ଆମେରିକାକୁ ତାଲିବାନର ଚେତାବନୀ: ‘ ତାଲିବାନ ସରକାରକୁ ଅସ୍ଥିର କରିବାକୁ ଚେଷ୍ଟା କଲେ ପରିଣତି ଭୟାବହ’

224

କନକ ବ୍ୟୁରୋ: ପ୍ରଥମ ଥର ପାଇଁ ମୁହାଁ ମୁହିଁ ହୋଇଛନ୍ତି ଆମେରିକା ଓ ତାଲିବାନ ନେତା । ଆଫଗାନିସ୍ତାନରେ ମାନବିକ ଅଧିକାର ପ୍ରସଙ୍ଗକୁ ନେଇ ପ୍ରଥମ ଥର ପାଇଁ କତାରର ଦୋହାରେ ଅନୁଷ୍ଠିତ ବୈଠକରେ ଦୁଇ ଦେଶର ନେତାଙ୍କ ମଧ୍ୟରେ ଆମେରିକାକୁ ଖୋଲା ଚ୍ୟାଲେଂଜ କରିଛି ତାଲିବାନ । ଅନ୍ୟପଟେ ଆମେରିକା ଅଧିକାରୀ କହିଥିଲେ ,କଥାକୁ ନେଇ ନୁହେଁ ତାଲିବାନର କାମକୁ ଆକଳନ କରାଯିବ । ତାଲିବାନକୁ ମାନ୍ୟତା ନଦେଇ ମଧ୍ୟ ଆଫଗାନିସ୍ତାନ ବାସୀଙ୍କୁ ସାହାଯ୍ୟ କରିବ ଆମେରିକା । ଏଥିରେ ତାତି ଉଠିଥିଲା ତାଲିବାନ୍ ।

 

ଦୋହାରେ ଆୟୋଜିତ ଏହି ବୈଠକରେ ଆମେରିକା ବୈଦେଶିକ ପ୍ରବକ୍ତା ନେଡ୍ ପ୍ରାଇସ୍ ଆଫଗାନିସ୍ତାନ ରାଷ୍ଟ୍ରିୟ ହିତ ସମ୍ପର୍କିତ ପ୍ରସଙ୍ଗକୁ ଉଠାଇଥିଲେ । ଏଥିରେ ଆଫାଗାନିସ୍ତାନ ବାସୀଙ୍କ ମାନବିକ ଅଧିକାରର ସୁରକ୍ଷା , ଆତଙ୍କବାଦ, ସେଠାରେ ଥିବା ବିଦେଶୀ ନାଗରିକଙ୍କ ସୁରକ୍ଷା, ଏଠିକାର ମହିଳାଙ୍କ ପ୍ରସଙ୍ଗରେ ଦୁଇ ଦେଶର ନେତାଙ୍କ ମଧ୍ୟରେ ଆଲୋଚନା ହୋଇଥିଲା । କିନ୍ତୁ ତାଲିବାନ ନେତା ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିବା ସହ ଆମେରିକାକୁ ଚେତାବନୀ ଦେଇଥିଲେ । ତାଲିବାନର କାର୍ଯ୍ୟବାହୀ ବିଦେଶ ମନ୍ତ୍ରୀ ଅମୀର ଖାନ୍ ମୁଫତି କହିଥିଲେ ଯେ, ଆମେରିକା ଅଯଥା ଆଫଗାନିସ୍ତାନକୁ ଅସ୍ଥିର କରିବାକୁ ଚେଷ୍ଟା କରୁଛି । ଯଦି ଏପରି କରେ ତେବେ ଏହାର ଭୟାବହ ପରିଣତି ଭୋଗିବାକୁ ପ୍ରସ୍ତୁତ ରୁହ । ଖାଲି ଆମେରିକା କାହିଁକି ଆଫଗାନିସ୍ତାନରେ ସ୍ଥିତ ତାଲିବାନ ସରକାରକୁ ଦୁର୍ବଳ କରିବାକୁ କିଛି ବି ଚେଷ୍ଟା କଲେ ପୁରା ଦୁନିଆଁକୁ ଏହାର ଭରଣା କରିବାକୁ ପଡି ବୋଲି ଆମେରିକା ଅଧିକାରୀଙ୍କୁ ଚେତାବନୀ ଦେଇଛନ୍ତି ଅମୀର ଖାନ୍ ମୁଫତି ।