ଶୀଘ୍ର ଫେରାଅ ଆଫଗାନିସ୍ତାନର ୪୬ଟି ଯୁଦ୍ଧ ବିମାନ । ଉଜବେକିସ୍ତାନ ଉପରେ ଚାପ ପକାଇଲା ତାଲିବାନ । 

1,018

କନକ ବ୍ୟୁରୋ : ଆଫଗାନିସ୍ତାନରେ କ୍ଷମତା ଦଖଲ ପରେ ତାଲିବାନ ନିଜକୁ ଶକ୍ତିଶାଳୀ କରିବାକୁ ବଳ ଗୋଟାଉଛି । ବିଭିନ୍ନ ଦେଶ ସହ ବନ୍ଧୁତ୍ୱର ସମ୍ପର୍କ ବଢାଇବା ସହ ପଡୋଶୀ ଦେଶକୁ ଧମକ ଦେବାକୁ ମଧ୍ୟ ପଛାଉନାହିଁ । ଆଉ ଏସବୁ ଭିତରେ ଏବେ ପଡୋଶୀ ଉଜବେକିସ୍ତାନକୁ କଡା ସନ୍ଦେଶ ପଠାଇଛି ତାଲିବାନ । ଆଫଗାନିସ୍ତାନର ୪୬ଟି ଏୟାରକ୍ରାଫ୍ଟ ଓ ପାଇଲଟ ଫେରାଇବାକୁ ଉଜବେକିସ୍ତାନକୁ କହିଛି ତାଲିବାନ । ତେବେ ତାଲିବାନର ଏଭଳି ସନ୍ଦେଶ ପରେ ଆଫଗାନିସ୍ତାନର ପାଇଲଟ ଭୟଭୀତ ହୋଇପଡିଛନ୍ତି । କାରଣ ଆଫଗାନିସ୍ତାନକୁ ତାଲିବାନ କବଜା କରୁଥିବା ବେଳେ ଆଫଗାନ୍ ସେନାର ପାଇଲଟ ମାନେ ଯୁଦ୍ଧ ବିମାନ ଗୁଡିକୁ ଉଜବେକିସ୍ତାନ ନେଇ ଯାଇଥିଲେ । ଆଉ ଏଠାରୁ ଏହି ଯୁଦ୍ଧ ଜାହାଜ ଗୁଡିକୁ ୟୁଏଇ ସିଫ୍ଟ କରାଯାଉଛି ।

ଏହି ଆଫଗାନିସ୍ତାନ ପାଇଲଟଙ୍କୁ ଆମେରିକା ସେନା ପ୍ରଶିକ୍ଷଣ ଦେଇଥିଲା ଏବଂ ଚୁକ୍ତି ଅନୁଯାୟୀ ଏବେ ଏମାନଙ୍କୁ ୟୁଏଇ ସିଫ୍ଟ କରାଯାଉଛି । ଆଫଗାନ୍ ସେନାର ପାଇଲଟଙ୍କୁ ସିନା ୟୁଏଇ ସିଫ୍ଟ କରାଯାଇଛି କିନ୍ତୁ ଯୁଦ୍ଧ ବିମାନ ଗୁଡିକର କଣ ହେବ ସେନେଇ କୌଣସି ନିଷ୍ପତ୍ତି ନିଆଯାଇନାହିଁ । ଏହି ପାଇଲଟ ମାନେ ଆଫଗାନିସ୍ତାନ ଛାଡିବା ବେଳେ ୪୬ଟି ଏୟାରକ୍ରାଫ୍ଟ ନେଇ ଆସିଥିଲେ । ଯେଉଁଥିରେ ଏ-୨୯ ଯୁଦ୍ଧ ବିମାନ, ୟୁଏଚ୍-୬୦ ବ୍ଲାକ୍ ହକ ହେଲିକପ୍ଟର ସାମିଲ ଥିଲା । ଆଉ ଏବେ ଉଜବେକିସ୍ତାନ ଉପରେ ବିମାନ ଓ ପାଇଲଟଙ୍କୁ ଫେରାଇବାକୁ ଚାପ ପକାଉଛି ତାଲିବାନ ।

ଗତ ଅଗଷ୍ଟ ୧୫ ତାରିଖରେ ଆଫଗାନିସ୍ତାନକୁ କବଜା କରିଥିଲା ତାଲିବାନ । ଆଉ ତାଲିବାନ କାବୁଲକୁ ଦଖଲ କରିବା ପୂର୍ବରୁ ଆଫଗାନିସ୍ତାନ ଛାଡି ଚାଲି ଯାଇଥିଲେ ରାଷ୍ଟ୍ରପତି ଅସରଫ ଘନି । ତେବେ ତାଲିବାନ ପୂରା ଆଫଗାନିସ୍ତାନକୁ କବଜା କରିଥିଲେ ମଧ୍ୟ ଏଯାଏଁ ପଞ୍ଜଶୀରକୁ ସମ୍ପୂର୍ଣ୍ଣ ଦଖଲ କରିପାରିନାହିଁ । ପଞ୍ଜଶୀରରୁ ନଦର୍ଣ୍ଣ ଆଲାଏନ୍ସ ତାଲିବାନ ସରକାରକୁ ବିରୋଧ କରୁଥିବା ବେଳେ ତାଲିବାନ-ପଞ୍ଜଶୀର ସିପାହୀଙ୍କ ମଧ୍ୟରେ ଜୋରଦାର ସଂଘର୍ଷ ଚାଲିଛି ।