ଆସନ୍ତାକାଲି ଶପଥ ନେବ ତାଲିବାନ ସରକାର । ଏବେଠୁ ଚେତାଇ ଦେଲାଣି ଜାତିସଂଘ ।

571

କନକ ବ୍ୟୁରୋ : ଆଫଗାନିସ୍ତାନରେ ଆସନ୍ତକାଲି ଶପଥ ନେବ ତାଲିବାନ ସରକାର । ତେବେ ତାଲିବାନ ଚଳାଇଥିବା ଆତଙ୍କରାଜକୁ ନେଇ ଅନ୍ତର୍ଜାତୀୟ ସମୁଦାୟରେ ଚିନ୍ତା ପ୍ରକାଶ ପାଇଲାଣି । ମହିଳାଙ୍କ ଅଧିକାର ସଙ୍କୁଚିତ କରିବା ଓ ଶାନ୍ତିପୂର୍ଣ୍ଣ ରାଲିକୁ କଠୋର ଭାବେ ଦମନ କରିବା ନେଇ ଜାତିସଂଘର ମାନବାଧିକାର କାର୍ଯ୍ୟାଳୟ ପକ୍ଷରୁ ଚିନ୍ତା ପ୍ରକଟ କରାଯାଇଛି । ଏହାସହ ଆଫଗାନିସ୍ତାନରେ ଗରିବୀ ଆହୁରି ବଢ଼ିବା ନେଇ ଜାତିସଂଘ ଚେତାଇ ଦେଇଛି ।

ଶନିବାର ଆଫଗାନିସ୍ତାନରେ ତାଲିବାନ ସରକାର ଶପଥ ଗ୍ରହଣ କରିବାକୁ ଥିବା ବେଳେ ଆଫଗାନିସ୍ତାନରେ ସ୍ଥିତି ନେଇ ଚିନ୍ତା ପ୍ରକଟ କରିଛି ଜାତିସଂଘ । ଆଫଗାନିସ୍ତାନରେ ତାଲିବାନ ସରକାର ବିରୋଧରେ ବିଭିନ୍ନ ସହରରେ ବିକ୍ଷୋଭ ଦେଖାଦେଇଥିବା ବେଳେ ଏହାକୁ କଠୋର ଭାବେ ଦମନ କରୁଛି ତାଲିବାନ । ଏପରିକି ଏକ ରାଲି ବେଳେ ତାଲିବାନୀମାନେ ଗୁଳିଚାଳନା କରିଥିଲେ । ଏଥିରେ ୪ ଜଣ ବିକ୍ଷୋଭକାରୀଙ୍କ ମୃତ୍ୟୁ ଘଟିଥିଲା । ସହିପରି ଏକ ବିରୋଧୀ ରାଲିରେ ରିପୋର୍ଟିଂ ନେଇ ସାମ୍ବାଦିକଙ୍କୁ ଅଟକ ରଖି ନିର୍ଯାତନା ଦିଆଯିବାର ଖବର ମଧ୍ୟ ସାମ୍ନାକୁ ଆସିଛି । ମହିଳାଙ୍କ ଅଧିକାର ମଧ୍ୟ ସଙ୍କୁଚିତ କରିବା ଭଳି ବିଭିନ୍ନ ପଦକ୍ଷେପ ଗ୍ରହଣ କଲାଣି ତାଲିବାନ । ଏସବୁକୁ ନେଇ ଜେନିଭା ସ୍ଥିତି ଜାତିସଂଘର ମାନବିକ ଅଧିକାର କାର୍ଯ୍ୟାଳୟ ପକ୍ଷରୁ ଚିନ୍ତା ପ୍ରକଟ କରାଯାଇଛି ।

ଏହାସହ ଆଫଗାନିସ୍ତାନରେ ଗରିବି ଆହୁରି ବଢ଼ିବା ନେଇ ଆଶଙ୍କା ପ୍ରକାଶ କରିଛି ଜାତିସଂଘ । ଦେଶର ଆର୍ଥିକ ଅବସ୍ଥା ସୁଧାରିବା ପାଇଁ ଯଦି ତୁରନ୍ତ ଉଦ୍ୟମ ନହୁଏ, ତାହେଲେ ଆସନ୍ତାବର୍ଷ ମଝିବେଳକୁ ଆଫଗାନିସ୍ତାନରେ ଉକ୍ରଟ ଗରିବୀ ଦେଖାଦେଇପାରେ ଚେତାଇ ଦେଇଛି । ଆର୍ଥିକ ଭାବେ ଆଫଗାନିସ୍ତାନ ଏତେଟା ସ୍ୱଛଳ ନୁହେଁ । ଆଉ ଅଶାନ୍ତି ପରିସ୍ଥିତି ଆଗକୁ ଏପରି ରହିଲେ ଦେଶର ଅଧିକାଂଶ ଲୋକ ନିଜର ଜୀବନଧାରଣ ପାଇଁ ଆବଶ୍ୟକ ସମ୍ବଳ ଯୋଗାଡ଼ରେ କଷ୍ଟ ସହିବେ । ଆଫଗାନିସ୍ତାନରେ କିଛି ବର୍ଷ ଧରି ଆର୍ଥିକ ସ୍ଥିତିରେ ସୁଧାର ଦେଖାଦେଇଥିବା ବେଳେ ତାଲିବାନର କବଜାକୁ ଏହି ପ୍ରକ୍ରିୟାକୁ ବାଧା ପହଂଚାଇବ ବୋଲି ଆଶଙ୍କା ପ୍ରକାଶ ପାଇଛି ।

ତାଲିବାନ ସରକାରରେ ଜଣେ ହେଲେ ବି ମହିଳାଙ୍କୁ ସ୍ଥାନ ମିଳି ନଥିବା ବେଳେ ଏହାର ଜଣେ ମୁଖପାତ୍ରଙ୍କ ବୟାନକୁ ସବୁଆଡ଼ୁ ସମାଲୋଚନା କରାଯାଉଛି । ସମ୍ପୃକ୍ତ ମୁଖପାତ୍ର ଜଣକ ଏକ ଭିଡିଓରେ କହୁଛନ୍ତି ଯେ, ମହିଳାମାନେ ମନ୍ତ୍ରୀ ହୋଇପାରିବେ ନାହିଁ, କାରଣ ସେମାନେ ଏଥିପାଇଁ ଯୋଗ୍ୟ ନୁହଁନ୍ତି, ବରଂ ମହିଳା ମାନେ କେବଳ ସନ୍ତାନ ଜନ୍ମ ଦେବାକୁ ଯୋଗ୍ୟ ବୋଲି ତାଲିବାନୀ ମୁଖପାତ୍ର କହିଛନ୍ତି । ଏପରି ଅଯଥାର୍ଥ ଓ ଘୃଣ୍ୟ ମନ୍ତବ୍ୟକୁ ବିଭିନ୍ନ ସ୍ତରରୁ ସମାଲୋଚନା କରାଯାଉଛି । ତାଲିବାନ ଶପଥଗ୍ରହଣରେ ଚୀନ୍ ଓ ପାକିସ୍ତାନର ପ୍ରତିନିଧି ସାମିଲ ହେବାକୁ ଯାଉଛନ୍ତି । ସେହିପରି କାତାର ଓ ତାଜାକିସ୍ତାନର ପ୍ରତିନିଧି ସାମିଲ ହେବାର ମଧ୍ୟ ସମ୍ଭାବନା ରହିଛି । ତେବେ ନିମନ୍ତ୍ରଣ ସତ୍ୱେ ରୁଷ୍ ପ୍ରତିନିଧି ସାମିଲ ହେବେ ନାହିଁ ବୋଲି ଖବର ପ୍ରକାଶ ପାଇଛି ।