ଭାରତ ଆଡକୁ ଢଳୁଛି ତାଲିବାନ୍ । ଦେଶରେ ସ୍ଥିରତା ପାଇଁ ଭାରତର ଅବଦାନକୁ ନେଇ ଆଶାବାଦୀ ।

517

କନକ ବ୍ୟୁରୋ: ଅଶ୍ରଫ ଘନିଙ୍କ ସରକାରଙ୍କ ପତନ ପରେ ଦେଶକୁ ବିକଶିତ କରିବାକୁ କହୁଥିବା ତାଲିବାନ ଏବେ ନିରାଶ ହୋଇପଡିଛି । ଏପରି ସ୍ଥିତିରେ ଆଫଗାନିସ୍ତାନରେ ସ୍ଥିତି ବଦଳାଇବା ନେଇ ଭାରତ ଠାରୁ ଆଶା ରଖିଛି ତାଲିବାନ ସରକାର । ଗତ ୪ ମାସ ଧରି ଆଫଗାନିସ୍ତାନରେ କୌଣସି ସୁଧାର ଆସିନଥିବାବେଳେ ଭାରତ ସରକାରଙ୍କ ଆଡକୁ ତାଲିବାନ ଢଳୁଥିବା ଆଲୋଚନା ହେଉଛି ।ଦେଶର ସ୍ଥିତିରେ ପରିବର୍ତ୍ତନ ପାଇଁ ଭାରତର ଭୂମିକା ପ୍ରତି ତାଲିବାନ୍ ବେଶ ଆଶାବାଦୀ ହୋଇପଡିଛି ।

ବର୍ତ୍ତମାନ ସମୟରେ ତାଲିବାନ ପାଇଁ ସବୁଠୁ ବଡ ଚ୍ୟାଲେଂଜ ହେଉଛି ଆନ୍ତର୍ଜାତିକ ସମୁଦାୟର ସ୍ୱୀକୃତି । ସ୍ୱୀକୃତି ମିଳୁନଥିବାରୁ କୌଣସି ଅନ୍ତର୍ଜାତୀୟ ଆର୍ଥିକ ସଂସ୍ଥାରୁ ମଧ୍ୟ କୌଣସି ସହାୟତା ମିଳିପାରୁନାହିଁ । ଫଳରେ ଦେଶରେ ଦାରିଦ୍ର୍ୟ ସହ ଉକ୍ରଟ ଖାଦ୍ୟାଭାବ ଦେଖାଦେଇଛି । ହେଲେ ଏଭଳି ପ୍ରତିକୂଳ ସ୍ଥିତିରେ ମଧ୍ୟ ଆଫଗାନିସ୍ତାନକୁ ଢାଲ କରି ନିଜ ସ୍ୱାର୍ଥ ସାଧନ କରିବାକୁ ଚାହୁଁଛନ୍ତି ଚୀନ୍ ଓ ପାକିସ୍ତାନ । ଯାହାକୁ ନେଇ ଅନେକ ଆଲୋଚନା ପର୍ଯ୍ୟାଲୋଚନା ମଧ୍ୟ ହୋଇଛି । ପାକିସ୍ତାନ ଆତଙ୍କବାଦକୁ ଆଧାର କରି ଭାରତକୁ ନାଲିଆଖି ଦେଖାଇବାକୁ ଚାହୁଁଥିବାବେଳେ ଚୀନ ଏହାର ଖଣି ଉପରେ ନଜର ପକାଇଛି । ହେଲେ ଏହାର ସମ୍ପୂର୍ଣ୍ଣ ବିପରିତ ଭାରତ । ପୂର୍ବରୁ ଆଫଗାନିସ୍ତାନରେ ଅନେକ ବିକାଶ ମୂଳକ ପ୍ରକଳ୍ପରେ ଭାରତ ଅର୍ଥନିବେଶ କରିଆସିଛି । ଏଠାରେ ଚାଲୁଥିବା ଆତଙ୍କବାଦକୁ ଘୋର ବିରୋଧ କରୁଥିଲେ ବି ଏଠାରେ ଥିବା ଆଫଗାନିସ୍ତାନୀଙ୍କ ପ୍ରତି ଭାରତ କିନ୍ତୁ ବେଶ ସହୃଦୟ । ତେଣୁ ଏବେ ନିଜର ସ୍ଥିତି ସୁଧାରିବା ସହ ସ୍ୱୀକୃତି ପାଇବାକୁ ତାଲିବାନ ଆଡକୁ ଭାରତ ଢଳୁଥିବା ମନେହୁଏ । ନିକଟରେ ଅନ୍ତର୍ଜାତୀୟ ପ୍ରସଙ୍ଗକୁ ନେଇ ଦୁଇଟି ସମ୍ମିଳନୀ ହୋଇଥିଲା । ଗତ ବୁଧବାର ଦିଲ୍ଲୀ ଠାରେ ଭାରତ ନେତୃତ୍ୱରେ ଜାତୀୟ ସୁରକ୍ଷା ବୈଠକ (ଏନଏସଏ) ହୋଇଥିଲା । ଏଥିରେ ଋଷ ଓ ଇରାନ ସମେତ କିର୍ଗିଜସ୍ଥାନ, ଉଜବେକିସ୍ତାନ, ତୁର୍କିସ୍ତାନ ପରି ୫ଟି ଦେଶ ଯୋଗ ଦେଇଥିବାବେଳେ ଏଥିରେ ଆଫଗାନିସ୍ତାନରେ ସାମାଜିକ ଓ ଆର୍ଥିକ ପରିବର୍ତ୍ତନ ଆଣିବାକୁ ଆଲୋଚନା ହୋଇଥିଲା । ଏଥିରେ ପାକିସ୍ତାନ ଓ ଚୀନକୁ ନିମନ୍ତ୍ରଣ ଥିଲେ ମଧ୍ୟ ବିଭିନ୍ନ ଆଳ ଦେଖାଇ ଏହି ଦୁଇ ରାଷ୍ଟ୍ର ଆସିନଥିଲେ ।

ହେଲେ ଗୁରୁବାର ଇସ୍ଲାମାବାଦରେ ଅନୁଷ୍ଠିତ ‘ ଟ୍ରାଏକା’ ବୈଠକରେ ଅମେରିକା ସମେତ ଚୀନ ,ଋଷ ,ଆଫଗାନିସ୍ତାନ ଓ ପାକିସ୍ତାନ ଯୋଗଦେଇଥିଲେ । ହେଲେ ଏହି ବୈଠକ ନେଇ ତାଲିବାନ ନୀରବ ରହିଥିବାବେଳେ ଏନଏସଏ ସମ୍ମିଳନୀକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ତାଲିବାନ ସରକାରଙ୍କ ଉପସୂଚନା ମନ୍ତ୍ରୀ ଜବିହୁଲ୍ଲା ମୁଜାହିଦ୍ । ଏବେ ତାଲିବାନ୍ ସରକାରକୁ ଆଇଏସ୍ ଖୁରାସାନ୍ ସଙ୍ଗଠନ ସହ ଅନ୍ୟ ଆଞ୍ଚଳିକ ଗୋଷ୍ଠୀ ବିରୋଧ କରୁଥିବାରୁ ଏଠାରେ ହିଂସା ବଢିବାରେ ଲାଗିଛି । ଏହାସହ ହକ୍କାନୀ ଗ୍ରୁପକୁ ହାତକରି ତାଲିବାନ ଉପରେ ପ୍ରଭାବ ବିସ୍ତାର କରିବାକୁ ଚାର୍ହୁଛି ପାକିସ୍ତାନ । ଏସବୁ ବିଷୟରେ ଏନଏସଏ ବୈଠକରେ ଆଲୋଚନା ହୋଇଥିବାବେଳେ ଏହାକୁ ବୁଝିପାରିଛି ତାଲିବାନ ସରକାର । ତେଣୁ ଭାରତର ନେତୃତ୍ୱ ପ୍ରତି ଅଧିକ ଆଶାବାଦୀ ହୋଇପଡିଛି ତାଲିବାନ୍ ସରକାର ।