ଭାରତ ସହ ସୁସଂପର୍କ ଚାହୁଁଛି ତାଲିବାନ, ଜାତୀୟ ସୁରକ୍ଷା ପରିଷଦ ବୈଠକକୁ ନେଇ କହିଲା ଏମିତି କଥା

153

କନକ ବ୍ୟୁରୋ : ଆଫଗାନିସ୍ତାନକୁ ଶାସନ କରୁଥିବା ତାଲିବାନ ଭାରତକୁ ଏକ ଭଲ ଦେଶଭାବେ ଅଭିହିତ କରିଛି । ଏହାସହ ଭାରତ ସରକାରଙ୍କ ସହ ସୁସଂପର୍କ ରଖିବାକୁ ଚାହୁଁଥିବା କଥା ତାଲିବାନ ସମୁହ କହିଛି । ଏହି କ୍ରମରେ ତାଲିବାନ ଭାରତରେ ଆଫଗାନିସ୍ତାନକୁ ନେଇ ଆୟୋଜିତ ହୋଇଥିବା ଜାତୀୟ ସୁରକ୍ଷା ପରାମର୍ଶଦାତା ବୈଠକକୁ ନେଇ ବି ବୟାନ ଜାରି କରିଛି । ବୁଧବାର ଦିନ ଭାରତର ଏନଏସଏ ଅଜିତ ଡୋଭାଲଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିଷର ୭ ଟି ଦେଶର ଜାତୀୟ ସୁରକ୍ଷା ପରାମର୍ଶଦାତା ଯୋଗ ଦେଇଥିଲେ ।

ତାଲିବାନ ସରକାରଙ୍କ ପ୍ରବକ୍ତା ଜବୀଓଲ୍ଲାହା ମୁଜାହିଦ କହିଛନ୍ତି କି, ‘ଯଦିଓ ଆମେ ବୈଠକରେ ଉପସ୍ଥିତ ନଥିଲୁ ହେଲେ ଏହା ସ୍ପଷ୍ଟ ଯେ ବୈଠକରେ ଆପଗାନିସ୍ତାନ ହିତରେ ଆଲୋଚନା ହୋଇଛି । କାରଣ ଆଫଗାନର ବର୍ତମାନ ସ୍ଥିତି ଉପରେ ସାରା ବିଶ୍ୱ ନଜର ରଖିଛି, ବୈଠକରେ ଉପସ୍ଥିତ ଥିବା ଦେଶ ବି ଆଫଗାନର ସୁରକ୍ଷା ବ୍ୟବସ୍ଥାକୁ ସଦୃଢ କରିବା ଓ ଏବେର ସରକାରକୁ ନିଜର ସୁରକ୍ଷା ସୁନିଶ୍ଚିତ କରିବା ଉପରେ ବିଚାର କରାଯାଇଥିବ’  । ଏହାସହ ମୁଜାହିଦ କହିଛନ୍ତି କି ‘ଇସଲାମିକ ଏମିରଟ ଆଫଗାନ ନୀତି ମୁତାବକ ତାଲିବାନ ସରକାର କୌଣସି ଦେଶ ବିରୋଧରେ ଯିବ ନାହିଁ , ବରଂ ଅନ୍ୟଦେଶମାନଙ୍କୁ ଆଫଗାନ ସହାୟତା ଆଶା କରିବ’

କହିରଖୁ କି ଦିଲ୍ଲୀରେ ନଭେମ୍ବର ୧୦ ତାରିଖରେ ଅନୁଷ୍ଠିତ ହୋଇଥିବା ଜାତୀୟ ସୁରକ୍ଷା ପରାମର୍ଶଦାତା ବୈଠକରେ ଭାରତ ପକ୍ଷରୁ କୁହାଯାଇଥିଲା କି ଭାରତ ଆଫଗାନିସ୍ତାନକୁ ମାନବୀୟ ସହାୟତା ଯୋଗାଇଦେବାକୁ ପ୍ରତିଶ୍ରୁତିବବଦ୍ଧ, ହେଲେ ସହାୟତା ପହଂଚାଇବା ଏବେ ସବୁଠାରୁ କଷ୍ଟକର କାମ ବୋଲି ଡୋଭାଲ କହିଥିଲେ । ଏହାର କାରଣ ଭାବେ ଡୋଭାଲ କହିଥିଲେ କି ଆଫଗାନିସ୍ତାନକୁ ସଡକ ପଥ ଦେଇ ଖାଦ୍ୟ ଶଷ୍ୟ ପହଂଚାଇବାକୁ ହେଲେ ପାକିସ୍ତାନର ଅନୁମତି ଆବଶ୍ୟକ । ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି କି, ଆଫାଗାନିସ୍ଥାନ ଲୋକଙ୍କ ପାଇଁ ଭାରତର ସମର୍ଥନ ସ୍ପଷ୍ଟ ।