ସାମ୍ବାଦିକଙ୍କ ଉପରେ ତାଲିବାନର ବର୍ବରତା: ଗଣମାଧ୍ୟମ ପ୍ରତିନିଧିଙ୍କୁ ମାଡ ମାରି ଲହୁଲୁହାଣ କରିଥିବା ଫଟୋ ଭାଇରାଲ

ପ୍ରଦର୍ଶନରେ ସାମିଲ ପୁରୁଷଙ୍କ ସମେତ ମହିଳାଙ୍କୁ ମାଡ ମାରୁଛନ୍ତି ତାଲିବାନ ଆତଙ୍କୀ

109

କନକ ବ୍ୟୁରୋ : ଆଫଗାନିସ୍ତାନରେ ତାଲିବାନ ସରକାର ଗଠନ ନେଇ ଘୋଷଣା କରିବା ପରେ ଲୋକଙ୍କ ଚିନ୍ତା ବଢିବାରେ ଲାଗିଛି । କିଛି ଦିନ ହେବ କାବୁଲ ସମେତ ଅନେକ ସହରରେ ତାଲିବାନ ସରକାର ବିରୋଧରେ ପ୍ରଦର୍ଶନ ଦେଖିବାକୁ ମିଳିଛି । ଏହାରି ଭିତରେ ସାମ୍ନାକୁ ଆସିଛି ତାଲିବାନୀ ଆତଙ୍କବାଦୀଙ୍କ ବର୍ବରତା । ଗଣମାଧ୍ୟମ ପ୍ରତିନିଧିଙ୍କୁ ମାଡ ମାରି ଲହୁଲୁହାଣ କରିଥିବାର ଫଟୋ ଏବେ ଭାଇରାଲ ହେବାରେ ଲାଗିଛି । ଆନ୍ଦୋଳନ ସ୍ଥଳକୁ ଯାଇଥିବା ଏହି ସାମ୍ବାଦିକଙ୍କୁ ମାଡ ମାରି ଲହୁଲୁହାଣ କରିଛନ୍ତି ତାଲିବାନୀ ଆତଙ୍କବାଦୀ । କେବଳ ସାମ୍ବାଦିକ ନୁହଁନ୍ତି, ପ୍ରଦର୍ଶନ କରୁଥିବା ପୁରୁଷଙ୍କ ସମେତ ମହିଳାଙ୍କୁ ମଧ୍ୟ ମାଡ ମାରୁଛନ୍ତି ତାଲିବାନୀ । ଯାହାକୁ ସୋସିଆଲ ମଡିଆରେ ନିନ୍ଦା କରାଯାଉଛି । ଦୁଇ ଦିନ ହେବ ଆଫଗାନିସ୍ତାନରେ ପ୍ରଦର୍ଶନ ଦେଖିବାକୁ ମିଳୁଛି । ଯେଉଁଥିରେ ପୁରୁଷଙ୍କ ସମେତ ମହିଳାମାନେ ମଧ୍ୟ ସାମିଲ ହେଉଛନ୍ତି । ଆଉ ଆନ୍ଦୋଳନ କରୁଥିବା ମହିଳାଙ୍କୁ ମାଡ ମାରୁଛନ୍ତି ତାଲିବାନୀ ଆତଙ୍କବାଦୀ ।

ସେପଟେ, ଆଫଗାନିସ୍ତାନରେ ନୂଆ ସରକାର ଗଠନ ନେଇ ତାଲିବାନ ଘୋଷଣା କରିବା ପରେ ସରକାର ବିରୋଧରେ ବିରୋଧ ପ୍ରଦର୍ଶନ ବଢିବାରେ ଲାଗିଛି । ଏହାକୁ ନଜରରେ ରଖି ତାଲିବାନ ସରକାରର ଗୃହ ମନ୍ତ୍ରଣାଳୟ ବିରୋଧ ପ୍ରଦର୍ଶନକୁ ନେଇ ନୂଆ ନିୟମ ଜାରି କରିଛି । ବର୍ତମାନ ତାଲିବାନ ସରକାର ଆଫଗାନିସ୍ତାନରେ କୌଣସି ପ୍ରଦର୍ଶନ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ବିନା ଅନୁମତିରେ ସେଠାରେ ଏବେ ପ୍ରଦର୍ଶନ କରାଯାଇପାରିବନାହିଁ । ପ୍ରଦର୍ଶନର ୨୪ଘଂଟା ପୂର୍ବରୁ ଅନୁମତି ନେବାକୁ ପଡିବ । ନୂଆ ନିୟମ ଅନୁସାରେ, ବିରୋଧ ପ୍ରଦର୍ଶନ ପାଇଁ ଆଇନ ମନ୍ତ୍ରଣାଳୟର ଅନୁମତି ନେବାକୁ ପଡିବ । ବିରୋଧ ପ୍ରଦର୍ଶନ ବେଳେ କେଉଁ ନାରା ଦିଆଯିବ, ସ୍ଥାନ, ସମୟ ଓ ଲକ୍ଷ୍ୟ ସମ୍ପର୍କରେ ପ୍ରଶାସନକୁ ଜଣାଇବାକୁ ହେବ । ଏହା ନ କଲେ ଉଲ୍ଲଙ୍ଘନକାରୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ତାଲିବାନ ସରକାର ଧମକ ଦେଇଛନ୍ତି ।