ଏବେ ଆତଙ୍କବାଦୀଙ୍କ ଦୟାରେ ଆଫଗାନବାସୀ, ପୂର୍ବତନ ରାଷ୍ଟ୍ରପତିଙ୍କ ସହ ଅବ୍ଦୁଲ୍ଲା ଅବ୍ଦୁଲ୍ଲାଙ୍କୁ ନଜରବନ୍ଦୀ କଲେ ତାଲିବାନ ଆତଙ୍କବାଦୀ

208

କନକ ବ୍ୟୁରୋ : ଆଫଗାନିସ୍ତାନରେ ତାଲିବାନୀମାନଙ୍କ ଶାସନ ଆରମ୍ଭ ହେବା ପରେ ସେଠାରେ ଏବେ ଆଫଗାନବାସୀ ତାଲିବାନୀଙ୍କ ଦୟାରେ ବଞ୍ଚୁଥିବା ନଜର ଆସିଛି । କିଛିଦିନ ହେବ ତାଲିବାନୀ ଆତଙ୍କବାଦୀମାନେ ଯେଉଁ ଆଫଗାନ ନେତାଙ୍କ ସହ ଆଲୋଚନାର ବାହାନା କରୁଥିଲେ ଏବେ ସେହିନେତାମାନଙ୍କୁ ତାଲିବାନୀ ଏବେ ନଜରବନ୍ଦୀ କରିଛନ୍ତି । ଅନ୍ତର୍ଜାତୀୟ ଗଣମାଧ୍ୟମର ରିପୋର୍ଟ ମୁତାବକ ତାଲିବାନ ଆଫଗାନର ପୂର୍ବତନ ରାଷ୍ଟ୍ରପତି ହମିଦ କରାଜଇ ଓ ବିରୋଧୀଦଳର ପୂର୍ବତନ ମୁଖ୍ୟ ଅବ୍ଦୁଲ୍ଲା ଅବ୍ଦୁଲ୍ଲାଙ୍କ ସମସ୍ତ ସୁରକ୍ଷା ହଟାଇ ନେବାସହ ସେମାନଙ୍କୁ ଘର ଭିତରେ ନଜରବନ୍ଦୀ କରି ରଖିଛନ୍ତି ।

ଆଫଗାନିସ୍ତାନରେ ତାଲିବାନ ଓ ଆଫଗାନ ସରକାରଙ୍କ ମଧ୍ୟରେ କଥାବାର୍ତ୍ତା କରାଇବାରେ ମୁଖ୍ୟ ଭୂମିକା ନିଭାଉଥିବା ରାଷ୍ଟ୍ରୀୟ ସୁରକ୍ଷା ପରିଷଦର ଜଣେ ଅଧିକାରୀ କହିଛନ୍ତି କି, ତାଲିବାନ ଆତଙ୍କବାଦୀମାନେ କରଜାଇଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ସମସ୍ତ ଯବାନଙ୍କୁ ହଟାଇ ନେବା ସହ ସେମାନଙ୍କ ପାଖରେ ଥିବା ଅସ୍ତ୍ରଶସ୍ତ୍ର ଓ ଗାଡି ନେଇଯାଇଛନ୍ତି । ଏହାପରେ କାରଜାଇ ଓ ଅବ୍ଦୁଲ୍ଲା ଅବ୍ଦୁଲ୍ଲାଙ୍କୁ ଗାଡିରୁ ଉହ୍ଲାଇ ନେଇ ଏକ ଘର ଭିତରେ ନଜରବନ୍ଦୀ କରି ରଖିଛନ୍ତି ।

କହିରଖୁ କି ତାଲିବାନୀମାନେ ଆଫଗାନ ଦଖଲ କରିବା ପରେ ସେଠାରେ ପୁରା ତାଲିବାନୀ ଶାସନ ଆରମ୍ଭ କରିଦେଇଛନ୍ତି । ମହିଳାମାନଙ୍କ ମୌଳିକ ଅଧିକାର ଛଡାଇ ନେବା ସହ ସେମାନଙ୍କ ଉପରେ ଅକଥନୀୟ ଅତ୍ୟାଚାର ଚଳାଇଛନ୍ତି । ଅନ୍ୟପଟେ ତାଲିବାନୀ ମାନଙ୍କ ଡରରେ ଆଫଗାନର ଦୋକାନ ବଜାର ଓ ବ୍ୟାଙ୍କ ବନ୍ଦ ରହିବା ଫଳରେ ସେଠାରେ ପାନୀୟ ଜଳ ଠାରୁ ଆରମ୍ଭ କରି ଖାଦ୍ୟ ସାମଗ୍ରୀ ପର୍ଯ୍ୟନ୍ତ ଅତ୍ୟାଧିକ ମହଙ୍ଗା ହୋଇଛି ।