କାବୁଲରୁ ଉଡାଣ କଟକଣା ଲଗାଇଲା ତାଲିବାନ : ତିନିଟି ପ୍ରବେଶ ପଥକୁ ନିଜ ନିୟନ୍ତ୍ରଣକୁ ନେଲା

306

କନକ ବ୍ୟୁରୋ : କାବୁଲରୁ ଉଡାଣ କଟକଣା ଲଗାଇଲା ତାଲିବାନ । ତିନିଟି ପ୍ରବେଶ ପଥକୁ ନିଜ ନିୟନ୍ତ୍ରଣକୁ ନେବା ସହ ପୂରା ବିମାନ ବନ୍ଦରକୁ ନିଜ କବଜାକୁ ନେଇଛି । କାବୁଲରେ ମୁତୟନ ଥିବା ଭାରତୀୟ ବାୟୁସେନାର ସି-୧୭ ଏବଂ ସି-୧୩୦ ଜେ ବିମାନ ଭାରତ ଫେରି ଆସିଛି । କାବୁଲରେ ଏବେ ବି ୫୦ରୁ ଅଧିକ ଭାରତୀୟ ଥିବା ଜଣାପଡ଼ିଛି । ଭାରତ ସରକାର ଆଗକୁ ଉଦ୍ଧାର କାର୍ଯ୍ୟ ଜାରି ରଖିବେ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ । ଏପରି ସ୍ଥିତିରେ କାବୁଲରେ ଥିବା ଭାରତୀୟ କିପରି ସ୍ୱଦେଶ ଫେରିବେ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ସେପଟେ ତାଲିବାନ କାବୁଲ ଏୟାରପୋର୍ଟକୁ ନିଜ ଅକ୍ତିଆରକୁ ନେବା ପରେ ସେଠାରେ ଥିବା ଅନ୍ୟ ଦେଶର ନାଗରିକ ମଧ୍ୟ ସ୍ୱଦେଶ ଫେରିବା ନେଇ ଚିନ୍ତାରେ । ତାଲିବାନ ଆଫଗାନିସ୍ତାନ ଦଖଲ କରିବା ପରେ ସ୍ୱଦେଶ ଫେରିବା ଲାଗି ହଜାର ହଜାର ନାଗରିକ କାବୁଲ ବିମାନ ବନ୍ଦରରେ ଭିଡ ଜମାଇଥିଲେ । ସେମାନଙ୍କୁ ସ୍ୱଦେଶ ଫେରାଇ ଆଣିବା ପାଇଁ ବିଭିନ୍ନ ଦେଶରୁ ବିମାନ ଯାଇ କାବୁଲ ପହଂଚିଥିଲା । ବିମାନ ବନ୍ଦରରେ ଏତେ ଭିଡ ହୋଇଥିଲା ଯେ, ଛୋଟ ଛୋଟ ରନୱେ କରାଯାଇ ବିମାନ ଛଡାଯାଉଥିଲା । ଆମେରିକା ସୈନ୍ୟ କାବୁଲରେ ସୁରକ୍ଷା ଦେଉଥିଲେ । ଏବେ ଆମେରିକା ସେନା ପ୍ରତ୍ୟାହାର କରି ନେବା ସହ ତାଲିବାନ ବିମାନ ଉଡାଣ ଉପରେ କଟକଣା ଲଗାଇଥିବାରୁ ଫସି ରହିଥିବା ଲୋକେ କିପରି ଫେରିବେ ତାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି ।