କାଶ୍ମୀର ପ୍ରସଙ୍ଗରେ ଭାରତକୁ ତାଲିବାନର ଝଟକା । କହିଲା, ଅତ୍ୟାଚାରର ଶିକାର ହେଉଥିବା ମୁସଲିମଙ୍କ ପାଇଁ ସ୍ୱର ଉଠାଇବୁ ।

399

କନକ ବ୍ୟୁରୋ : ପାକିସ୍ତାନର ପ୍ରଂଶସା, କାଶ୍ମୀରକୁ ନେଇ ଚେତାବନୀ । ତାଲିବାନର ଏଭଳି ଦୋମୁହାଁ ନୀତି ଦେଖିବାକୁ ମିଳିଛି । ତାଲିବାନ ସରକାରର ମନ୍ତ୍ରୀ ତଥା ମୁଖପାତ୍ର ଜବିହୁଲ୍ଲାହ ମୁଜାହିଦ କାଶ୍ମୀରକୁ ନେଇ ବଡ ବୟାନ ରଖିଛନ୍ତି । ଅନ୍ତର୍ଜାତୀୟ ସମୁଦାୟ ସାମ୍ନାରେ ଆଫଗାନିସ୍ତାନର ତାଲିବାନ ସରକାରକୁ ବାରମ୍ବାର ସମର୍ଥନ କରୁଥିବାରୁ ପାକିସ୍ତାନକୁ ପ୍ରଂଶସା କରିଛନ୍ତି ଜବିହୁଲ୍ଲାହ । ଏପରିକି ବିଶ୍ୱ ସମୁଦାୟକୁ ଆଫଗାନିସ୍ତାନ ସହ ଯୋଡିବାକୁ ପାକିସ୍ତାନ ଯେଉଁଭଳି ପ୍ରୟାସ କରୁଛି ତାହା ବାସ୍ତବରେ ବେଶ ପ୍ରଂଶସନୀୟ ବୋଲି ଜବିହୁଲ୍ଲାହ କହିଛି । କେବଳ ଏତିକି ନୁହେଁ ପାକିସ୍ତାନର ପ୍ରଂଶସା କରିବାକୁ ଜବିହୁଲ୍ଲାହ ଭୁଲିନଥିବା ବେଳେ କାଶ୍ମୀରକୁ ନେଇ ବଡ ବୟାନ ରଖିଛି ।

ଏହାପୂର୍ବରୁ କାଶ୍ମୀର ଭାରତର ଆଭ୍ୟନ୍ତରୀଣ ମାମଲା, ଏଥିରେ ତାଲିବାନ ମୁଣ୍ଡ ଖେଳାଇବନି ବୋଲି କହିଥିଲା । କିନ୍ତୁ ପରେ ନିଜ ବୟାନରୁ ଓହରିବା ସହ ତାଲିବାନ କହିଥିଲା ଯେ, କାଶ୍ମୀରରେ ସମସ୍ୟାରେ ଥିବା ମୁସଲିମଙ୍କ ପାଇଁ ତାଲିବାନ ସ୍ୱର ଉଠାଇବା ଜାରି ରଖିବ । ଆଉ ଏବେ ପୁଣିଥରେ ସେହି ପ୍ରସଙ୍ଗରେ ମୁହଁ ଖୋଲିଛି ଜବିହୁଲ୍ଲାହ । ପୂରା ବିଶ୍ୱରେ ଏମିତି କ୍ଷେତ୍ର ରହିଛି ଯେଉଁଠି ମୁସଲିମଙ୍କ ଉପରେ ଖରାପ ବ୍ୟବହାର କରାଯାଉଛି । ସେ ଫିଲିସ୍ତାନ ହେଉ ବା କାଶ୍ମୀର ଅବା ମିଆଁମାର । ମୁସଲିମଙ୍କ ସହ ଅତ୍ୟାଚାର ହେଉଛି ତାହା ଚିନ୍ତାଜନକ ଏବଂ ତାଲିବାନ ଏହାର ବିରୋଧ କରିବ ନିଶ୍ଚୟ । ଜମ୍ମୁ-କାଶ୍ମୀରରେ ମୁସଲିମଙ୍କ ମାନବଧିକାର ଛଡାଇନେବା ଉପରେ ତାଲିବାନ ଆପତ୍ତି ଉଠାଇବ ନିଶ୍ଚୟ । ଏପରିକି ବିଶ୍ୱର ବିଭିନ୍ନ ପ୍ରାନ୍ତରେ ଅତ୍ୟାଚାର ପୀଡିତ ମୁସଲିମଙ୍କୁ ସମସ୍ତ ପ୍ରକାର ସହାୟତା କରିବା ତାଲିବାନ ଜାରି ରଖିବ ।

ଜବିହୁଲ୍ଲାହ କହିଛି, ପାକିସ୍ତାନ ଆମର ପଡୋଶୀ ଦେଶ । ଆଫଗାନିସ୍ତାନକୁ ନେଇ ପାକିସ୍ତାନ ଯେଉଁଭଳି ଆଭିମୁଖ୍ୟ ଦେଖାଉଛି ତାହା ବାସ୍ତବରେ ବେଶ ପ୍ରଂଶସନୀୟ । ଆଫଗାନିସ୍ତାନ ବିଶ୍ୱ ସମୁଦାୟ ସହ ଭଲ ସମ୍ପର୍କ ରଖିବାକୁ ଚାହୁଁଛି । ଆର୍ଥିକ ଓ ବାଣିଜ୍ୟିକ କାରବାର କରିବାକୁ ଚାହୁଁଛି । ଅନ୍ୟ ପଡୋଶୀ ରାଷ୍ଟ୍ର ମଧ୍ୟ ଅନ୍ତର୍ଜାତୀୟସ୍ତରରେ ଆଫଗାନିସ୍ତାନକୁ ସମର୍ଥନ କରିବା ଉଚିତ । ଏପରିକି ଅନେକ ରାଷ୍ଟ୍ର ଆଫଗାନିସ୍ତାନ ସପକ୍ଷରେ ଅନ୍ତର୍ଜାତୀୟ ସମୁଦାୟ ଓ ଆମେରିକା ଆଗରେ ସ୍ୱର ଉଠାଇଛନ୍ତି । ଏହାସହ ଜବିହୁଲ୍ଲାହ କହିଛି, ଯଦି କୌଣସି ଦେଶ କିମ୍ବା ସମୁଦାୟ ଆଫଗାନିସ୍ତାନ ଉପରେ ଆକ୍ରମଣ କରିବ କିମ୍ବା ସରକାର ବିପକ୍ଷରେ ଲଢେଇ କରିବ ତେବେ ସେମାନଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ନିଆଯିବ । ଏପରିକି ଆଫଗାନିସ୍ତାନକୁ ପାକିସ୍ତାନ ସହ ସଂଯୋଗ କରିବାକୁ ଉଦ୍ୟମ କରିବୁ । ସଡ଼କପଥରେ ଆଫଗାନିସ୍ତାନକୁ ପାକିସ୍ତାନ ସହ ଯୋଡିବାକୁ ପ୍ରୟାସ କରିବ ତାଲିବାନ ସରକାର ।