ଭାରତୀୟ ଦୂତାବାସରେ ପଶିଲେ ତାଲିବାନୀ , ହେରାତ ଓ କାନ୍ଦାହାରରେ ପଶି କାଗଜପତ୍ର ସହ ଗାଡି ଲୁଟ

279

କନକ ବ୍ୟୁରୋ : ଆଫଗାନିସ୍ତାନ ଦଖଲ କରିବା ପରେ ଏବେ ତାଲିବାନ ତା’ର ଅସଲ ରୂପ ଦେଖାଇବାରେ ଲାଗିଛି । ଅନ୍ତର୍ଜାତୀୟ ଗଣମାଧ୍ୟମର ରିପୋର୍ଟ ମୁତାବକ ତାଲିବାନ ଯୋଦ୍ଧାମାନେ କାନ୍ଦାହାର ଓ ହେରାତରେ ବନ୍ଦ ପଡିଥିବା ଭାରତୀୟ ଦୂତାବାସର ତାଲା ଭାଙ୍ଗି ଭିତରକୁ ପଶିଥିଲେ । ସେଠାରେ ସେମାନେ ଦପ୍ତରରେ ଥିବା କାଗଜ ପତ୍ର ଯାଂଚ କରିବା ସହ କିଛି କାଗଜପତ୍ର ଧରି ବାହାରକୁ ଆସିଥିଲେ । ଦପ୍ତର ଆଗରେ ଥିବା କିଛି କାରକୁ ବି ସେମାନେ ନେଇଯାଇଥିବା ଜଣାପଡିଛି । ଏହାକୁ ନେଇ ଭାରତୀୟ ଅଧିକାରୀ କହିଛନ୍ତି କି ତାଲିବାନ ଯେଉଁ ପ୍ରତିଜ୍ଞା କରିଥିଲା ଏବେ ତାହାର ବିପରିତ ଦିଗରେ କାମ କରୁଛି । ସେ ବିଶ୍ୱର କୌଣସି କ୍ଷତି କରିବ ନାହିଁ ବୋଲି ଆଶ୍ୱସନା ଦେଇ ଏବେ ଭାରତୀୟ ଦୂତାବାସରେ ପଶି ଗାଡି ନେଇଯିବା ଘଟଣା ଭାରତକୁ ବ୍ୟଥିତ କରିଛି ।
ଅନ୍ୟପଟେ ହକ୍କାନୀ ନେଟୱର୍କ କେଡର ବହୁ ସଂଖ୍ୟାରେ କାବୁଲରେ ଥାଇ ପୁରା ଅପରେଶନକୁ ନିୟନ୍ତ୍ରିତ କରିବାରେ ଲାଗିଛି । ସ୍ୱର୍ଗତଃ ମୁଲ୍ଲା ଓମରଙ୍କ ପୁଅ ଓ ତାଲିବାନ ସୈନ୍ୟ ଆୟୋଗର ପ୍ରମୁଖ ମୁଲ୍ଲା ୟାକୁବ ନେତୃତ୍ୱରେ ତାଲିବାନୀମାନେ ପସ୍ତୁନୋଙ୍କ ପାରମ୍ପାରିକ ଆସନ କାନ୍ଦାହାରରୁ କ୍ଷମତା ହାସଲ କରି ସରକାର ଗଠନ କରିବାକୁ ଚେଷ୍ଟା କରୁଛି ।

ସେପଟେ ତାଲିବାନର ବରିଷ୍ଠ ନେତା ମହମ୍ମଦ ଆବାସ ଭାରତୀୟ ପକ୍ଷଙ୍କ ନିକଟରେ ପହଂଚି ଦୂତାବାସ ବନ୍ଦ ନକରିବାକୁ ଅନୁରୋଧ କରିଥିଲା । ତାଲିବାନୀ ମାନଙ୍କ ପକ୍ଷରୁ ଭାରତୀୟଙ୍କ ଉପରେ କୌଣସି ବିପଦ ନଥିବା କଥା ସେ କହିଥିଲେ । ହେଲେ ଗୁରୁବାର ଦିନ ତାଲିବାନୀମାନେ ଆଫଗାନିସ୍ତାନ ଓ ଭାରତ ମଧ୍ୟରେ ବାଣିଜ୍ୟିକ ସଂପର୍କ ଛିନ୍ନ କରିବା ପରେ ତାଲିବାନୀ ମାନଙ୍କ ଆଶ୍ୱାସନା ପାଣିର ଗାର ଭଳି ଲିଭି ଯାଇଛି ।