ଆଫଗାନିସ୍ତାନର ନୂଆ ସରକାରରେ ମହିଳାଙ୍କୁ ମିଳିବ ନାହିଁ ପ୍ରତିନିଧିତ୍ୱ

86

କନକ ବ୍ୟୁରୋ : ଆଫଗାନିସ୍ତାନରେ ତାଲିବାନ ସରକାର ଗଠନ କରିବା ଚୁଡାନ୍ତ ହୋଇ ସାରିଛି । ସୁରା କାଉଁସିଲ ତାଲିବାନ ତରଫରୁ ଆଫଗାନିସ୍ତାନରେ ଶାସନ କରିବ । ସଂଗଠନ ସୂତ୍ରରୁ ମିଳିଥିବା ସୂଚନା ମୁତାବକ ଆଜି ସରକାର ଗଠନ କରିବା ନେଇ ନିଷ୍ପତ୍ତି ହୋଇଛି । ମନ୍ତ୍ରୀମଣ୍ଡଳରେ ତାଲିବାନର ଟପ୍ ଲିଡର୍ସ ସୁରା କାଉଁସିଲ ଓ ଅନ୍ୟ କ୍ଷେତ୍ରର ଲୋକଙ୍କୁ ସାମିଲ କରାଯିବ । ହେଲେ ତାଲିବାନୀ ନିୟମ ମୁତାବକ ସରକାରରେ କୌଣସି ମହିଳା ପ୍ରତିନିଧିଙ୍କୁ ସ୍ଥାନ ମିଳିବ ନାହିଁ । ମୁଲ୍ଲା ଅବ୍ଦୁଲ ଗନି ବରାଦର ରାଜନୈତିକ ଦପ୍ତରରେ ମୁଖ୍ୟ ରହିବେ । ମିଳିଥିବା ସୂଚନା ମୁତାବକ ନୂଆ ସରକାରରେ ୮୦ ପ୍ରତିଶତ ସଦସ୍ୟ ଦୋହା ଟିମରୁ ନିର୍ବାଚିତ ହେବେ ।

ତାଲିବାନର ଏକ ପ୍ରଭାବଶାଳୀ ଗୋଷ୍ଠୀ ହକ୍କାନି ନେଟଓ୍ବାର୍କର ଗୁରୁତ୍ବପୂର୍ଣ୍ଣ ଭାଗିଦାରୀ ରହିବ । ସେହିପରି ଆଫଗାନ ରାଜନୀତିଜ୍ଞ ତଥା ପୂର୍ବତନ ମୁଜାହିଦ୍ଦିନ କମାଣ୍ଡର ଗୁଲବୁଦ୍ଦିନ ହୁକମତୟାର ବି ସରକାରର ଅଂଶଗ୍ରହଣ କରିବେ । କିନ୍ତୁ ଏହି ସରକାରରେ ଆଫଗାନିସ୍ତାନର ପୂର୍ବତନ ରାଷ୍ଟ୍ରପତି ହାମିଦ କାର୍ଜାଇ ଓ ଉପରାଷ୍ଟ୍ରପତି ଅବଦୁଲ୍ଲା ଅବଦୁଲ୍ଲାଙ୍କୁ ସ୍ଥାନ ଦିଆଯିବ ନାହିଁ । ସେମାନଙ୍କୁ ଉପଦେଷ୍ଟା କରାଯିବାର ସମ୍ଭାବନା ରହିଛି ।

ତେବେ ଏହି ସରକାର ଏକ ଅନ୍ତରୀଣ ସରକାର ହେବ ଓ ଆଫଗାନିସ୍ତାନର ଏକ ନୂଆ ସମ୍ବିଧାନ ଗଠନ ହେବା ପରେ ଆସନ୍ତା ବର୍ଷ ସ୍ଥାୟୀ ସରକାର ଗଠନ କରାଯିବ ।