କନକ ବ୍ୟୁରୋ : ପୁଣି ଘୁଂଚିଲା ତାଲିବାନର ସରକାର ଗଠନ । ଦୁଇ ତିନି ଦିନ ପରେ ସରକାର ଗଠନ ନେଇ ଘୋଷଣା କରାଯିବ । ସରକାର ଗଠନ ନେଇ ତାଲିବାନ ପକ୍ଷରୁ ବୈଠକ ହୋଇଥିଲା । ବୈଠକରେ ଦୁଇ ତିନି ଦିନ ପରେ ସରକାର ଗଠନ ନେଇ ଘୋଷଣା କରାଯିବ ବୋଲି ନିଷ୍ପତି ହୋଇଛି । ସେହି ଦିନ ସରକାରରେ ସାମିଲ ହେବାକୁ ଥିବା ଲୋକଙ୍କ ନାଁ ମଧ୍ୟ ଘୋଷଣା କରାଯିବ । ତାଲିବାନ ନେତାଙ୍କ ସୂଚନା ଅନୁସାରେ ଶାସନ ବ୍ୟବସ୍ଥା ପରିଚାଳନା କରିବା ପାଇଁ ଧାର୍ମିକ ପରିଷଦ ଗଠନ ହେବ । ସେପଟେ କାବୁଲ ଏୟାରପୋର୍ଟରେ ଗତକାଲି ଫାୟାରିଂ ହୋଇଛି । ପଞ୍ଜଶିର ଘାଟି କବ୍ଜା ଓ ସରକାର ଗଠନ ହେବା ପରେ ଖୁସିରେ ତାଲିବାନମାନେ ଫାଙ୍କା ଗୁଳି ଚାଳନା କରିଥିବା କୁହାଯାଉଛି । ଏହି ଗୁଳିମାଡରେ ୧୭ ଜଣଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି । ସେହିପରି ୪୧ ଜଣଙ୍କୁ ଆହତ ଅବସ୍ଥାରେ ହସ୍ପିଟାଲରେ ଭର୍ତି କରାଯାଇଛି ।
ସେହିପରି ପଞ୍ଜଶିର ଘାଟି କବ୍ଜା କରିଥିବା ନେଇ ଦାବି କରିଛି ତାଲିବାନ । ଜଣେ ତାଲିବାନ କମାଣ୍ଡର କହିଛନ୍ତି, ପୂରା ଆଫଗାନିସ୍ତାନ ଆମ କଂଟ୍ରୋଲରେ ରହିଛି । ଅସୁବିଧା ସୃଷ୍ଟି କରୁଥିବା ଲୋକଙ୍କୁ ଆମେ କରାସ୍ତ କରିଛୁ ଓ ପଂଜଶିର କବ୍ଜା କରିଛୁ । ବିରୋଧୀ ପରାଜିତ ହୋଇଛନ୍ତି ବୋଲି କହିଛନ୍ତି ତାଲିବାନ କମାଣ୍ଡର । କିନ୍ତୁ ତାଲିବାନର ଏପରି ଦାବିକୁ ଖାରଜ କରିଛନ୍ତି ପୂର୍ବତନ ଉପରାଷ୍ଟ୍ରପତି ଅମରୁଲ୍ଲା ସାଲେହ । ଏବେ ବି ଯୁଦ୍ଧ ଚାଲିଥିବା କହିଛନ୍ତି ଅମରୁଲ୍ଲା ସାଲେହ । ସେ ପଞ୍ଜଶିରରେ ଅଛନ୍ତି ଓ ଦେଶ ମାତୃକାର ମର୍ଯ୍ୟାଦା ରକ୍ଷା ପାଇଁ ପ୍ରତିରୋଧ ଜାରି ରଖିବେ ବୋଲି କହିଛନ୍ତି ।