ଆଫଗାନିସ୍ତାନ ମାଟି ଆମେରିକା ଛାଡୁ ଛାଡୁ ପଞ୍ଜଶୀର ଘାଟିରେ ତାଲିବାନର ଆକ୍ରମଣ । ନଦର୍ଣ୍ଣ ଆଲାଏନ୍ସର ପାଲଟା ଆକ୍ରମଣରେ ତାଲିବାନୀ ସଦସ୍ୟ ମୃତ ।

587

କନକ ବ୍ୟୁରୋ : ଆଫଗାନିସ୍ତାନ ମାଟିରୁ ଆମେରିକା ବିଦାୟ ନେବା କ୍ଷଣି ତାଲିବାନ ପୁଣିଥରେ ନିଜର ଅସଲ ରୂପ ଦେଖାଇଛି । ସୋମବାର ବିଳମ୍ବିତ ରାତି ସୁଦ୍ଧା ଆମେରିକାର ଶେଷ ବିମାନ ଉଡାଣ ଭରୁଥିବା ବେଳେ ପଞ୍ଜଶୀର ଘାଟିରେ ପଶି ଆକ୍ରମଣ କରିଛି ତାଲିବାନ । ଏନେଇ ସ୍ପଷ୍ଟ କରିଛି ତାଲିବାନ ବିରୋଧରେ ଲଢେଇ କରି ଆସୁଥିବା ନଦର୍ଣ୍ଣ ଆଲାଏନ୍ସ । ନଦର୍ଣ୍ଣ ଆଲାଏନ୍ସ ପକ୍ଷରୁ କୁହାଯାଇଛି ଯେ, ସୋମବାର ବିଳମ୍ବିତ ରାତିରେ ପଞ୍ଜଶୀର ଘାଟିରେ ପ୍ରବେଶ ପାଇଁ ତାଲିବାନ ଉଦ୍ୟମ କରିଥିଲା । ଏହି ସମୟରେ ଉଭୟ ପକ୍ଷରୁ ଜୋରଦାର ଗୁଳିଚାଳନା ହୋଇଥିଲା । ଯେଉଁଥିରେ ୭ରୁ ୮ ଜଣ ତାଲିବାନୀ ନିହତ ହୋଇଥିବା ସୂଚନା ମିଳିଛି । ସେହିଭଳି ନଦର୍ଣ୍ଣ ଆଲାଏନ୍ସର ମଧ୍ୟ ୨ ଜଣ ମୃତ୍ୟୁବରଣ କରିଛନ୍ତି ।

ପୂରା ଆଫଗାନିସ୍ତାନକୁ ଏବେ ତାଲିବାନ କବଜା କରିଛି । କିନ୍ତୁ ଏଯାଏଁ ପଞ୍ଜଶୀର ଘାଟିରେ ପ୍ରବେଶ କରିପାରିନି ତାଲିବାନ । କାରଣ ଏଠାରେ ଅହମ୍ମଦ ମାସୁଦଙ୍କ ନେତୃତ୍ୱରେ ନଦର୍ଣ୍ଣ ଆଲାଏନ୍ସ ତାଲିବାନ ବିରୋଧରେ ଲଢେଇ ଜାରି ରଖିଛି । ଆଉ ଏହି ଲଢେଇରେ ଘନିଙ୍କ ଅନୁପସ୍ଥିତିରେ ନିଜକୁ ରାଷ୍ଟ୍ରପତି ଘୋଷଣା କରିଥିବା ଅମରୁଲ୍ଲା ସାଲେହ ମଧ୍ୟ ସାମିଲ ହୋଇଛନ୍ତି । ପୂର୍ବରୁ ମଧ୍ୟ ଏହି ପଞ୍ଜଶୀର ଘାଟିକୁ କବଜା କରିବାକୁ ତାଲିବାନ ବାରମ୍ବାର ପ୍ରୟାସ କରିବା ସହ ଆକ୍ରମଣ କରିଥିଲା । କିନ୍ତୁ ସବୁ ପ୍ରୟାସରେ ବିଫଳ ହୋଇଥିଲା ତାଲିବାନ । ଏପରିକି ପୂର୍ବରୁ ଆକ୍ରମଣ କରି ତାଲିବାନ ବଡ କ୍ଷତି ସହିଥିଲା । ନଦର୍ଣ୍ଣ ଆଲାଏନ୍ସର ପ୍ରତି ଆକ୍ରମଣରେ ୩୦୦ରୁ ଅଧିକ ତାଲିବାନୀ ନିହତ ହୋଇଥିବା ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା । ତେବେ ଏହି ଆକ୍ରମଣରେ କେତେ ଜଣ ପ୍ରାଣ ହରାଇଥିଲେ ସେନେଇ କୌଣସି ସ୍ପଷ୍ଟ ସୂଚନା ଏଯାଏଁ ମିଳିପାରିନାହିଁ ।

ପଞ୍ଜଶୀର ଘାଟିକୁ କବଜା କରିବାକୁ ତାଲିବାନ ବିଭିନ୍ନ ଉପାୟ ଆପଣାଇଛି । ଏପରିକି ପଞ୍ଜଶୀର ଘାଟିରୁ ଇଣ୍ଟରନେଟ ସଂଯୋଗ ବିଚ୍ଛିନ୍ନ କରିବାକୁ ପଛାଇ ନାହିଁ ତାଲିବାନ । ଏହାସତ୍ତେ୍ୱ ମଧ୍ୟ ନଦର୍ଣ୍ଣ ଆଲାଏନ୍ସ ତାଲିବାନ ବିରୋଧରେ ଯୁଦ୍ଧ ଜାରି ରଖିବାକୁ ନିଷ୍ପତ୍ତି ନେଇଛନ୍ତି । ଏବେ ଆଫଗାନିସ୍ତାନରେ ମିଳିତ ସରକାର ଚଳାଇବା ପାଇଁ ପ୍ରୟାସ ଚଳାଇଛି ତାଲିବାନ । ଏପରିକି ଏହି ସରକାରରେ ନଦର୍ଣ୍ଣ ଆଲାଏନ୍ସକୁ ସାମିଲ କରିବାକୁ ମଧ୍ୟ ପ୍ରସ୍ତାବ ଦେଇଥିବା କୁହାଯାଇଛି । ନଦର୍ଣ୍ଣ ଆଲାଏନ୍ସର ପ୍ରମୁଖ ଅହମ୍ମଦ ମସୁଦ ମଧ୍ୟ ଏହାପୂର୍ବରୁ ସ୍ପଷ୍ଟ କରି ସାରିଛନ୍ତି ଯେ, ଆଲୋଚନା ପାଇଁ ସେ ପ୍ରସ୍ତୁତ । କିନ୍ତୁ ତାଲିବାନ ଶାନ୍ତି ଉପାୟରେ ଆଲୋଚନା ନକରି ଯଦି ଯୁଦ୍ଧ ଚାହୁଁଛି ତାହା ପାଇଁ ମଧ୍ୟ ଆମେ ପ୍ରସ୍ତୁତ ।