ଆଫଗାନିସ୍ତାନରେ ତାଲିବାନ ସରକାରର ନୂଆ ଆଇନ, ମହିଳା ମନ୍ତ୍ରଣାଳୟକୁ ପଶିପାରିବେନି ମହିଳା କର୍ମଚାରୀ

111

କନକ ବ୍ୟୁରୋ : ଆଫଗାନିସ୍ତାନରେ ତାଲିବାନ ସରକାର ଗଠନ କରିବା ପରେ ସାଧାରଣରେ ଜାହାକୁ ନେଇ ଭୟ କରାଯାଉଥଫଲା ଏବେ ତାହା ହିଁ ଘଟୁଛି । ମହିଳା ମାନଙ୍କ ଅଭିଯୋଗ ଶୁଣିବାକୁ ଥିବା ମହିଳା ମନ୍ତ୍ରଣାଳୟକୁ ମହିଳା କର୍ମଚାରୀମାନେ ପ୍ରବେଶ କରିପାରିବେ ନାହିଁ । ଏଭଳି ବ୍ୟାନ ଲଗାଇଛି ତାଲିବାନ ସରକାର । ମହିଳା ମନ୍ତ୍ରଣାଳୟରେ କେବଳ ପୁରୁଷମାନେ କାମ କରିବେ ବୋଲି ଏକ ନିର୍ଦ୍ଦେଶନାମା ଜାରି କରାଯାଇଛି ।

ଏହାର କିଛିଦିନ ପୂର୍ବରୁ ତାଲିବାନ ସରକାର ଘୋଷଣା କରିଥିଲା କି ଯେଉଁ କାର୍ଯ୍ୟାଳୟରେ ପୁରୁଷ କର୍ମଚାରୀମାନେ କାମ କରୁଥିବେ ସେଠାରେ ମହିଳା କର୍ମଚାରୀମାନେ କାମ କରିପାରିବେ ନାହିଁ    । ଋଷର ଖବର ସରବରାହ ସଂସ୍ଥା ‘ସ୍ପୁଟନିକ’ ର ଖବର ମୁତାବକ ତାଲିବାନ ପକ୍ଷରୁ ଆଫଗାନିସ୍ତାନରେ ଥିବା ମହିଳା ମନ୍ତ୍ରଣାଳୟକୁ ମହିଳା କର୍ମଚାରୀଙ୍କ ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଇଛି । ଏନେଇ ଜଣେ ମହିଳା କର୍ମଚାରୀ ସ୍ପୁଟନିକକୁ ସୂଚନା ଦେଇଥିବା କୁହାଯାଇଛି । ମହିଳା କର୍ମଚାରୀ ଜଣକ କହିଛନ୍ତି କି ସେ ଦୀର୍ଘବର୍ଷ ହେବ ମହିଳା ମନ୍ତ୍ରଣାଳୟରେ କାମ କରୁଛନ୍ତି । ହେଲେ ଏବେ ମୋ ସହ ୪ ଜଣ ମହିଳାଙ୍କୁ ତାଲିବାନୀମାନେ ମନ୍ତ୍ରଣାଳୟକୁ ପ୍ରବେଶ କରିବା ବେଳେ ପ୍ରତିବନ୍ଧକ ଲଗାଇଥିଲେ । ଏନେଇ ଆଫଗାନ ମହିଳାମାନେ ବିରୋଧ ପ୍ରଦର୍ଶନ କରିଛନ୍ତି ।

ଆଫଗାନରେ ତାଲିବାନ ସରକାର ଗଠନ କରିବା ପରେ ଆଶା କରାଯାଉଥିଲା କି ମହିଳାଙ୍କୁ ନେଇ ତାଲିବାନୀମାନେ ତାଙ୍କର ସରିଆ ଆଇନ ଲାଗୁ କରିବେ । ସରକାର ଗଠନ କରିବାର ମାତ୍ର କିଛିଦିନ ମଧ୍ୟରେ ତାଲିବାନୀମାନଙ୍କ କାର୍ଯ୍ୟକଳାପ ଦେଖିଲେ ଆଶଂକା ଯେ ଅମୁଳକ ନୁହେଁ ତାହା ସ୍ପଷ୍ଟ ହେବାରେ ଲାଗିଛି । ଏନେଇ ପ୍ରଶ୍ନ ପଚରା ଯିବାରୁ ତାଲିବାନ ପ୍ରବକ୍ତା ଗଣମାଧ୍ୟମ ଆଗରେ କହିଛନ୍ତି ଯେ ମହିଳାଙ୍କ ଜନ୍ମ ମନ୍ତ୍ରୀ ହେବାକୁ ନୁହେଁ ସେମାନେ କେବଳ ପିଲା ଜନ୍ମ କରିବାକୁ ଜନ୍ମ ହୋଇଛନ୍ତି ।