ତାଲିବାନ ବର୍ବରତାର ଅସଲ ଚେହେରା: ସାମ୍ବାଦିକଙ୍କୁ ମାଡ ମାରିଲେ, ଲହୁଲୁହାଣ କଲେ ।

91

କନକ ବ୍ୟୁରୋ: ସାମ୍ନାକୁ ଆସିଛି ତାଲିବାନୀ ଆତଙ୍କବାଦୀଙ୍କ ବର୍ବରତା । କଥାରେ ଗୋଟିଏ ଓ କାମରେ ଆଉ କିଛି କରିଦେଖାଇଛି ଆଫଗାନିସ୍ତାନରେ ତାଲିବାନ ସରକାର । ତାଲିବାନ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା କିଛି ମହିଳାଙ୍କ ଖବର ସଂଗ୍ରହ ପାଇଁ ପହଂଚିଥିବା ସାମ୍ବାଦିକଙ୍କ ଏପରି ଅବସ୍ଥା କରିଛି ତାଲିବାନ । ଗଣମାଧ୍ୟମ ପ୍ରତିନିଧିଙ୍କୁ ମାଡ ମାରି ଲହୁଲୁହାଣ କରିଥିବାର ଫଟୋ ଏବେ ଭାଇରାଲ ହେବାରେ ଲାଗିଛି । ଆନ୍ଦୋଳନ ସ୍ଥଳକୁ ଯାଇଥିବା ଏହି ସାମ୍ବାଦିକଙ୍କୁ ମାଡ ମାରି ଲହୁଲୁହାଣ କରିଛନ୍ତି ତାଲିବାନୀ ଆତଙ୍କବାଦୀ । କେବଳ ସାମ୍ବାଦିକ ନୁହଁନ୍ତି, ପ୍ରଦର୍ଶନ କରୁଥିବା ପୁରୁଷଙ୍କ ସମେତ ମହିଳାଙ୍କୁ ମଧ୍ୟ ମାଡ ମାରିଛନ୍ତି । ଯାହାକୁ ସୋସିଆଲ ମଡିଆରେ ନିନ୍ଦା କରାଯାଉଛି ।

କଥା ଦେଇ କଥା ରଖିପାରିଲାନି ତାଲିବାନ ସରକାର । ଆଫଗାନିସ୍ତାନରେ ଏବେ ନିଜର ବର୍ବରତା ଦେଖାଉଛି ତାଲିବାନ । ମହିଳାଙ୍କୁ ଅଧିକାର ମିଳିବ ବୋଲି ବିଶ୍ୱ ସମୁଦାୟକୁ କହୁଥିବା ତାଲିବାନ ଏହି ମହିଳାଙ୍କ ବିକ୍ଷୋଭ ପ୍ରଦର୍ଶନର ଖବର ସଂଗ୍ରହ କରୁଥିବା ଗଣମାଧ୍ୟମ ପ୍ରତିନିଧିଙ୍କୁ ମାଡ ମାରି ଲହୁଲୁହାଣ କରିପକାଇଛି । ଯାହା ତାଲିବାନୀ ଶାସନର ଅସଲ ଚେହେରା ବିଶ୍ୱ ସାମ୍ନାକୁ ଆଣିଦେଇଛି । ତାଲିବାନ ସରକାର ଗଠନ କରିବା ପରେ ଦୁଇ ଦିନ ହେବ କାବୁଲରେ ବିରୋଧ ପ୍ରଦର୍ଶନ ଦେଖିବାକୁ ମିଳୁଛି । ଯେଉଁଥିରେ ପୁରୁଷଙ୍କ ସମେତ ମହିଳାମାନେ ମଧ୍ୟ ସାମିଲ ହେଉଛନ୍ତି । ଆଫଗାନିସ୍ତାନରେ ସରକାର ବିରୋଧୀ ଅସନ୍ତୋଷ ବଢିବାରେ ଲାଗିଛି ।

ବିନା ଅନୁମତିରେ ଆଫଗାନିସ୍ତାନରେ ପ୍ରଦର୍ଶନ କରାଯାଇପାରିବନାହିଁ । ୨୪ଘଂଟା ପୂର୍ବରୁ ଅନୁମତି ନେବାକୁ ପଡିବ । ନୂଆ ନିୟମ ଅନୁସାରେ, ବିରୋଧ ପ୍ରଦର୍ଶନ ପାଇଁ ଆଇନ ମନ୍ତ୍ରଣାଳୟର ଅନୁମତି ନେବାକୁ ପଡିବ । ବିରୋଧ ପ୍ରଦର୍ଶନ ବେଳେ କେଉଁ ନାରା ଦିଆଯିବ, ସ୍ଥାନ, ସମୟ ଓ ଲକ୍ଷ୍ୟ ସମ୍ପର୍କରେ ପ୍ରଶାସନକୁ ଜଣାଇବାକୁ ହେବ । ଏହା ନ କଲେ ଉଲ୍ଲଙ୍ଘନକାରୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ତାଲିବାନ ସରକାର ଧମକ ଦେଇଛନ୍ତି । ଆଫଗାନିସ୍ତାନରେ ନୂଆ ସରକାର ବିରୋଧରେ ଅସନ୍ତୋଷ ବଢିବାରେ ଲାଗିଛି । କାବୁଲ ସମେତ ବିଭିନ୍ନ ସ୍ଥାନରେ ପ୍ରଦର୍ଶନ ହୋଇଛି ।