ଅସଲ ରୂପ ଦେଖାଇବା ଆରମ୍ଭ କଲେ ତାଲିବାନୀ । ଘର ଘର ବୁଲି ଝିଅଙ୍କୁ ଜବରଦସ୍ତ କରୁଛନ୍ତି ବିବାହ । ସରିଆ ଆଇନ୍ ଅନୁଯାୟୀ ସମ୍ମାନର କଥା କହୁଥିବା ସଂଗଠନର ପର୍ଦ୍ଦାଫାସ କଲେ ସାମ୍ବାଦିକା ।

570

କନକ ବ୍ୟୁରୋ : ମହିଳାଙ୍କୁ ସମ୍ମାନ ଦେବାର ପ୍ରତିଶ୍ରୁତି ଦେଇଥିବା ତାଲିବାନୀ ଏବେ ତାର ଅସଲ ରୂପ ଦେଖାଇବା ଆରମ୍ଭ କରିଛି । ଘରକୁ ଘର ବୁଲି ମହିଳାଙ୍କୁ ଖୋଜୁଛନ୍ତି । ଏବଂ ଜୋର ଜବରଦସ୍ତ ବାହା ହେଉଛନ୍ତି । ୧୫ବର୍ଷରୁ ଅଧିକ ଯୁବତୀ ଓ ମହିଳା ତାଲିବାନୀଙ୍କ ଲୋଲୁପ ଦୃଷ୍ଟିର ଶିକାର ହୋଇଛନ୍ତି । ଆଫଗାନରେ କାମ କରୁଥିବା ଜଣେ ମହିଳା ସାମ୍ବାଦିକା ଦେଶ ଛାଡି ବାହାରକୁ ଆସିବା ପରେ ମହିଳାଙ୍କ ଏହି ଦୁଃଖ ଦୁର୍ଦ୍ଦଶାର କାହାଣୀ ବିଶ୍ୱ ସାମ୍ନାକୁ ଆଣିଛନ୍ତି । ଯାହା ସ୍ପଷ୍ଟ ପ୍ରମାଣିତ କରୁଛି ତାଲିବାନୀଙ୍କ ଆଚରଣ ଓ ଉଚ୍ଚାରଣରେ କେତେ ଫରକ ରହୁଛି ।

ଘର ଘର ବୁଲି ଝିଅ ଖୋଜୁଛନ୍ତି ତାଲିବାନୀ । ଆଫଗାନରେ ମହିଳାଙ୍କ ଶୋଚନୀୟ ଅବସ୍ଥାର ପର୍ଦ୍ଦାଫାଶ । ଆଫଗାନିସ୍ତାନ, ତାଲିବାନ କବଜାକୁ ଆସିବା ପରେ ମହିଳାଙ୍କ ଅବସ୍ଥା ଦୟନୀୟ ହୋଇଛି । ୧୮୦ ଡିଗ୍ରୀ ବଦଳିଯାଇଛି ସେମାନଙ୍କ ଜୀବନ । ବନ୍ଧୁକଧାରୀ ତାଲିବାନୀ ୧୫ ବର୍ଷରୁ ଉଦ୍ଧ୍ୱର୍ ଝିଅ ଓ ମହିଳାଙ୍କୁ କରୁଛନ୍ତି ଟାର୍ଗେଟ । ବାହା ହେବାକୁ ଏହି ପଇଁତରା ତାଲିବାନୀ ଆପଣାଉଥିବା ବର୍ଣ୍ଣନା କରିଛନ୍ତି ଜଣେ ସାମ୍ବାଦିକା । ସ୍ୱାଧୀନତାର ସହ ଜୀବନ ବଞ୍ଚୁଥିବା ମହିଳାଙ୍କ ଜୀବନଧାରା ଉପରେ ମାଡି ଆସିଛି କଳାବାଦଲ ।

ଆଫଗାନିସ୍ତାନ ଛାଡିଥିବା ସାମ୍ବାଦିକ ହୋଲି ମାକେ ମହିଳାଙ୍କ ଏହି ଦୁର୍ଦ୍ଦଶା ଭରା କାହାଣୀ ବିଶ୍ୱ ସାମ୍ନାକୁ ଆଣିଛନ୍ତି । ଅଗଷ୍ଟ ୧୫ରେ ତାଲିବାନୀ କାବୁଲ କବଜା କରିବା ପରେ ଘରକୁ ଘର ବୁଲି ଝିଅ ଖୋଜୁଛନ୍ତି । ଆଉ ଜୋର ଜବରଦସ୍ତ ସେମାନଙ୍କୁ ବିବାହ କରୁଥିବା ରିପୋର୍ଟରେ ଦର୍ଶାଯାଇଛି ।

ହୋଲି ମାକେ କୌଣସିମତେ ଆଫଗାନିସ୍ତାନ ଛାଡିବାରେ ସଫଳ ହୋଇଥିବା ବେଳେ ତାଙ୍କ ପଛରେ ରହିଯାଇଥିବା ବନ୍ଧୁମାନେ ଆତଙ୍କରେ ଦିନ କାଟୁଛନ୍ତି । ଆଫଗାନିସ୍ତାନ ଉପରେ ତାଲିବାନର କବ୍ଜା ପରେ କାବୁଲ ଛାଡି ପଳାୟନ କରିଥିଲେ ହଜାର ହଜାର ଲୋକ । ସେତେବେଳେ ବିମାନବନ୍ଦରରେ କାଁ ଭାଁ ମହିଳାଙ୍କୁ ଦେଖିବାକୁ ମିଳୁଥିଲା, ଆଉ ଅନୁମାନ କରାଯାଉଥିଲା ଜୀବନ ବଂଚାଇବା ପାଇଁ ମହିଳାମାନେ ଘରେ ଲୁଚି ରହୁଛନ୍ତି । ଏହାପରେ ତାଲିବାନୀଙ୍କ ଲୋଲୁପ ଦୃଷ୍ଟି ପଡିଥିଲା, ଆଫଗାନର ଘର ଉପରେ ।

ମାକେ ଲେଖିଛନ୍ତି, କାବୁଲ ନିକଟବର୍ତୀ ଅଂଚଳରେ ସେ ଏକ କ୍ୟାମ୍ପରେ ଜଣେ ୧୪ ବର୍ଷର ବାଳିକାକୁ ଭେଟିଥିଲେ । ଭୟଭୀତ ଅବସ୍ଥାରେ ତାଲିବାନୀଙ୍କ କବଜାରୁ ଦୌଡି ଚାଲିଥିବା ଏହି ଶିଶୁ ପାଠ ପଢି ଡାକ୍ତର ହେବାକୁ ଲକ୍ଷ୍ୟ ରଖିଥିବା ସେ ଉଲ୍ଲେଖ କରିଥିଲେ ।

ତାଲିବାନୀ, ଆଫଗାନିସ୍ତାନ କବଜା କରିବା ପରେ ଛାତିଥରା ଦୃଶ୍ୟ ଦେଖିବାକୁ ମିଳିଥିଲା । ଠପ ପଡିଯାଇଥିଲା ସାରା ଦେଶ । କାର୍ଯ୍ୟାଳୟ ଠାରୁ ଆରମ୍ଭ କରି ବ୍ୟାଙ୍କ, ସମେତ ଦୋକାନ ବଜାର ସବୁ ବନ୍ଦ ହୋଇଯାଇଥିଲା । ଏହାରି ଭିତରେ ହଜାର ହଜାର ଲୋକ ଦେଶ ଛାଡିଥିବାବେଳେ ଏବେ ମହିଳାଙ୍କ ଅବସ୍ଥା ଆହୁରି ଶୋଚନୀୟ ହୋଇପଡିଛି । ମହିଳାଙ୍କ ସୁରକ୍ଷା କଥା କହୁଥିବା ତାଲିବାନ କିନ୍ତୁ ଏବେ ତାର ଅସଲ ରୁପ ଦେଖାଇବା ଆରମ୍ଭ କରିଛି ।

କ୍ଷମତାକୁ ଫେରିବା ପରେ ସରିଆ ଆଇନ୍ ଅନୁସାରେ ମହିଳାଙ୍କ ସମ୍ମାନ ରକ୍ଷା କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିବା ତାଲିବାନ ଏବେ କିନ୍ତୁ ତାର ବିପରୀତ କାମ କରିବା ଆରମ୍ଭ କରିଛି । ବୁର୍ଖାକୁ ବାଧ୍ୟତାମୂଳକ କରି ମହିଳାଙ୍କୁ କାର୍ଯକ୍ଷେତ୍ରକୁ ଯିବା ପାଇଁ ବାରଣ କରୁଥିବା ଅନେକ ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି ।