ଯେଉଁ ଆଲମିରା ସାମ୍ନାରେ ବସି ସାଲହେ ଜାରି କରିଥିଲେ ଭିଡିଓ ବାର୍ତ୍ତା, ସେଠି ପହଂଚିଲା ତାଲିବାନ

268

କନକ ବ୍ୟୁରୋ : ଗୋଟେପଟେ ତାଲିବାନ ପାଖରେ ଆତ୍ମସମର୍ପଣ କରିଛି ଆଫଗାନିସ୍ତାନ, ହେଲେ ପଞ୍ଜଶୀର ଦଖଲ କରିବାକୁ ତାଲିବାନ ଏବେ ନାକରେ ପାଣି ପିଉଛି । ପଞ୍ଜଶୀର ଘାଟିରେ ଏଏନଆରଏଫ୍ ତରଫରୁ ତାଲିବାନ ବିରୋଧରେ ପୁରା ଦମ୍ ଲଗାଇ ଦେଇଛି । ଏହି ସମୟରେ ଏକ ଫଟୋ ଭାଇରାଲ ହେଉଛି , ଯେଉଁ ଫଟୋକୁ ଦେଖିବାପରେ ଅନୁମାନ କରାଯାଉଛି କି ଖୁବଶୀଘ୍ର ପଞ୍ଜଶୀର ଘାଟି ବି ତାଲିବାନୀଙ୍କ ଦଖଲକୁ ଆସିଯିବ ।

ଭାଇରାଲ ହେଉଥବା ଫଟୋକୁ ନେଇ ଦାବି କରାଯାଇଛି କି ଯେଉଁ ଆଲମିରା ନିକଟରେ ଆଫଗାନିସ୍ତାନର ପୂର୍ବତନ ରାଷ୍ଟ୍ରପତି ବସି ଭିଡିଓ ବାର୍ତ୍ତା ଜାରି କରିଥିଲେ, ସେଠାରେ ତାଲିବାନୀ ଯୋଦ୍ଧାମାନେ ପହଂଚି ସାରିଛନ୍ତି । ସେପଟେ ତାଲିବାନ ତରଫରୁ ବାରମ୍ବାର ଦାବି କରାଯାଉଛି କି ସେମାନେ ପଞ୍ଜଶୀର ଦଖଲ କରିସାରିଛନ୍ତି । ହେଲେ ଅମରୁଲ୍ଲା ସାଲହେ ଓ ଅହମ୍ମଦ ମସୁଦ ବି ତାଲିବାନର ଏଭଳି ଦାବିକୁ ବାରମ୍ବାର ଖଣ୍ଡନ କରୁଛନ୍ତି ।

ଅନ୍ୟପଟେ କୁହାଯାଉଛି କି ଗୁରୁବାର ରାତିରେ ତାଲିବାନ ଓ ନର୍ଦନ ଆଲାୟନ୍ସ ମଧ୍ୟରେ ଘମାଘୋଟ ଲଢେଇ ହୋଇଛି । ଏହି ସଂଘର୍ଷରେ ଅମରୁଲ୍ଲା ସାଲେହଙ୍କ ବଡ ଭାଇର ମୃତ୍ୟୁ ହୋଇଛି । ତାଲିବାନୀ ଯୋଦ୍ଧାମାନେ ରୋହଲ୍ଲାହା ସାଲେହଙ୍କୁ ଅମାନବୀୟ ଭାବେ ନିର୍ଜାତନା ଦେବା ପରେ ତାଙ୍କୁ ହତ୍ୟା କରାଯାଇଥିବା କଥା କୁହାଯାଉଛି । ହେଲେ ଏନେଇ ଅମରୁଲ୍ଲା ସାଲହେଙ୍କ ତରଫରୁ କିଛି ପ୍ରତିକ୍ରିୟା ମିଳିପାରି ନାହିଁ ।

ସେପଟେ ପାକିସ୍ତାନ ଅମରୁଲ୍ଲା ସାଲହେଙ୍କୁ ହତ୍ୟା କରିବାକୁ ବାରମ୍ବାର ଷଡଯନ୍ତ୍ର କରୁଥିବା କୁହାଯାଉଛି । ସାଲହେଙ୍କ ମୃତ୍ୟୁ ହେବା ପରେ ଯାଇ ତାଲିବାନୀମାନେ ପଞ୍ଜଶୀର ଘାଟିକୁ ଦଖଲ କରିପାରିବେ ।