ଏମାନେ ମଣିଷ ନା ପଶୁ…ସବୁ ସୀମା ଟପିଗଲେ ତାଲିବାନୀ । ମହିଳା ଭଲିବଲ୍ ଖେଳାଳୀଙ୍କ ମୁଣ୍ଡ କାଟିଦେଲେ ।

663

କନକ ବ୍ୟୁରୋ : ଆଫଗାନିସ୍ତାନ କନିଷ୍ଠ ମହିଳା ଜାତୀୟ ଭଲିବଲ୍‌ ଦଳର ସଦସ୍ୟ ଥିବା ମହଜାବିନ ହାକିମି ନାମ୍ନୀ ଜନୈକା ଖେଳାଳିଙ୍କର ମୁଣ୍ଡକୁ ତାଲିବାନୀମାନେ କାଟି ତାଙ୍କୁ ପ୍ରାଣଦଣ୍ଡ ଦେଇଛନ୍ତି । ତାଲିବାନୀଙ୍କ ଦ୍ୱାରା ଏହି ନାରକୀୟ ଘଟଣା ଚଳିତ ମାସ ପ୍ରାରମ୍ଭରେ ଘଟିଥିବା ଜଣେ ପ୍ରଶିକ୍ଷକ ଅଭିଯୋଗ କରିଛନ୍ତି ।

ଏକ ସାକ୍ଷାତକାରରେ ପ୍ରଶିକ୍ଷକ ସୁରାୟା ଅଫଜଲି (ନାମ ପରିବର୍ତ୍ତନ) କହିଛନ୍ତି ଯେ ଅକ୍ଟୋବର ଆରମ୍ଭରେ ତାଲିବାନ ଦ୍ୱାରା ମହଜାବିନ ହାକିମି ନାମକ ଜନୈକା ମହିଳା ଭଲିବଲ ଖେଳାଳିଙ୍କୁ ତାଲିବାନୀମାନଙ୍କ ଦ୍ୱାରା ହତ୍ୟା କରାଯାଇଥିଲା । କିନ୍ତୁ, ତାଲିବାନୀମାନେ ତାଙ୍କ ପରିବାରକୁ ଏହା ବିଷୟରେ ବାହାରେ ନ କହିବାକୁ ଧମକ ଦେଇଥିବାରୁ କେହି ଏହି ଭୟଙ୍କର ହତ୍ୟା ବିଷୟରେ ଜାଣିପାରି ନଥିଲେ ।

ଅଶରଫ ଘନି ସରକାରଙ୍କ ପତନ ପୂର୍ବରୁ ମହଜାବିନ କାବୁଲ ମ୍ୟୁନିସିପାଲିଟି ଭଲିବଲ୍‌ କ୍ଲବ ପାଇଁ ଖେଳିଥିଲେ ଏବଂ କ୍ଲବର ଅନ୍ୟତମ ତାରକା ଖେଳାଳି ଥିଲେ । ତେବେ, ତାଲିବାନମାନେ କ୍ଷମତା ଅକ୍ତିଆର କରିବାର କିଛି ଦିନ ପରେ ତାଙ୍କ କଟା ମୁଣ୍ଡ ଏବଂ ରକ୍ତାକ୍ତ ବେକ ପରିବାର ଲୋକେ ପାଇଥିଲେ । ଆଫଗାନିସ୍ତାନ ମହିଳା ଜାତୀୟ ଭଲିବଲ୍‌ ଦଳର ପ୍ରଶିକ୍ଷକ କହିଛନ୍ତି ଯେ ଅଗଷ୍ଟରେ ତାଲିବାନମାନେ ସମ୍ପୂର୍ଣ୍ଣ ନିୟନ୍ତ୍ରଣ ଛଡ଼ାଇ ନେବା ପୂର୍ବରୁ ଦଳର କେବଳ ଦୁଇ ଜଣ ଖେଳାଳି ଦେଶରୁ ଖସିଯିବାକୁ ସକ୍ଷମ ହୋଇଥିଲେ । ମହଜାବିନ ହାକିମି ଅନ୍ୟ ଅନେକ ଦୁର୍ଭାଗ୍ୟଜନକ ମହିଳା କ୍ରୀଡାବିତଙ୍କ ମଧ୍ୟରେ ଥିଲେ ଯେଉଁମାନେ ପଛରେ ରହିଯାଇଥିଲେ ।

କ୍ଷମତା ଅଧିଗ୍ରହଣ ପରଠାରୁ ତାଲିବାନୀମାନେ ମହିଳା ଆଥଲେଟମାନଙ୍କୁ ଚିହ୍ନଟ ଏବଂ ଶିକାର କରିବାକୁ ଚେଷ୍ଟା ଜାରି ରଖିଛନ୍ତି । ବିଦେଶୀ ଏବଂ ଘରୋଇ ପ୍ରତିଯୋଗିତାରେ ପ୍ରତିଦ୍ୱନ୍ଦ୍ୱିତା କରିଥିବା ଏବଂ ଅତୀତରେ ଗଣମାଧ୍ୟମ କାର୍ଯ୍ୟକ୍ରମରେ ଉପସ୍ଥିତ ହୋଇଥିବା ଆଫଗାନିସ୍ତାନ ମହିଳା ଭଲିବଲ୍‌ ଦଳର ସଦସ୍ୟମାନଙ୍କ ପାଇଁ ତାଲିବାନୀ ଆତଙ୍କବାଦୀମାନେ ଅଧିକ ନଜର ରଖିଛନ୍ତି ବୋଲି ଅଫଜଲି ଦାବି କରିଛନ୍ତି । ଫଳରେ ଆଫଗାନିସ୍ତାନର ମହିଳା ଆଥଲେଟ୍‌ମାନେ ଏବେ ଅତ୍ୟନ୍ତ ଖରାପ ପରିସ୍ଥିତିରେ ନିରାଶା ଏବଂ ଭୟରେ ‘ଅଣ୍ଡରଗ୍ରାଉଣ୍ଡ’ ହୋଇ ରହିବାକୁ ବାଧ୍ୟ ହୋଇଛନ୍ତି ବୋଲି ସେ କହିଛନ୍ତି ।