ପୁଣି ଘୁଞ୍ଚିଲା ଆଫଗାନରେ ସରକାର ଗଠନ । ଆସନ୍ତା ସପ୍ତାହରେ ଗଢ଼ା ହୋଇପାରେ ସରକାର ।

79

କନକ ବ୍ୟୁରୋ: ଆମେରିକାର ସୈନ୍ୟ ଅପସାରଣ ପରେ ସହଜରେ ତାଲିବାନ ଆଫଗାନିସ୍ତାନ ଦଖଲ କରିନେଇଛି । ହେଲେ ସରକାର ଗଠନ କରିବା ଏତେ ସହଜ ହେଉ ନାହିଁ ଆଉ ଏଥିପାଇଁ ବାରମ୍ବାର ସରକାର ଗଠନର ତାରିଖ ବଦଳାଇ ଚାଲିଛି ତାଲିବାନ । ଶନିବାର ଆଫଗାନିସ୍ତାନରେ ସରକାର ଗଠନ ହେବ ବୋଲି ପୂର୍ବରୁ ତାଲିବାନ କହିଥିବା ବେଳେ ଶେଷ ମୂହୂର୍ତ୍ତରେ ଏହାକୁ ଆର ସପ୍ତାହକୁ ଘୁଞ୍ଚାଇ ଦିଆଯାଇଛି । ତାଲିବାନ ମୁଖପାତ୍ର ଜବିଉଲ୍ଲା ମୁଜାହିଦ କହିଛନ୍ତି ଯେ, ଏବେ ସରକାର ଗଠନ ନିଷ୍ପତ୍ତିକୁ ଘୁଞ୍ଚାଇ ଦିଆଯାଇଛି ଓ ଆସନ୍ତା ସପ୍ତାହରେ ଏହି ନିଷ୍ପତ୍ତି ନିଆଯିବ ।

ତେବେ ବାରମ୍ବାର କାହିଁକି ସରକାର ଗଠନ ସମୟ ଘୁଞ୍ଚ।।ଇ ଚାଲିଛି ତାଲିବାନ ? ଆଭ୍ୟନ୍ତରୀଣ କନ୍ଦଳ ଏହାର ଏକ କାରଣ ହୋଇପାରେ ବୋଲି ତାଲିବାନ ଉପରେ ନଜର ରଖୁଥିବା କିଛି ବିଶେଷଜ୍ଞ କହିଛନ୍ତି । ତାଲିବାନ ଅଧୀନରେ ହକ୍କାନି ନେଟୱର୍କ ପରି ବିଭିନ୍ନ ସଂଗଠନ ଏକାଠି ହୋଇଛନ୍ତି । ହେଲେ ସରକାର ଗଠନ ବେଳେ ଏହି ସବୁ ସଂଗଠନ ନିଜର ପ୍ରତିନିଧିତ୍ୱ ଚାହୁଁଛନ୍ତି । ସେପଟେ ଗୁଲବୁଦ୍ଦିନ ହେକମାତାୟାରଙ୍କ ପରି ପୂର୍ବ ୱାଲର୍ଡ ମାନେ ମଧ୍ୟ ସରକାରରେ ପ୍ରମୁଖ ପଦବୀ ପାଇଁ ଲବି କରୁଛନ୍ତି । ଏପଟେ ପାକିସ୍ତାନ ମଧ୍ୟ ନିଜର କାର୍ଡ଼ ଖେଳୁଛି । ତେବେ ଏକଥା ଏକପ୍ରକାର ନିଶ୍ଚିତ ହୋଇଯାଇଛି ମୁଲ୍ଲା ବରଦାର ସରକାରର ମୁଖ୍ୟ ହେବେ । ଅନ୍ତର୍ଜାତୀୟ ଫୋରମରେ ତାଲିବାନର ପକ୍ଷ ରଖିଥିବା ବରାଦର କେମିତି ସବୁ ଗୋଷ୍ଠୀଙ୍କୁ ଏକାଠି କରି ସରକାର ଗଢ଼ିବେ ଓ ଚଳାଇବେ, ତା’ ଉପରେ ଅନ୍ତର୍ଜତୀୟ ସମୁଦାୟର ନଜର ଅଟକିଛି ।