କନକ ବ୍ୟୁରୋ : କନକ ବ୍ୟୁରୋ : ପୁରା ବିଶ୍ୱରେ ଦିନକୁ ଦିନ ଆତଙ୍କୀ ସଂଗଠନ ସକ୍ରିୟ ହେବାରେ ଲାଗିଛି । କେଉଁଠି ଧାର୍ମିକସ୍ଥଳ ତ କେଉଁଠି ଜନଗହଳି ସ୍ଥାନ, ଆତଙ୍କୀଙ୍କ ନିସାନାରେ ରହୁଛି । ଆଉ ଏହାରି ଭିତରେ ଆଫଗାନିସ୍ତାନରୁ ଆସିଛି ଆତଙ୍କୀ ହାମଲାର ବଡ ଖବର । ରବିବାର ଆଫଗାନିସ୍ତାନର ଗଜନୀ ନିକଟରେ କାର ବୋମା ବିସ୍ଫୋରଣ କରାଇଛି ତାଲିବାନ୍ । ଏହି ବିସ୍ଫୋରଣରେ ପାଖାପାଖି ୮ ଆଫଗାନ ସୁରକ୍ଷାକର୍ମୀଙ୍କ ସମେତ ୧୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫୦ରୁ ଅଧିକ ଲୋକ ଏଥିରେ ଆହତ ହୋଇଥିବା ସୂଚନା ମିଳିଛି । ରବିବାର ସକାଳେ ଗଜନୀ ସହରରେ ରାଷ୍ଟ୍ରୀୟ ସୁରକ୍ଷା ନିର୍ଦ୍ଦେଶାଳୟ (ଏନ୍ଡିଏମସ୍) ପରିସର ନିକଟରେ ବୋମା ବିସ୍ଫୋରଣ କରିଥିବା ସ୍ୱୀକାର କରିଛି ତାଲିବାନ୍। ତାଲିବାନ୍ ପ୍ରବକ୍ତା ଜବିହୁଲ୍ଲାହା ମୁଜାହିଦ ଏକ ବୟାନ୍ରେ କହିଛନ୍ତି, ଏହି ବିସ୍ଫୋରଣରେ ୧୨ରୁ ଅଧିକ ରାଷ୍ଟ୍ରୀୟ ସୁରକ୍ଷା ନିର୍ଦ୍ଦେଶାଳୟ (ଏନ୍ଡିଏସ୍)ର ଅଧିକାରୀଙ୍କ ମୃତ୍ୟୁ ଘଟିଛି ନହେଲେ ଗୁରୁତର ହୋଇଛନ୍ତି ।
ଗଜନୀର ପ୍ରାନ୍ତୀୟ ସରକାରର ଜଣେ ପ୍ରବକ୍ତା ଆରିଫନୁରିଙ୍କ କହିବାନୁସାରେ, ବିସ୍ଫୋରଣରେ ଏନ୍ଡିଏସ୍ର ଆଠ ଜଣ ସଦସ୍ୟ ଓ ଚାରି ନାଗରିକଙ୍କ ମୃତ୍ୟୁ ହୋଇଛି । ଏଥିରେ ୫୦ ଜଣ ନାଗରିକ ଗୁରୁତର ହୋଇଥିବା ବି ଜଣାପଡ଼ିଛି । ଗୁରୁତର ଆହତ ହୋଇଥିବା ଲୋକଙ୍କୁ ବିଭିନ୍ନ ହସ୍ପିଟାଲ୍ରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ତେବେ ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ଏହି ବିସ୍ଫୋରଣ ଆତ୍ମଘାତୀ ଆକ୍ରମଣକାରୀ କରିଛନ୍ତି କି ନାହିଁ ତାହା ସ୍ପଷ୍ଟ ହୋଇ ପାରି ନଥିଲା ।