ପଞ୍ଜଶୀର କବଜା ପାଇଁ ଜୋର ଲଗାଉଛି ତାଲିବାନ । ଅତର୍କିତ କଲା ଆକ୍ରମଣ, ବିସ୍ଫୋରଣରେ ଉଡାଇଲା ପୋଲ ।

259

କନକ ବ୍ୟୁରୋ : ଆଫଗାନିସ୍ତାନକୁ କବଜା କରିବା ପରେ ସରକାର ଗଠନ ପାଇଁ ଜୋରଦାର ଉଦ୍ୟମ ଚଳାଇଛି ତାଲିବାନ । ଏପରିକି ଆଫଗାନିସ୍ତାନରେ ଶାନ୍ତିର ସହ ସରକାର ଗଠନ ପାଇଁ ପକ୍ରିୟା ଜାରି ରହିଥିବା ନେଇ ତାଲିବାନ ବିଶ୍ୱ ସମୁଦାୟକୁ ବାର୍ତ୍ତା ଦେଉଛି । କିନ୍ତୁ ଅନ୍ୟପଟେ ଦେଶ ଭିତରେ ତାଲିବାନ ତାର ଉଗ୍ର ଓ ଅସଲ ରୂପ ଦେଖାଇବାରେ ଆଦୌ ପଛଘୁଞ୍ଚା ଦେଉନାହିଁ । ଆଫଗାନିସ୍ତାନରୁ ଆମେରିକା ସେନା ବିଦାୟ ନେବା ପରେ ଏବେ ତାଲିବାନ ନଜରରେ ରହିଛି ପଞ୍ଜଶୀର । ଏପରିକି ପଞ୍ଜଶୀର ଘାଟି ଉପରେ ବାରମ୍ବାର ଆକ୍ରମଣ ଉଦ୍ୟମ କରୁଛି ତାଲିବାନ ।

ମିଳିଥିବା ସୂଚନା ମୁତାବକ, ମଙ୍ଗଳବାର ରାତିରେ ପଞ୍ଜଶୀର ଘାଟିରେ ପୁଣିଥରେ ଆକ୍ରମଣ ଉଦ୍ୟମ କରି ଫେଲ ମାରିଛି ତାଲିବାନ । ପଞ୍ଜଶୀର ଘାଟିକୁ ପ୍ରବେଶ ପାଇଁ ତାଲିବାନ ଯୁବକ ଉଦ୍ୟମ କରୁଥିବା ବେଳେ ନଦର୍ଣ୍ଣ ଆଲାଏନ୍ସ ସହ ମୁହାଁମୁହିଁ ହୋଇଛି । ତେବେ ତାଲିବାନ ପଞ୍ଜଶୀର ଘାଟିରେ ଏକ ପୋଲକୁ ବିସ୍ଫୋରଣ କରି ଉଡାଇ ଦେଇଥିବା ବେଳେ କିଛି ତାଲିବାନୀ ଯୁବକ ନଦର୍ଣ୍ଣ ଆଲାଏନ୍ସର ସେନା ହାତରେ ଧରାପଡିଛନ୍ତି ।

ଏହାପୂର୍ବରୁ ସୋମବାର ମଧ୍ୟ ପଞ୍ଜଶୀର ଘାଟିକୁ ପ୍ରବେଶ ଉଦ୍ୟମ କରିବା ସହ ନଦର୍ଣ୍ଣ ଆଲାଏନ୍ସ ଉପରେ ଅତର୍କିତ ଆକ୍ରମଣ କରିଥିଲା ତାଲିବାନ । ତେବେ ପୂର୍ବରୁ ସଜାଗ ଥିବା ନଦର୍ଣ୍ଣ ଆଲାଏନ୍ସର ସେନା ଏହାର ପ୍ରତିଜବାବ ଦେଇଥିଲେ । ଯେଉଁଥିରେ ୭ରୁ ୮ ଜଣ ତାଲିବାନୀଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଥିଲା । ଏହାପୂର୍ବରୁ ପଞ୍ଜଶୀର ଘାଟିରୁ ଇଣ୍ଟରନେଟ ସଂଯୋଗ କାଟିଦେଇଥିଲା ତାଲିବାନ ।

ପଞ୍ଜଶୀର ଘାଟି ଏବେ ମଧ୍ୟ ତାଲିବାନ ଠାରୁ ମୁକ୍ତ ରହିଛି । ଅନେକ ପ୍ରଚେଷ୍ଟା ପରେ ମଧ୍ୟ ତାଲିବାନ ପଞ୍ଜଶୀର ଘାଟି ମଧ୍ୟରେ ନିଜର ଦବଦବା ଜାହିର କରିପାରୁନି । କାରଣ ପଞ୍ଜଶୀର ଘାଟିରେ ଅହମ୍ମଦ ମସୁଦଙ୍କ ନେତୃତ୍ୱାଧୀନ ନଦର୍ଣ୍ଣ ଆଲାଏନ୍ସ ତାଲିବାନ ଶାସନକୁ ବିରୋଧ କରିବା ସହ ଲଢେଇ ପାଇଁ ପ୍ରସ୍ତୁତ ହୋଇ ରହିଛି ।