ଆଫଗାନିସ୍ତାନ ପଞ୍ଜସିରରେ ଘମାଘୋଟ ଲଢ଼େଇ : ତାଲିବାନ ସେନାକୁ କଡ଼ା ଟକ୍କର ଦେଉଛି ବିଦ୍ରୋହୀ ସେନା

ସେପଟେ ନର୍ଦ୍ଦନ ଆଲାଏନ୍ସ ବିରୋଧରେ ବିପୁଳ ଗୋଳାବାରୁଦ ମୃତୟନ କଲା ତାଲିବାନ

562

କନକ ବ୍ୟୁରୋ : ପଞ୍ଜସିରରେ ମୁହାଁମୁହିଁ ବିଦ୍ରୋହୀ ସେନା ଓ ତାଲିବାନ । ଅହମ୍ମଦ ଶାହ ମାସୁଦଙ୍କ ପୁଅ ଅହମ୍ମଦ ମାସୁଦଙ୍କ ନେତୃତ୍ୱରେ ନର୍ଦ୍ଦନ ଆଲାଏନ୍ସ ତାଲିବାନୀଙ୍କୁ କଡା ଟକ୍କର ଦେଉଛି । ସେପଟେ ନର୍ଦ୍ଦନ ଆଲାଏନ୍ସ ବିରୋଧରେ ବିପୁଳ ଗୋଳାବାରୁଦ ଠୁଳ କରିଛି ତାଲିବାନ । ତାଜିକିସ୍ତାନରୁ ହେଲିକପ୍ଟର ଯୋଗେ ପଞ୍ଜସିରର ସ୍ଥାନୀୟ ଲୋକଙ୍କ ପାଇଁ ଅସ୍ତ୍ରଶସ୍ତ୍ର ଓ ଗୋଳାବାରୁଦ ପହଂଚାଯାଉଛି । ପଞ୍ଜସିର ଉପତ୍ୟକାରେ ତାଲିବାନଙ୍କୁ ବିରୋଧ କରାଯାଉଥିବାରୁ ଏହି ଅଂଚଳକୁ ଦଖଲ କରିବା ପାଇଁ ତାଲିବାନୀ ଆତଙ୍କବାଦୀମାନେ ଚେଷ୍ଟା ଚଳାଇଛନ୍ତି । ଏହି ଅଂଚଳକୁ ଅକ୍ତିଆର କରିବା ପାଇଁ ତାଲିବାନୀମାନେ ପଞ୍ଜସିରର ସମସ୍ତ ପଥକୁ ଘେରି ରହିଛନ୍ତି ।

ପଞ୍ଜସିରର ୧୦ ହଜାର ସୈନ୍ୟ ତାଲିବାନଙ୍କୁ ଟକ୍କର ଦେବାକୁ ପ୍ରସ୍ତୁତ ହୋଇ ରହିଛନ୍ତି । ପଞ୍ଜସିର ଉପରେ ଏବେ ସାରା ବିଶ୍ୱର ନଜର । ପଞ୍ଜଶୀରର ସ୍ଥିତି କିପରି ଅଛି, ସେନେଇ ସମସ୍ତେ ଜାଣିବାକୁ ଚାହୁଁଛନ୍ତି । ଆଫଗାନିସ୍ତାର ଏକମାତ୍ର ଅଂଚଳ ଏହି ପଞ୍ଜସିରକୁ ଏପର୍ଯ୍ୟନ୍ତ ତାଲିବାନ କବ୍ଜା କରିପାରିନାହିଁ । ଏଠାରେ କେବେ ବି ତାଲିବାନର ଦବଦବା ରହିନାହିଁ । ଏଠାରେ ମୋଟ ଜନସଂଖ୍ୟା ହେଉଛି ପ୍ରାୟ ୨ ଲକ୍ଷ । କାବୁଲର ଉତରରେ ପ୍ରାୟ ୧୫୦ କିଲୋମିଟର ଦୂରରେ ଏହି ଅଂଚଳ ଅଛି । ଏଠାରେ ଲୋକେ ତାଲିବାନକୁ ଡରନ୍ତି ନାହିଁ । ବରଂ ତାଲିବାନ ବିରୋଧରେ ଯୁଦ୍ଧ କରିବାକୁ ଡାକରା ଦେଇଛନ୍ତି । ୭୦- ୮୦ ଦଶକରେ ତାଲିବାନ ଏହି ପ୍ରଦେଶକୁ ଦଖଲ ପାଇଁ ଉଦ୍ୟମ କରିଥିଲେ ବି ସଫଳ ହୋଇନଥିଲା ।