କାବୁଲ ବିଶ୍ୱ ବିଦ୍ୟାଳୟରେ ତାଲା ପକାଇଲା ତାଲିବାନ, ଘରକୁ ଫେରିଲେ ଶହ ଶହ ଛାତ୍ର ଛାତ୍ରୀ

92

କନକ ବ୍ୟୁରୋ : ତାଲିବାନ ଅଧିକାରୀ ପୂର୍ବ ସପ୍ତାହରେ ନିର୍ଦ୍ଦେଶ ଦେଇଥିଲେ କି ଆଫଗାନିସ୍ତାନର ସରକାରୀ ବଶ୍ୱ ବିଦ୍ୟାଳୟରେ ମହିଳା ମାନେ ପଢିବା ଓ ପଢାଇବା ଉପରେ ପ୍ରତିବନ୍ଧକ ଲଗାଯିବ । ଯେତେବେଳେ ସେମାନଙ୍କୁ ପୁରୁଷ ମାନଙ୍କ ଠାରୁ ଅଲଗା କରାନଯିବ ସେ ପର୍ଯ୍ୟନ୍ତ ଗୋଟିଏ ବିଶ୍ୱ ବିଦ୍ୟାଳୟରେ ମହିଳା ଓ ପୁରୁଷ ଏକା ସାଙ୍ଗରେ ପଢିବା ଓ ପଢାଇବା ଉପରେ ପ୍ରତିବନ୍ଧକ ରହିବ । ହେଲେ ଏହାର ଗୋଟିଏ ସପ୍ତାହ ଭିତରେ ଆଫଗାନିସ୍ତାନର ସବୁଠାରୁ ବଡ ସରକାରୀ ବିଶ୍ୱ ବିଦ୍ୟାଳୟରେ ତାଲା ପକାଇ ଦେଇଛି ତାଲିବାନ । ବୁଧବାର ଦିନ ଏଭଳି ଘଟଣା ଘଟିବା ପରେ ବିଶ୍ୱ ବିଦ୍ୟାଳୟ ପରିଶରରେ ଶୋକର ଛାୟା ଖେଳି ଯାଇଛି । ବିଶ୍ୱ ବିଦ୍ୟାଳୟ କର୍ତ୍ତୁପକ୍ଷ ଛାତ୍ର ଛାତ୍ରୀ ମାନଙ୍କୁ ଘରକୁ ପଠାଇ ଦେଇଛନ୍ତି । ଏହାସହ ସବୁ କ୍ଲାସ ସସ୍ପେଣ୍ଡ କରିଦିଆଯିବା ସହ କେବଳ ପୁରୁଷ କର୍ମଚାରୀଙ୍କୁ ରିସର୍ଚ୍ଚ ସମ୍ବନ୍ଧୀୟ କାମ କରିବାର ସୁଯୋଗ ଦିଆଯାଇଛି ।

କାବୁଲ ବିଶ୍ୱ ବିଦ୍ୟାଳୟକୁ ହଠାତ ବନ୍ଦ କରିଦିଆଯିବା ପରେ ଧାର୍ମକ ମୌଳବାଦୀମାନଙ୍କର ଶିକ୍ଷାକୁ ନେଇ ଥିବା ଆଭିମୁଖ୍ୟ ସ୍ପଷ୍ଟ ହୋଇଛି । କୁହାଯାଉଛି କି, ଏହାପରେ ସେଠିକାର ମହିଳା ମାନଙ୍କୁ କେବଳ ପାରମ୍ପାରିକ ପୋଷାକରେ ଶିକ୍ଷାନୁଷ୍ଠାନ ଆସିବାକୁ ଅନୁମତି ଦିଆଯିବ ଓ ସେମାନଙ୍କୁ ପୁରୁଷମାନଙ୍କ ଠାରୁ ଅଲଗା ରଖାଯିବ । ତାଲିବାନ ତରଫରୁ କାବୁଲ ବିଶ୍ୱ ବିଦ୍ୟାଳୟ ପାଇଁ ନିଯୁକ୍ତ ହୋଇଥିବା କୂଳପତି ଟ୍ୱିଟ୍ ଯୋଗେ କହିଛନ୍ତି କି “ଯେତେବେଳ ପର୍ଯ୍ୟନ୍ତ ସମସ୍ତଙ୍କ ପାଇଁ ଇସ୍ଲାମିକ ବାତାବରଣ ସୃଷ୍ଟି କରାଯାଇ ନାହିଁ, ସେପର୍ଯ୍ୟନ୍ତ ମହିଳା ମାନଙ୍କୁ ବିଶ୍ୱ ବିଦ୍ୟାଳୟ ଆସିବାର ସୁଯୋଗ ଦିଆଯିବ ନାହିଁ” ।

ତାଲିବାନ ସରକାରଙ୍କ ପ୍ରବକ୍ତା ବିଲାଲ କରୀମ କହିଛନ୍ତି କି ସରକାର ଛାତ୍ରୀ ମାନଙ୍କ ପାଇଁ ଏକ ଶାନ୍ତିପୂର୍ଣ୍ଣ ବାତାବରଣ ସୁନିଶ୍ଚିତ କରିବାକୁ ଯୋଜନା କରୁଛନ୍ତି । ‘ୱାସିଂଟନ୍ ପୋଷ୍ଟ’ ସହ କଥାବାର୍ତ୍ତା ବେଳେ କରୀମ୍ କହିଛନ୍ତି କି ଯୋଜନାର ଅନ୍ତିମ ରୂପଦିଆଯିବା ପରେ ମହିଳାମାନଙ୍କୁ ପାଠପଢା ଜାରୀ ରଖିବାକୁ ଅନୁମତି ଦିଆଯିବ ।

କହିରଖୁ କି ଆଫଗାନରେ ତାଲିବାନୀ ଶାସନ ଆରମ୍ଭ ହେବା ପରେ ସେଠିକାର କଲେଜ ଓ ବିଶ୍ୱ ବିଦ୍ୟାଳୟର ଚିତ୍ର ସମ୍ପୂର୍ଣ୍ଣ ବଦଳିବାରେ ଲାଗିଛି । ଏନେଇ ତାଲିବାନ ସରକାର ନିୟମର ଏକ ଲମ୍ବା ସୂଚୀ ପ୍ରକାଶ କରିଛି । ଏହି ସୂଚୀ ମୁତାବକ ଆଫଗାନର ସମସ୍ତ କଲେଜ ଓ ବିଶ୍ୱ ବିଦ୍ୟାଳୟରେ ଛାତ୍ର ଓ ଛାତ୍ରୀଙ୍କ ପାଇଁ ଭିନ୍ନ ଭିନ୍ନ ଶ୍ରେଣୀଗୃହ ପ୍ରସ୍ତୁତ କରାଯିବ । ଏବେ ଏହା ତୁରନ୍ତ ସମ୍ଭବ ହେଉ ନଥିବାରୁ କିଛି ଘରୋଇ ଶିକ୍ଷାନୁଷ୍ଠାନ ଶ୍ରେଣୀଗୃହରେ ପରଦା ଟାଙ୍ଗି ପାଠ ପଢାଉଛନ୍ତି । ଅନ୍ୟପଟେ କଲେଜ ଓ ବିଶ୍ୱବିଦ୍ୟାଳୟକୁ ଆସିବାର ସମୟ ମହିଳା ଓ ପୁରୁଷ ମାନଙ୍କ ପାଇଁ ଅଲଗା କରାଯିବ ଓ ଏହା ସହ ମହିଳା ଓ ପୁରୁଷ ମାନଙ୍କ ଆସିବାର ରାସ୍ତା ଅଲଗା କରାଯିବ ବୋଲି ବିଜ୍ଞପ୍ତି ଜାରୀ କରିଛି ତାଲିବାନ ସରକାର ।