ଆଫଗାନର ପୂର୍ବ ଉପ ରାଷ୍ଟ୍ରପତିଙ୍କ ବାସଭବନରେ ଏମିତି ମଉଜ କରୁଛନ୍ତି ତାଲିବାନୀ

293

କନକ ବ୍ୟୁରୋ : ଆଫଗାନିସ୍ତାନ ଏବେ ପୁରା ତାଲିବାନୀଙ୍କ କବଜାରେ । ସେଠାରେ ବି ତାଲିବାନୀମାନେ ସରକାର ଗଠନ କରିସାରିଛନ୍ତି । ହେଲେ ତାଲିବାନୀମାନେ ଏବେ ଆଫଗାନରେ ନିଜର ଅସଲ ଚରିତ୍ର ଦେଖାଇବା ଆରମ୍ଭ କରିଛନ୍ତି ।

ଆଫଗାନ ଦଖଲ ପରେ ତାଲିବାନୀମାନେ ତାଙ୍କର ଧାର୍ମିକ ଭାବନାକୁ ଆଫଗାନବାସୀଙ୍କ ଉପରେ ଲଦିବାକୁ ଚେଷ୍ଟା କରୁଥିବା ବେଳେ ଆଫଗାନର ପୂର୍ବ ଉପ ରାଷ୍ଟ୍ରପତି ବୋରଲଡର୍ସ ଅବ୍ଦୁଲ ରଶିଦ ଦସ୍ତମଙ୍କ କାବୁଲରେ ଥିବା ଏକ ଦାମି ଘରକୁ ଦଖଲ କରିନେଇଛନ୍ତି ତାଲିବାନୀମାନେ । ଯେଉଁଠି ପୂର୍ବରୁ ଉପ ରାଷ୍ଟ୍ରପତି ବୋରଲଡର୍ସ ଅବ୍ଦୁଲ ରଶିଦ ରହୁଥିଲେ ସେଠାରେ ଏବେ ତାଲିବାନୀ ଆତଙ୍କବାଦୀ ସଂଗଠନର ଶକ୍ତିଶାଳୀ କମାଣ୍ଡର ସଲାଉଦ୍ଦିନ ଆୟୁବି ପୁରା ଆଡ୍ଡା ଜମାଇ ସାରିଛନ୍ତି । ସ୍ଥାନୀୟ ଗଣମାଧ୍ୟମର ସୂଚାନ ମୁତାବକ ପୂର୍ବ ରାଷ୍ଟ୍ରପତି ବି ଆଫଗାନ ଛାଡି ପଳାୟନ କରିଛନ୍ତି   ।

ଏହି ଦାମୀ ବଙ୍ଗଳାକୁ ଦଖଲ କରିବା ଓ ସେଠାରେ ନିଜ ଆଡ୍ଡା ଜମାଇବା ପରେ ତାଲିବାନ ପକ୍ଷରୁ ଏକ ଭିଡିଓ ଜାରି କରାଯାଇଛି । ଯେଉଁ ଭିଡିଓରେ ଦେଖିବାକୁ ମିଳିଛି କି କିଛି ତାଲିବାନୀ ଏହି ବଙ୍ଗଳା ଭିତରେ ପଶି କୋଣ କୋଣରେ ତଲାସି ନେଉଛନ୍ତି । ସେଠାରେ ଥିବା ଆଲମିରା ଖୋଲି ଭିତରେ ଥିବା ଜିନିଷକୁ ଖୋଲି ଦେଖୁଛନ୍ତି । ଏହାସହ ପୁରା ହସଖୁସିରେ ସେଠାରେ ବସି ପରସ୍ପର ସହ ଆଲୋଚନା କରୁଛନ୍ତି ।

କହିରଖୁ କି ଭିଡିଓରେ ଦେଖିବାକୁ ମିଳିଛି ଏହି ବଙ୍ଗଳାରେ ଲାଓଞ୍ଜ, ସ୍ୱିମିଂପୁଲ,ଗ୍ରୀନ ହାଉସ,ମାସାଜ ସେଣ୍ଟର, ତୁର୍କୀ ଷ୍ଟିମ ବାଥ, ଜିମ୍ ଓ ମିଟିଂ ହଲ ଭଳି ଅନେକ ସୌଖିନୀ ସୁବିଧା ରହିଛି । ଏହି ବଙ୍ଗଳାକୁ ଦଖଲ କରିବା ପରେ ତାଲିବାନୀ କମାଣ୍ଡର ଏଏଫପି ଗଣମାଧ୍ୟମ ସହିତ କଥାବାର୍ତ୍ତା ବେଳେ କହିଛନ୍ତି ଇସଲାମରେ ସୌଖିନୀ ଜୀବନଶୈଳୀ ସହ ବଞ୍ଜିବାକୁ ଅନୁମତି ମିଳେ ନାହିଁ । ମରିବା ପରେ ସ୍ୱର୍ଗରେ ଏହି ସବୁ ସୁବିଧା ମିଳେ ବୋଲି ସେ କହିଥିଲେ ।

ସୂଚନା ଥାଉକି ଅବ୍ଦୁଲ ରଶିଦ ଦସ୍ତମ ୨୦୧୪ ରେ ଆଫଗାନିସ୍ତାନର ରାଷ୍ଟ୍ରପତି ହୋଇଥିଲେ । ସେ ୬ ବର୍ଷରୁ ଅଧିକ ସମୟ ଧରି ଉକ୍ତ ପଦରେ ରହିଥିଲେ । ତାଙ୍କ ଉପରେ ଯୁଦ୍ଧ ଅପରାଧ ଅଭିଯୋଗ ଆସିବା ପରେ ସେ ପଦରୁ ଇସ୍ତଫା ଦେଇଥିଲେ । ତାଙ୍କ ଉପରେ ଅଭିଯୋଗ ଥିଲା କି ୯/୧୧ ଆକ୍ରମଣ ପରେ ଆଫଗାନିସ୍ତାନରେ ତାଲିବାନ ସରକାର ଭାଙ୍ଗିବାରେ ଦସ୍ତମ ଆମେରିକା ସେନାଙ୍କୁ ସହାୟତା କରିଥିଲେ ।