ଆସନ୍ତାକାଲି ଶପଥ ଗ୍ରହଣ କରିବ ତାଲିବାନ ସରକାର ! ଭାରତ, ଆମେରିକା ସମେତ ୭ ରାଷ୍ଟ୍ରକୁ ନିମନ୍ତ୍ରଣ

Advertisment
ଆସନ୍ତାକାଲି ଶପଥ ଗ୍ରହଣ କରିବ ତାଲିବାନ ସରକାର ! ଭାରତ, ଆମେରିକା ସମେତ ୭ ରାଷ୍ଟ୍ରକୁ ନିମନ୍ତ୍ରଣ

କନକ ବ୍ୟୁରୋ : ସେପ୍ଟେମ୍ବର ୧୧ରେ ଶପଥ ଗ୍ରହଣ କରିବ ତାଲିବାନ ସରକାର । ତେବେ ବଡ଼କଥା ହେଉଛି ସେପ୍ଟେମ୍ବର ୧୧ ହେଉଛି, ଆମେରିକାରେ ବିଶ୍ୱ ବାଣିଜ୍ୟ କେନ୍ଦ୍ରରେ ଆତଙ୍କବାଦୀ ଆକ୍ରମଣର ବର୍ଷ ପୂର୍ତ୍ତି । ୨୦୦୧ ସେପ୍ଟେମ୍ବର ୧୧ରେ ଅଲକାଇଦା ଆତଙ୍କବାଦୀମାନେ ଆମେରିକାରେ ଆତଙ୍କୀ ଆକ୍ରମଣ କରିଥିଲେ, ଏହାପରେ ଓସାମା ବିନ୍ ଲାଡେନଙ୍କୁ ଧରିବାକୁ ଆଫଗାନିସ୍ତାନ ଆକ୍ରମଣ କରିଥିଲା ଆମେରିକା ।

ତେବେ ଏହା ଭିତରେ ୨୦ ବର୍ଷ ବିତିଯାଇଛି । ଆଫଗାନିସ୍ତାନ ଛାଡ଼ି ଚାଲିଯାଇଛି ଆମେରିକା, ଆଉ ଏବେ ତାଲିବାନ ନିଜର ଦବଦବା ସାବ୍ୟସ୍ତ କରିଛି । ସେହି ସେପ୍ଟେମ୍ବର ୧୧ ତାରିଖରେ ଆଫଗାନିସ୍ତାନରେ ସରକାର ଗଢ଼ିବାକୁ ଯାଉଛି ତାଲିବାନ । ଏହି ଦିନକୁ ଶପଥ ଗ୍ରହଣ ଦିନ ଭାବେ ତାଲିବାନ ବାଛିବା, ଆମେରିକାକୁ ଚ୍ୟାଲେଂଜ ଦେବା ଭଳି ହୋଇଛି । ହାସନ ଅଖୁନ୍ଦଙ୍କ ନେତୃତ୍ୱରେ ତାଲିବାନ ସରକାର ଗଢ଼ାଯିବାକୁ ଥିବା ବେଳେ ଦୁଇଜଣ ଉପପ୍ରଧାନମନ୍ତ୍ରୀ ରହିବେ ବୋଲି ଘୋଷଣା ହୋଇଛି ।

ରିପୋର୍ଟ ଅନୁଯାୟୀ ତାଲିବାନ ସରକାର ଏହାର ଶପଥ ଗ୍ରହଣ ଉତ୍ସବକୁ ଭାରତ ଏବଂ ଆମେରିକା ସମେତ ୭ଟି ରାଷ୍ଟ୍ରକୁ ନିମନ୍ତ୍ରଣ କରିଛି । ଭାରତ ଓ ଆମେରିକା ସମେତ ଚୀନ୍‌, ତୁର୍କୀ, ପାକିସ୍ତାନ, ଇରାନ ଓ କତାର ନିମନ୍ତ୍ରିତ ହୋଇଛନ୍ତି । ଗତ ମଙ୍ଗଳବାର ତାଲିବାନ କା‌ମଚଳା ସରକାର‌ ଘୋଷଣା କରିଛି । ୩୩ ଜଣଙ୍କୁ ନେଇ ଏହି ମନ୍ତ୍ରିମଣ୍ଡଳ ଗଠନ ହେବ । ତାଲିବାନ ମୁଖପାତ୍ର ଜବିଉଲ୍ଲା ମୁଜାହିଦ କହିଛନ୍ତି, ଆମେ ପଡ଼ୋଶୀ ରାଷ୍ଟ୍ରମାନଙ୍କ ସହ ଭଲ ସମ୍ପର୍କ ଚାହୁ । ଯୁଦ୍ଧ ଶେଷ ହୋଇସାରିଛି। ଦେଶ ଏବେ ସଙ୍କଟମୁକ୍ତ । ତାଲିବାନ ପଡ଼ୋଶୀ ରାଷ୍ଟ୍ରଙ୍କଠାରୁ ସହଯୋଗ ଚାହେ ବୋଲି ସେ କହିଥିଲେ । କିନ୍ତୁ ଅନ୍ତର୍ଜାତୀୟ ସମୁଦାୟ ଏଯାବତ୍‌ ତାଲିବାନ ସରକାରକୁ ଗ୍ରହଣ କରିପାରିନାହାନ୍ତି ।

କେବଳ ପାକିସ୍ତାନ, ଚୀନ୍‌, ତାଜିକିସ୍ତାନ ଏବଂ ଉଜ୍‌ବେକିସ୍ତାନ କାମଚଳା ତାଲିବାନ ସରକାରକୁ ସ୍ବୀକୃତି ଦେଇଛନ୍ତି। ତାଲିବାନ କାମଚଳା ସରକାରରେ ମହମ୍ମଦ ହାସନ ଅଖୁନ୍ଦ ପ୍ରଧାନମନ୍ତ୍ରୀ ହୋଇଛନ୍ତି । ସିରାଜଉଦ୍ଦିନ ହକ୍କାନୀ ଆଭ୍ୟନ୍ତରୀଣ ମନ୍ତ୍ରୀ ହୋଇଛନ୍ତି । ହକ୍କାନୀ ଆମେରିକା ଏଫ୍‌ବିଆଇର ମୋଷ୍ଟ୍‌ ୱା‌ଣ୍ଟେଡ୍‌ ତାଲିକାରେ ଅଛନ୍ତି । ତାଙ୍କ ମୁଣ୍ଡରେ ୭୩ କୋଟି ଟଙ୍କାର ପୁରସ୍କାର ରାଶି ଘୋଷଣା ହୋଇଛି। ତେବେ ତାଲିବାନ ସରକାରରେ ଅନେକ ଆତଙ୍କବାଦୀ ସାମିଲ ହୋଇଥିବାରୁ ଆମେରିକା ଚିନ୍ତା ପ୍ରକଟ କରିଛି। ଉଲ୍ଲେଖଯୋଗ୍ୟ ଯେ, ତାଲିବାନ ଏହାର କାମଚଳା ସରକାର ପାଇଁ ୩୩ ଜଣଙ୍କ ନାମ ଘୋଷଣା କରିଛି। ଏଥିରେ ୧୪ ଜଣ ଆତଙ୍କବାଦୀ ଅଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe