କନକ ବ୍ୟୁରୋ : କିଛି ମାସ ପୂର୍ବରୁ ପାକିସ୍ତାନ ଓ ତାଲିବାନର ସମ୍ପର୍କ କଣ ଥିଲା ତାହା ପୂରା ବିଶ୍ୱ ଦେଖିଥିଲା । ଆଫଗାନିସ୍ତାନରେ ତାଲିବାନ ସରକାରକୁ ମାନ୍ୟତା ଦେବାକୁ ପାକିସ୍ତାନର ବାରମ୍ବାର ପ୍ରୟାସ କରି ଆସୁଥିଲା । କିନ୍ତୁ ମାସ କେଇଟା ମଧ୍ୟରେ ତାଲିବାନ ନିଜର ଆଭିମୁଖ୍ୟ ବଦଳାଇଛି । ଏବେ ପାକିସ୍ତାନକୁ ନାଲି ଆଖି ଦେଖାଇବା ଆରମ୍ଭ କରିଛି ତାଲିବାନ । ଦୁଇ ଦେଶ ମଧ୍ୟରେ ଥିବା ସୀମା ବିବାଦକୁ ନେଇ ପାକିସ୍ତାନ-ତାଲିବାନ ମଧ୍ୟରେ ମୁହାଁମୁହିଁ ସ୍ଥିତି ଉପୁଜିଛି । ଏପରିକି ତାଲିବାନୀ ମାନେ ପାକିସ୍ତାନ ସେନା ଦ୍ୱାରା ଡୁରାଣ୍ଡ ଲାଇନରେ ଲଗାଯାଇଥିବା ବୋର୍ଡକୁ ଭାଙ୍ଗି ଦେଇଛି । ଯାହାର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ।
ପାକିସ୍ତାନ ପକ୍ଷରୁ ତୁରାଣ୍ଡ ଲାଇନରେ ଯେଉଁ ତାରବାଡ ଓ ବୋର୍ଡ ଲଗାଯାଇଥିଲା ତାହାକୁ ଏକତରଫା ଓ ବେନିୟମ ବୋଲି କହିଛି ତାଲିବାନ । ଡୁରାଣ୍ଡ ଲାଇନରେ ତାରବାଡ ଲଗାଇବାର ପାକିସ୍ତାନର କୌଣସି ଅଧିକାର ନାହିଁ ବୋଲି କହିଛି ତାଲିବାନ । ତେବେ ଏସବୁ ଭିତରେ ଆଫଗାନିସ୍ତାନର ପୂର୍ବତନ ଉପ-ରାଷ୍ଟ୍ରପତି ଅମରୁଲ୍ଲା ସାଲେହ କହିଛନ୍ତି ଯେ, ତାରବାଡ ଭାଙ୍ଗିବା ଫିଲ୍ମ କାହାଣୀ ଭଳି ଲାଗୁଛି । ଆଫଗାନିସ୍ତାନରେ ତାଲିବାନର ଲୋକପ୍ରିୟତା ବୃଦ୍ଧି କରିବାକୁ ଆଇଏସଆଇ ଦ୍ୱାରା ଏଭଳି ଏକ ପ୍ରୟାସ କରାଯାଉଛି । ତାଲିବାନର ମୁଖିଆଙ୍କ କାମ ଆଇଏସଆଇ କରୁଛି । ଯାହାଦ୍ୱାରା ତାଲିବାନକୁ ନେଇ ଆଫଗାନବାସୀଙ୍କ ମନରେ ଭଲ ଭାବନା ଆସିବ ।
ଅନ୍ୟପଟେ ତାଲିବାନ ଦ୍ୱାରା ବାରମ୍ବାର ଏଭଳି ସୀମାରେ ତାରବାଡ ଭାଙ୍ଗିବାକୁ ନେଇ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଉପରେ ବର୍ଷିଛନ୍ତି ପାକିସ୍ତାନବାସିନ୍ଦା । ତାଲିବାନ ଅପେକ୍ଷା ପାକିସ୍ତାନ ଉପରେ ଫୋକସ କରିବାକୁ ଇମ୍ରାନଙ୍କୁ ପରାମର୍ଶ ଦେଇଛନ୍ତି କିଛି ୟୁଜର୍ସ । ସେହିଭଳି ପାକିସ୍ତାନର ଜଣେ ସାମ୍ବାଦିକ କହିଛନ୍ତି, ତାଲିବାନ ସପକ୍ଷରେ ଆମେ ବିଶ୍ୱ ଆଗରେ ସ୍ୱର ଉଠାଉଛୁ, କିନ୍ତୁ ଏଠାରେ ପାକିସ୍ତାନ ମାଟିରେ ପଶି କ୍ଷତି ପହଞ୍ଚାଉଛି ତାଲିବାନ । ଏହା ସବୁଠୁ ଲଜ୍ଜାଜନକ କଥା । ଡୁରାଣ୍ଡ ଲାଇନରେ କଣ ଚାଲିଛି? ଇମ୍ରାନ୍ ଖାନ୍ ଏବେ ବି ସମୟ ଅଛି, ତାଲିବାନ ବଦଳରେ ପାକିସ୍ତାନ ଉପରେ ଫୋକସ କରନ୍ତୁ । ଏହାପୂର୍ବରୁ ମଧ୍ୟ ୨୦୨୧ ଡିସେମ୍ବରରେ ମଧ୍ୟ ସୀମାରେ ପାକିସ୍ତାନ ଲଗାଇଥିବା ବାଡକୁ ଭାଙ୍ଗି ଦେଇଥିଲେ ତାଲିବାନ । ଏପରିକି ପୁନଶ୍ଚ ତାରବାଡ ନ ଲଗାଇବାକୁ ଚେତାବନୀ ମଧ୍ୟ ଦେଇଥିଲେ । ପୂର୍ବ ସରକାର ଭଳି ତାଲିବାନ ସରକାର ମଧ୍ୟ ପାକିସ୍ତାନ-ଆଫଗାନିସ୍ତାନ ମଧ୍ୟରେ ଥିବା ଡୁରାଣ୍ଡ ଲାଇନକୁ ମାନ୍ୟତା ଦେଇନାହିଁ ।