ଅଭାବରେ ପଡି ମେଧାବୀ ଛାତ୍ରୀ ହେଲେ ମଜୁରିଆ । ମାଟ୍ରିକରେ ୮୫ ପ୍ରତିଶତ ମାର୍କ ରଖି ପାସ୍ ହେବା ପରେ କଲମ ନୁହେଁ ଧରୁଛନ୍ତି କୋଦାଳ, ମୂଲ ଲାଗିଲେ ଜଳୁଛି ପରିବାରର ଚୁଲି ।

297

କନକ ବ୍ୟୁରୋ : ଅଭାବ ଭିତରେ ହଜିଗଲା ମାଟ୍ରିକ ସଫଳତାର ଖୁସି । ୮୫ ପ୍ରତିଶତ ମାର୍କ ରଖିଥିଲେ ମଧ୍ୟ ଅଭାବ ଅନଟନ ଯୋଗୁଁ ଆଗକୁ ଉଚ୍ଚ ଶିକ୍ଷା ଆଶା ଯେମିତି ମଉଳିବାରେ ଲାଗିଛି । ପେଟ ପୋଷିବାକୁ ପରଘରେ ମୂଲ ଲାଗିବାକୁ ଯାଉଛନ୍ତି ମେଧାବୀ ଛାତ୍ରୀ । ଆସନ୍ତୁ ଜାଣିବା କେନ୍ଦୁଝର ହାଟଡ଼ିହି ବ୍ଲକ ସଂଗମ ଗାଁର ରାଣୀ ହେମ୍ବ୍ରମଙ୍କ କାହାଣୀ ।

ହାତରେ କଲମ ଧରିବା ବଦଳରେ ଧରୁଛି କୋଦାଳ । ପାଠ ପଢିବା ସମୟରେ ପରଘରେ ଲାଗୁଛି ମୂଲ । ମୁଣ୍ଡରେ ଲୁହାର କଡେଇରେ ଇଟା ପଥର ନୁହେଁ, ମୁଣ୍ଡେଇଛି ପରିବାର ବୋଝ । ଗରିବି ଆଜି ଜଣେ ମେଧାବୀ ଛାତ୍ରୀଙ୍କୁ ସଜେଇ ଦେଇଛି ଦିନ ମଜୁରିଆ । କେନ୍ଦୁଝର ଜିଲ୍ଲା ହାଟଡିହିର ରାଣୀ ହେମ୍ବ୍ରମ୍ । ଦଶମରେ ୮୫ ପ୍ରତିଶତ ମାର୍କ ରଖି ପାସ୍ କରିଛି । ହେଲେ ଅର୍ଥ ଅଭାବ ତା ପାଠ ପଢାରେ ବାଧକ ସାଜିଛି । ପାଠ ପଢି ଡାକ୍ତର ହେବାର ସ୍ୱପ୍ନ ରଖିଛି ।

ରାଣୀ ହେମ୍ବ୍ରମଙ୍କ ପରିବାର କହିଲେ ବିଧବା ମା, ଦୁଇ ଭାଇ ଭଉଣୀ । ବାପାଙ୍କ ଦେହାନ୍ତ ପରେ ଘର ଚଳିବାରେ ଅସୁବିଧା ହେବାରୁ ରାଣୀ ନିୟମିତ ମୂଲ ଲାଗୁଛି । ଦିନରେ ମଜୁରୀ ଓ ରାତିରେ ସେ ପାଠ ପଢୁଛି । ମଜୁରୀରୁ ମିଳୁଥିବା ଅର୍ଥରୁ ପରିବାର ଚଳିବା ପରେ ବଳକା ଅର୍ଥ ସଞ୍ଚୟ କରି ପାଠ ପଢିବାକୁ ଲକ୍ଷ୍ୟ ରଖିଛି ରାଣୀ ହେମ୍ବ୍ରମ । ଆଉ ଏହା ଜାଣିବା ପରେ ଅଂଚଳର ଲୋକେ ରାଣୀଙ୍କ ପରିବାରକୁ ଆର୍ଥିକ ସହାୟତା ଯୋଗାଇ ଦେବାକୁ ସରକାରଙ୍କୁ ନିବେଦନ କରିଛନ୍ତି ।