ଆଫଗାନିସ୍ତାନ ସେନାଙ୍କ ଘରେ ପଶି ହତ୍ୟା କରୁଛି ତାଲିବାନ, ଚମକି ଉଠିଲେ ବ୍ରିଟିସ କମାଣ୍ଡର

281

କନକ ବ୍ୟୁରୋ : ଆଫଗାନିସ୍ତାନକୁ ତାଲିବାନୀମାନେ ଦଖଲ କରିବା ପରେ ପ୍ରତିଜ୍ଞା କରିଥିଲେ ଯେ, ଆମେରିକା କିମ୍ବା ବ୍ରିଟିସ ସେନା ପାଇଁ କାମ କରିଥିବା କୌଣସି ଆଫଗାନିସ୍ତାନ ସୈନ୍ୟଙ୍କ ଉପରେ ଆକ୍ରମଣ କରିବ ନାହିଁ । ଏହାସହ ଦେଶ କିମ୍ବା ଦେଶର ନାଗରିକଙ୍କ ବିରୋଧରେ କୌଣସି ପଦକ୍ଷେପ ନନେବାକୁ ପ୍ରତିଶୃତି ଦେଇଥିଲା ତାଲିବାନ ଏବେ କଥା ରଖିବାରେ ବିଫଳ ହୋଇଛି  । ଏବେ କିଛିଦିନ ହେବ ତାଲିବାନୀ ଆତଙ୍କବାଦୀମାନେ ଆଫଗାନିସ୍ତାନର ସାଧାରଣ ଲୋକଙ୍କୁ ବର୍ବର ଭାବେ ହତ୍ୟା କରିବା ସହ ଆଫଗାନସେନାର କର୍ମଚାରୀଙ୍କ ଘରେ ପଶି ହତ୍ୟା କରୁଥିବା ଭଳି ଘଟଣା ସମସ୍ତଙ୍କୁ ଚକିତ କରିଛି ।

ଏବେ ଏବେ ତାଲିବାନ ଆତଙ୍କବାଦୀମାନେ ଆଫଗାନିସ୍ତାନର ଜଣେ ସ୍ନାଇପର ନୁରଙ୍କୁ ହତ୍ୟା କରିଛି । ଏହି ଆଫଗାନିସ୍ତାନ ସୁଟର ବ୍ରିଟେନର ସ୍ପେଶାଲ ଫୋର୍ସରେ ଦେଖାରଖା କାମ କରୁଥିଲେ । ଏହି ବ୍ୟକ୍ତିଙ୍କୁ ତାଙ୍କ ପରିବାର ଲୋକଙ୍କ ସାମ୍ନାରେ ବର୍ବର ଭାବେ ହତ୍ୟା କରିଛି ତାଲିବାନ । ହତ୍ୟାର ଶିକାର ହୋଇଥିବା ବ୍ୟକ୍ତି ଜଣଙ୍କ ବ୍ରିଟିସ ଦ୍ୱାରା ପ୍ରଶିକ୍ଷିତ ଆଫଗାନିସ୍ତାନ ୟୁନିଟ ସିଏଫ-୩୩୩ ର ଜଣେ ଅଂଶିଦାର ଥିଲେ ।

‘ଡେଲି ମେଲ’ ର ରିପୋର୍ଟ ମୁତାବକ ତାଲିବାନୀମାନେ ନୁରଙ୍କ ଛାତିକୁ ୩ ଟି ଗୁଳି କରିଥିଲେ । କହିରଖୁ କି ଭାଗ୍ୟ ବସତଃ ଅଗଷ୍ଟ ୧୫ ତାରିଖରେ ନୁରଙ୍କ ୟୁନିଟ୍ ସହିତ ଜଡିତ କିଛି କର୍ମଚାରୀ ଦେଶଛାଡି ପଳାଇ ଯାଇଛନ୍ତି । ଏଭଳି ହତ୍ୟା ପରେ ବ୍ରିଟିସ ମିଲିଟାରୀ ସେନା ବି ଶୋକ ପ୍ରକାଶ କରିବା ସହ ରାଗରେ କମ୍ପି ଉଠିଛି । ଏସଏଏସ ର ସ୍ପେଶାଲିଷ୍ଟ ଅପରେଶନ କମାଣ୍ଡର ଓ କର୍ଣ୍ଣେଲ ଆଲେକଜାଣ୍ଡାର କୁପର ଟ୍ୱିଟ କରି କହିଛନ୍ତି କି ନୁରଙ୍କୁ ତାଲିବାନୀମାନେ ହତ୍ୟା କରିଛନ୍ତି । ସେ ତାଲିବାନୀଙ୍କୁ ନୂରଙ୍କର କ’ଣ ଦୋଷ ଥିଲା ବୋଲି ପଚାରିଛନ୍ତି । ସେ ଲେଖିଛନ୍ତି କି ନୂର ବର୍ଷ ବର୍ଷ ଧରି ନିସ୍ୱାର୍ଥପର ଭାବେ ଦେଶର ସେବା କରୁଥିଲେ ଓ ସେ ବ୍ରିଟିସ ୟୁନିଟ୍ସର ପରାମର୍ଶଦାତା ବି ଥିଲେ ।

ଆଲେକଜାଣ୍ଡର ଆହୁରି ଲେଖିଛନ୍ତି କି, “ଇଏ ହେଉଛି ନୂଆ ତାଲିବାନୀଙ୍କ ପ୍ରକୃତ ରୂପ, ଏକତ୍ରିତ ହେବା, ନିଜର ସଂସ୍କୃତିର ବିବିଧତାକୁ ପାଳନ କରିବା, କ୍ଷମାଦାନ କରିବା ତାଲିବାନୀଙ୍କ ପାଇଁ ମଜାକ୍ ପାଲଟିଛି । ତାଲିବାନ-୨ର ମିଥ୍ୟା ପ୍ରତିଶୃତି ଉପରେ କିଛି ଲୋକ ଭାଶି ଯାଉଛନ୍ତି । ମୋତେ ଲାଗୁଛି କି ଏବେ ଆଫଗାନବାସୀ ଜାଗୃତ ହେବାର ସମୟ ଆସିଛି ”