ଆମେରିକାକୁ ତାଲିବାନ ଦେଲା ଚେତାବନୀ । କହିଲା, ଯଦି ମାନ୍ୟତା ଦେବନି ତେବେ…..

195

କନକ ବ୍ୟୁରୋ: ତାଲିବାନ ଆଫଗାନିସ୍ତାନକୁ କବଜା କରିନେଇଛି ସତ, ହେଲେ ଏବେ ବି ସେଠାରେ ସରକାର ଚଲାଇବାକୁ ନାନାଦି ଅସୁବିଧାର ସମ୍ମୁଖୀନ ହେଉଛି । ବର୍ତ୍ତମାନ ସେଠାରେ ଖାଦ୍ୟାଭାବ ଏକ ପ୍ରମୁଖ ସମସ୍ୟା ହୋଇ ଦେଖାଦେଇଥିବାବେଳେ, ଏଭଳି ସମୟରେ ଆମେରିକା ସହିତ ବିଭିନ୍ନ ଦେଶକୁ ଚେତାବନୀ ଦେଇଛି ତାଲିବାନ । ଏହି ଚେତାବନୀରେ ଆମେରିକା ସହିତ ଅନ୍ୟ ଦେଶମାନକୁ ତାଲିବାନ ମାନ୍ୟତା ପ୍ରଦାନ କରିବାକୁ ଆହ୍ୱାନ ଦେଇଛି ।

ତାଲିବାନୀ ମୁଖପାତ୍ର ଜବୀହୁଲ୍ଲା ମୁଜାହିଦ ଶନିବାର ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି, ଆମେରିକା ତାଲିବାନକୁ ମାନ୍ୟତା ଦେଇନି । ଯାହା ଫଳରେ ଆଫଗାନିସ୍ତାନର ଅସୁବିଧା ଏବେ ବି ଜାରି ରହିଛି । ତେବେ ଏଭଳି ସମସ୍ୟା ଯଦି ଆଗକୁ ଜାରି ରୁହେ, ତେବେ ଏହା ସାରା ବିଶ୍ୱ ପାଇଁ ବଡ ସଙ୍କଟ ହେବ । ତେବେ ଖାଲି ସେତିକି ନୁହେଁ, ତାଲିବାନୀ ମୁଖପାତ୍ର ଆହୁରି ମଧ୍ୟ କହିଛନ୍ତି ଯେ, ଗତଥର ଆମେରିକା-ତାଲିବାନ ଭିତରେ ଯୁଦ୍ଧ ହେବାର ପ୍ରମୁଖ କାରଣ ହେଉଛି ଦୁଇ ଦେଶ ଭିତରେ ରାଜନୈତିକ ସମ୍ଭନ୍ଧ ଭଲ ନଥିଲା ।

ସୂଚନାଯୋଗ୍ୟ ଯେ, ତାଲିବାନ ସରକାରକୁ ଏପର୍ଯ୍ୟନ୍ତ ବିଶ୍ୱର କୌଣସି ଦେଶ ମାନ୍ୟତା ପ୍ରଦାନ କରିନି । କେବଳ ପାକିସ୍ତାନ ସମେତ କିଛି ହାତ ଗଣତି ଦେଶ ତାଲିବାନକୁ ନିଜର ସମର୍ଥନ ଦେଇଆସୁଛନ୍ତି । ତେବେ ଆଫଗାନିସ୍ତାନରେ ଏବେ ଖାଦ୍ୟାଭାବ ସମସ୍ୟା ବଡ ଧରଣର ବିପର୍ଯ୍ୟୟ ସୃଷ୍ଟି କରିଛି । ଲୋକମାନଙ୍କ ପାଖରେ ଟଙ୍କା ନଥିବାବେଳେ, ଆଫଗାନିସ୍ତାନର ଅନେକ ଟଙ୍କା ବିଦେଶରେ ଗଚ୍ଛିତ ହୋଇ ରହିଛି । ତେଣୁ ଏଭଳି ସ୍ଥିତିରେ ତାଲିବାନର ଏହି ଚେତାବନୀକୁ ନେଇ ଅନ୍ତର୍ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଛି ।