କନକ ବ୍ୟୁରୋ : ଆଫଗାନିସ୍ତାନରେ ତାଲିବାନ ସରକାର ଶପଥଗ୍ରହଣ ଉତ୍ସବ କରିବ ନାହିଁ । ଏଭଳି କାର୍ଯ୍ୟକ୍ରମରେ ଅର୍ଥ ବର୍ବାଦ କରିବାକୁ ଚାହୁଁନଥିବା ତାଲିବାନ ପକ୍ଷରୁ କୁହାଯାଇଛି । ଆଫଗାନିସ୍ତାନ ରାଜଧାନୀ କାବୁଲକୁ ଅଗଷ୍ଟ ୧୫ ତାରିଖରେ ତାଲିବାନ ଦଖଲ କରିବା ପରେ ଏବେ ତାଲିବାନ ସେଠାରେ ସରକାର ଗଠନ କରିଛି । ଏହି ସରକାରରେ ମୁଲ୍ଲା ହସନ ଅଖୁଁଦଙ୍କୁ ପ୍ରଧାନମନ୍ତ୍ରୀ କରାଯାଇଛି । ଏହାସହ ମୁଲ୍ଲା ଅବ୍ଦୁଲ ଗନି ବରାଦର ଉପ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନେଇଛନ୍ତି ।

Advertisment

ନୂଆ ସରକାରର ମନ୍ତ୍ରୀ ମାନଙ୍କ ଲିଷ୍ଟ ଜାରି ହେବା ପରେ ଅନୁମାନ କରାଯାଉଛି କି ଖୁବଶୀଘ୍ର ଶପଥ ଗ୍ରହଣ ଉତ୍ସବ ଆୟୋଜିତ ହୋଇପାରେ । ଏହି ଶପଥଗ୍ରହଣ ଉତ୍ସବକୁ ଚୀନ, ପାକିସ୍ତାନ, ଋଷ ସହ ଅନ୍ୟ ୩ ଟି ଦେଶକୁ ନିମନ୍ତ୍ରଣ କରାଯାଇପାରେ । ହେଲେ ଏଭଳି ଆୟୋଜନ କରି ଅର୍ଥ ବର୍ବାଦ କରିବାକୁ ମନା କରିଛି ତାଲିବାନ ।

ଅନ୍ୟପଟେ କିଛି ଅନ୍ତର୍ଜତୀୟ ଗଣମାଧ୍ୟମ ଅନୁମାନ କରିଥିଲା କି ସେପ୍ଟେମ୍ବର ୧୧ ତାରିଖରେ ଏହି ଶପଥଗ୍ରହଣ ଉତ୍ସବ ଆୟୋଜିତ ହୋଇପାରେ । କାରଣ ୨୦ ବର୍ଷ ପୂର୍ବେ ଏହି ଦିନରେ ଆତଙ୍କବାଦୀମାନେ ଆମେରିକା ଉପରେ ଆକ୍ରମଣ କରିଥିଲେ । ଏନେଇ ଆଜି ଉତ୍ସବ ପାଳନ ହେଉଥିବା ବେଳେ ଆମେରିକାର କଟା ଘାରେ ଚୁନ ଲଗାଇବାକୁ ଆଜି ତାଲିବାନ ଆଫଗାନିସ୍ତାନରେ ଶପଥ ଗ୍ରହଣ ଉତ୍ସବ ଆୟୋଜିତ କରିବ ବୋଲି ଅନୁମାନ କରାଯାଉଥିଲା ।