ଆମେରିକାର ଆଧୁନିକ ଅସ୍ତ୍ରରେ ବଳିୟାନ ହେଲା ତାଲିବାନ । ଆତଙ୍କୀ ହାତରେ ଏବେ ସାଢ଼େ ୬ ଲକ୍ଷ କୋଟି ଟଙ୍କାର ଅସ୍ତ୍ରଶସ୍ତ୍ର ।

310

କନକ ବ୍ୟୁରୋ: ୨୦ ବର୍ଷ ଧରି ତାଲିବାନ ସହ ଲଢ଼ିବା ପାଇଁ ଆଫଗାନ ସେନାକୁ ଶକ୍ତିଶାଳୀ କରିବା ସହ ଅସ୍ତ୍ରଶସ୍ତ୍ର ଯୋଗାଇ ଆସିଥିଲା ଆମେରିକା । ଆଫଗାନିସ୍ତାନରୁ ସୈନ୍ୟ ଅପସାରଣ ପରେ ଏହିସବୁ ଅସ୍ତ୍ରଶସ୍ତ୍ର ଏବେ ତାଲିବାନ କବଜାରେ ।  ଫଳରେ ସାଢେ ୩ ଲକ୍ଷ ସୈନ୍ୟ କ୍ଷମତା ଥିବା ଆଫଗାନିସ୍ଥ୍ାନକୁ ଆତ୍ମସମର୍ପଣ କରିବାକୁ ବାଧ୍ୟ କରିଥିବା ତାଲିବାନ ଆହୁରି ଶକ୍ତିଶାଳୀ ହୋଇଯାଇଛି ।

ଆମେରିକାର ଜଣେ ପ୍ରଶାସନିକ ଅଧିକାରୀଙ୍କ ସୂଚନା ମୁତାବକ ଏବେ ତାଲିବାନ ପାଖରେ  ଆମେରିକାର ୮୫ ବିଲିୟନ ଡଲାରର ଅସ୍ତ୍ରଶସ୍ତ୍ର ରହିଛି । ଭାରତୀୟ ମୁଦ୍ରାରେ ଏହାର ମୂଲ୍ୟ ପ୍ରାୟ ସାଢ଼େ ୬ ଲକ୍ଷ କୋଟି । ଅର୍ଥାତ୍ ଭାରତର ଚଳିତ ବର୍ଷର ପ୍ରତିରକ୍ଷା ବଜେଟର ପ୍ରାୟ ଦେଢ଼ ଗୁଣ । ନଜର ପକାନ୍ତୁ, କେତେ ବଢ଼ିଛି ତାଲିବାନର ଶକ୍ତି?

  • ଯୁଦ୍ଧରେ ବ୍ୟବହାର ହେଉଥିବା ୭୫ ହଜାରରୁ ଅଧିକ ଗାଡ଼ି
  • ୨୦୦ରୁ ଅଧିକ ଯୁଦ୍ଧ ବିମାନ ଓ ହେଲିକପ୍ଟର
  • ତାଲିବାନ ପାଖରେ ବ୍ଲାକହକ୍ ହେଲିକପ୍ଟର
  • ବିଶ୍ୱର ୮୫ ପ୍ରତିଶତ ଦେଶରେ ନାହିଁ ଏତିକି ହେଲିକଫ୍ଟର
  • ୬ ଲକ୍ଷରୁ ଅଧିକ ଛୋଟ ଏବଂ ହାଲୁକା ଅସ୍ତ୍ରଶସ୍ତ୍ର
  • ନାଇଟ ଭିଜନ ଚଷମା, ଅତ୍ୟାଧୁନିକ ବୁଲେଟ ପ୍ରୁଫ୍ ଜ୍ୟାକେଟ୍, ମେଡିକାଲ ସରଞ୍ଜାମ
  • ଅତ୍ୟାଧୁନିକ ବାୟୋମେଟ୍ରିକ ଡିଭାଇସ, ଯେଉଁଥିରେ ରହିଛି ଫିଙ୍ଗର ପ୍ରିଣ୍ଟ, ଆଖି ସ୍କାନିଂ ଭଳି ସୁବିଧା

ଏହି ସବୁ ଅସ୍ତ୍ରଶସ୍ତ୍ର ଏବଂ ସରଞ୍ଜାମ ୨୦ ବର୍ଷ ମଧ୍ୟରେ ତାଲିବାନ ଦମନ ପାଇଁ ଆଫଗାନିସ୍ତାନକୁ ଦେଇଥିଲା ଆମେରିକା । ଯାହା ଏବେ ସେହି ତାଲିବାନୀ ଆତଙ୍କୀ ସଙ୍ଗଠନ ହାତରେ ଲାଗି ଯାଇଛି । ତେବେ ଏଥିପାଇଁ ଆଫଗାନିସ୍ତାନର ଘାନି ସରକାରଙ୍କୁ ଦାୟୀ କରିଛି ଆମେରିକା । ଆଫଗାନିସ୍ତାନ ସରକାରଙ୍କ ଅବହେଳା କାରଣରୁ ତାଲିବାନ ଏଭଳି ଅସ୍ତ୍ରଶସ୍ତ୍ର କବଜା କରିବାରେ ସକ୍ଷମ ହୋଇପାରିଛି ବୋଲି ଆମେରିକା ପକ୍ଷରୁ କୁହାଯାଇଛି ।