ତାଲିବାନ ଜାରି କଲା ନୂଆ ନିୟମ । ବ୍ୟଭିଚାରରେ ଲିପ୍ତ ଥିବା ମହିଳାଙ୍କୁ ରାସ୍ତା ମଝିରେ ପଥର ଫିଙ୍ଗି ହତ୍ୟା ଆଦେଶ ।

197

ଆଫଗାନିସ୍ତାନରେ ତାଲିବାନ ଶାସନର ପୁନଃ  ପ୍ରତିଷ୍ଠା ପରେ ଲୋକଙ୍କ ଜୀବନ କଷ୍ଟକର ହୋଇପଡୁଛି ବିଶେଷ କରି ମହିଳାଙ୍କ ପାଇଁ । ତାଲିବାନ ସୁପ୍ରିମୋ ଏକ ବାର୍ତ୍ତାରେ କହିଛନ୍ତି ଯେ କାବୁଲ ଦଖଲ କରିବା ସହିତ ସେମାନଙ୍କର ସଂଗ୍ରାମ ଶେଷ ହୋଇନାହିଁ । ବର୍ତ୍ତମାନ ସେମାନେ ଦେଶରେ ଶରିଆ ଆଇନ ଲାଗୁ କରିବେ ।

ଆଫଗାନିସ୍ତାନରେ ତାଲିବାନ ଶାସନର ପୁନଃ ପ୍ରତିଷ୍ଠା ହେବାପରେ ଲୋକମାନେ ଆଶଙ୍କା ବ୍ୟକ୍ତ କରିଥିଲେ ଯେ ଏଥିରେ ଆଫଗାନିସ୍ତାନ ମହିଳାମାନେ ଅଧିକ କ୍ଷତିଗ୍ରସ୍ତ ହେବେ । ମହିଳା ଶିକ୍ଷା ଉପରେ ପ୍ରତିବନ୍ଧକ ଲଗାଇବା ପରେ ତାଲିବାନ ଆଉ ଏକ ନିର୍ଦ୍ଦେଶ ଜାରି କରିଛି । ବ୍ୟଭିଚାର କରୁଥିବା ଆଫଗାନିସ୍ତାନ ମହିଳାଙ୍କୁ ତାଲିବାନ ମୃତ୍ୟୁଦଣ୍ଡ ଘୋଷଣା କରିଛି । ବ୍ୟଭିଚାରରେ ଲିପ୍ତ ଥିବା ମହିଳାମାନଙ୍କୁ ପଥର ଫିଙ୍ଗି ହତ୍ୟା କରିବାକୁ ନିର୍ଦ୍ଦେଶ ଜାରି କରିଛି ତାଲିବାନ ସରକାର ।

ତାଲିବାନର ସୁପ୍ରିମୋ ମଲ୍ଲିକା ହିବତୁଲ୍ଲା ଅଖୁନ୍ଦଯାଦା ରାଜ୍ୟ ଟେଲିଭିଜନରେ ଏକ ଅଡିଓ ବାର୍ତ୍ତାରେ ଘୋଷଣା କରିଛନ୍ତି ଯେ ଆଫଗାନିସ୍ତାନର ମହିଳାମାନଙ୍କୁ ବ୍ୟଭିଚାର ପାଇଁ ସର୍ବସାଧାରଣରେ ଚାବୁକ ମାଡ଼ ଦିଆଯିବ ଏବଂ ପଥର ଫିଙ୍ଗି ହତ୍ୟା କରାଯିବ।

ଦି ଟେଲିଗ୍ରାଫର ରିପୋର୍ଟ ଅନୁଯାୟୀ, ଏହି ଅଡିଓ ବାର୍ତ୍ତାରେ ତାଲିବାନ ସୁପ୍ରିମୋ ମଧ୍ୟ ପାଶ୍ଚାତ୍ୟ ଗଣତନ୍ତ୍ର ବିରୋଧରେ ଲଢେଇ ଜାରି ରଖିବାକୁ ଶପଥ ନେଇଛନ୍ତି । ଅଖୁନ୍ଦଯାଦା ତାଙ୍କ ବାର୍ତ୍ତାରେ କହିଛନ୍ତି ଯେ ଅନ୍ତର୍ଜାତୀୟ ସମୁଦାୟ ଦ୍ୱାରା ସମର୍ଥିତ ମହିଳାଙ୍କ ଅଧିକାର ତାଲିବାନର ‘ଇସଲାମୀୟ ଶାରିଆ ଆଇନ’ର ବିରୋଧୀ । ସେ ଆହୁରି କହିଛନ୍ତି  ଆମ ଦେଶର ମହିଳାମାନେ, ପଶ୍ଚିମର ଲୋକମାନେ ଯେଉଁ  ଅଧିକାର ବିଷୟରେ କହୁଛନ୍ତି , ସେହି ଅଧିକାର ଚାହୁଁଛନ୍ତି କି ?  ଯେଉଁ ପାଶ୍ଚାତ୍ୟ ଲୋକମାନେ ଆମ ଶରିଆ ବିରୋଧ କଥା କହୁଥିଲେ ଆମେ ସେମାନଙ୍କୁ ଆମ ଦେଶରୁ ତଡି ଦେଇଛୁ ।

 ଆମ ଲଢେଇ ସରି ନାହିଁ

କଠୋର ସ୍ଵରରେ ତାଲିବାନ ସୁପ୍ରିମୋ  ଅଖୁନ୍ଦଯାଦା କହିଛନ୍ତି ଯେ ମୁଁ ମୁଜାହିଦ୍ଦିନମାନଙ୍କୁ କହିଥିଲି ଯେ ଆମେ ପାଶ୍ଚାତ୍ୟ ଲୋକଙ୍କୁ କହୁଛୁ ଯେ ଆମେ ୨୦ ବର୍ଷ ତୁମ ବିରୁଦ୍ଧରେ ଲଢେଇ କରିଛୁ ଏବଂ ଆମେ ଆହୁରି ୨୦ ବର୍ଷ ଏବଂ ତା’ଠାରୁ ଅଧିକ ଯୁଦ୍ଧ କରିପାରିବୁ । କାବୁଲକୁ ଦଖଲ କରିବା ଦ୍ୱାରା ଆମ ଲଢେଇ ସମାପ୍ତ ହୋଇନାହିଁ । କବୁଲ ଦଖଲର ମାନେ ନୁହେଁ ଯେ ଆମେ ଶାନ୍ତିରେ ବସି ଚା ପିଇବୁ । ଆମେ ସାରା ବିଶ୍ବରେ ଶରିଆ ଆଇନ ଲାଗୁ କରିବୁ ।

ଅଫଗାନିସ୍ଥାନ ମହିଳାମାନଙ୍କ ପାଇଁ ଆଲାର୍ମ ଘଣ୍ଟି

ଅଖୁନ୍ଦଯାଦାଙ୍କ ଏହି ବାର୍ତ୍ତା ମହିଳାମାନଙ୍କ ପାଇଁ ଏକ ଆଲାର୍ମ ଘଣ୍ଟିରୁ କମ୍ ନୁହେଁ । ସେ ତାଙ୍କ ବାର୍ତ୍ତାରେ କହିଛନ୍ତି, “ଆପଣ କେଉଁ ସମୟରେ ମହିଳା ଅଧିକାର ବିଷୟରେ କହିବେ ?? ବ୍ୟଭିଚାର ପାଇଁ ଆମେ ଯେତେବେଳେ ସେମାନଙ୍କୁ ରାସ୍ତା ମଝିରେ ପଥର ଫିଙ୍ଗି ହତ୍ୟା କରିବୁ ।  ସେତେବେଳେ ଆପଣଙ୍କ ଭାଷାରେ ଏହା ମହିଳାଙ୍କ ଅଧିକାରର ଉଲ୍ଲଂଘନ ବୋଲି ଆପଣ କହିପାରନ୍ତି କିନ୍ତୁ ଆମ ପାଇଁ ତାହା ସମ୍ମାନର ପ୍ରଶ୍ନ ଏବଂ ଶରିଆ ନିୟମ । ଆମେ ଯଥା ଶୀଘ୍ର ଏହି ଦଣ୍ଡ କାର୍ଯ୍ୟକାରୀ କରିବୁ। ”