲ୍ଲାରେ ଆଫଗାନ ସେନା ଓ ତାଲିବାନ ମଧ୍ୟରେ ସଂଘର୍ଷ
– ୭୫ଟି ଜିଲ୍ଲାରେ ଆଫଗାନ ସରକାରଙ୍କ ନିୟନ୍ତ୍ରଣ

୨୦ ବର୍ଷ ଧରି ଆଫଗାନିସ୍ତାନରେ ଆମେରିକା ସେନା ତାଲିବାନ ବିରୋଧରେ ଲଢିବା ପରେ ଏବେ ଏଥିରୁ ଓହରି ଯାଇଛି । ଆଉ ତାଲିବାନ ପୁଣିଥରେ ନିଜ ଶକ୍ତି ବଢାଇବାରେ ଲାଗିଛି । ଯାହା ଭାରତ ପାଇଁ ଆଦୌ ଭଲ ସୂଚନା ନୁହେଁ ।

ଆଫଗାନିସ୍ତାନ ଉଭୟ ଭାରତ ଓ ପାକିସ୍ତାନର ପଡୋଶୀ ଦେଶ । ଏଥିପାଇଁ ଆଫଗାନିସ୍ତାନର ମହତ୍ୱ ଭାରତ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ । ତାଲିବାନ ଆତଙ୍କବାଦୀଙ୍କ ଠାରୁ ଭାରତ ପାଇଁ ସଂକଟ ଥିବାରୁ ଭାରତ ଆଫଗାନିସ୍ତାନରେ ତାଲିବାନ ବିରୋଧରେ ଅନେକ ନିବେଶ ମଧ୍ୟ କରିଛି । ହେଲେ ଏବେ ତାଲିବାନର ଶକ୍ତି ଆହୁରି ବଢିବାରେ ଲାଗିଛି । ତାଲିବାନରେ ଲାଗି ରହିଥିବା ଗୃହଯୁଦ୍ଧ ଦିନକୁ ଦିନ ଉକ୍ରଟ ରୂପ ନେବାରେ ଲାଗିଛି । ଅନେକ ସ୍ଥାନରେ ବିସ୍ଫୋରଣ ଏବଂ ସେନା ଓ ତାଲିବାନି ମଧ୍ୟରେ ଯୁଦ୍ଧ ଦେଖିବାକୁ ମିଳୁଛି । ସବୁଠାରୁ ଭୟଙ୍କର ସ୍ଥିତି କାଜକିସ୍ତାନ ସୀମାରେ ଦେଖିବାକୁ ମିଳିଛି । ତାଲିବାନ ସହ ଲଢେଇରେ ହାର ମାନି ଅନେକ ଆଫଗାନି ସେନା ନିଜ ଜୀବନ ବଂଚାଇବା ପାଇଁ କାଜକିସ୍ତାନରେ ଶରଣ ନେଉଥିବା ଚିତ୍ର ବି ଦେଖିବାକୁ ମିଳୁଛି ।

ତାଲିବାନ ବିରୋଧି ଲଢେଇରେ ଆମେରିକା ଗତ ୨୦ ବର୍ଷରେ ଆଫଗାନିସ୍ତାନରେ ୧୫୦ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରି ସାରିଛି । ହେଲେ ଏବେ ସେ ହଠାତ ପାକିସ୍ତାନରୁ ନିଜ ସେନା ଫେରାଇ ନେଇଛି । ତାଲିବାନ ସହ ଏକ ଶାନ୍ତି ପତ୍ର ସ୍ୱାକ୍ଷର କରି ଆମେରିକା ଆଫଗାନିସ୍ତାନରୁ ଓହରି ଯାଇଛି ଆମେରିକୀୟ ସେନା ଫେରିବା ପରେ ଆଫଗାନିସ୍ତାନରେ ତାଲିବାନର ଦବଦବା ଆହୁରି ବଢିଯାଇଛି । ତାଲିବାନ ଦାବି କରିଛି ଯେ ସେ, ଖୁବଶୀଘ୍ର ରାଜଧାନୀ କାବୁଲରେ ପହଁଚିଯିବ ଏବଂ ପୁରା ଆଫଗାନିସ୍ତାନ ଉପରେ ତାଲିବାନର ରାଜୁତି ଚାଲିବ ।