କନକ ବ୍ୟୁରୋ : ତାଳଚେରକୁ ନେଇ ତାତୁଛି ଅନୁଗୁଳ ରାଜନୀତି । ପ୍ରାୟ ୩ ଦଶନ୍ଧି ହେବ ଅଣକଂଗ୍ରେସ ଗଡ ଭାବେ ପରିଚିତ ହୋଇ ଆସୁଥିବା ତାଳଚେର ଆସନରେ ଚଳିତ ଥର ଦେଖିବାକୁ ମିଳିପାରେ ତ୍ରିମୁଖୀ ଲଢେଇ ।ତେବେ ତାଳଚେର ବିଧାନସଭା ଆସନରେ ଗୋଷ୍ଠୀ ବିବାଦ ଏବେ ସବୁ ଦଳ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ଅଥାର୍ତ ଯେଉଁ ପ୍ରାର୍ଥୀ ବିବାଦକୁ ତୁଟାଇ ପାରିବ, ଅସନ୍ତୁଷ୍ଟଙ୍କୁ ନିଜ ଆଡକୁ ଟାଣିବ ଓ ତଳିପକା ଉଦ୍ୟମରେ ସଫଳ ହେଲେ ଏହି ଆସନରେ ତାଙ୍କର ବିଜୟ ସମ୍ଭାବନା ସେତିକି ବଢିବ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି । କହିବାକୁ ଗଲେ ତାଳଚେର ବାଜି ଜିତିବାକୁ ହେଲେ ତିନି ଦଳକୁ ଏସିଡ ଟେଷ୍ଟର ସମ୍ମୁଖୀନ ହେବାକୁ ପଡିବ ।
୨୦୦୯ରେ ସ୍ବାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ି ତାଳଚେର ବିଧାୟକ ହୋଇଥିଲେ ବ୍ରଜକିଶୋର ପ୍ରଧାନ। ବିଜେଡି ଓ ବିଜେପିର ଫାଇଟରେ ବାଜି ମାରି ନେଇଥିଲେ ବ୍ରଜକିଶୋର । ୨୦୧୪ ନିର୍ବାଚନରେ ବିଜେଡି ତାଙ୍କୁ ଟିକେଟ ଦେଇଥିଲେ ଓ ସେ ଜିତିଥିଲେ। ତାଙ୍କୁ ୫୬,୪୬୫ ଖଣ୍ତ ଭୋଟ ମିଳିଥିଲା ବେଳେ ବିଜେପିର କାଳନ୍ଦି ସାମଲ ୪୨,୧୪୩ ଖଣ୍ଡ ପାଇ ଦ୍ବିତୀୟ ସ୍ଥାନରେ ରହିଥିଲେ। ୧୪,୩୯୬ ଖଣ୍ଡ ଭୋଟରେ ସନ୍ତୁଷ୍ଟ ହୋଇଥିଲେ କ˚ଗ୍ରେସ ପ୍ରାର୍ଥୀ ସସ୍ମିତା ବେହେରା। ୨୦୦୯ ଓ ୨୦୧୪ ପରେ ହ୍ୟାଟ୍ରିକ ବିଜୟ ହାସଲ କରିବା ଲକ୍ଷ୍ୟରେ ଥିବା ବ୍ରଜକିଶୋଙ୍କ ପାଇଁ ଅଡୁଆ ସୃଷ୍ଟି କରିପାରେ ଗୋଷ୍ଠୀ ବିବାଦ ।
ଧୀରେ ଧୀରେ ତାଳଚେର ଆସନରେ ତାଙ୍କର ପ୍ରଭାବ କମୁଥିବା ବେଳେ ପୁଣିଥରେ ୧୯ରେ ଟିକେଟ ପାଇବାକୁ ସାଙ୍ଗଠନିକ ଶକ୍ତି ବୃଦ୍ଧି କରିବାରେ ଲାଗିପଡିଛନ୍ତି ବ୍ରଜ । ତେବେ ଅନୁଗୁଳ ଜିଲ୍ଲା ବିଜେଡି କୃଷକ ଶାଖାର ଦାୟିତ୍ୱ ମିଳିବା ପରେ ସେ ବିଜେଡି ସୁପ୍ରିମୋଙ୍କ ଗୁଡବୁକରେ ଥିବା ଚର୍ଚ୍ଚା ହେଉଛି । ତେବେ କେତେକ କାରଣରୁ ବ୍ରଜକିଶୋର ବିବାଦରେ ରହିଥିବା ବେଳେ ସାଂସଦଙ୍କ ସମର୍ଥକ ଗୋଷ୍ଠୀ ସହ ମଧ୍ୟ ତାଙ୍କର ଭଲ ସର୍ମ୍ପକ ନାହିଁ । ଏହାକୁ ଲକ୍ଷ୍ୟ ରଖି ତାଳଚେରର ପୂର୍ବତନ ବିଧାୟକ ତଥା ବର୍ତ୍ତମାନର ପାଳଲହଡ଼ା ବିଧାୟକ ମହେଶ ସାହୁଙ୍କ ଦୃଢ଼ ସମର୍ଥକ ମନୋଜ ପ୍ରଧାନ, ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟା ରୀତା ଦାସ, ସାଂସଦଙ୍କ ପ୍ରତିନିଧି ଗଦାଧର ସାହୁ ପ୍ରମୁଖ ନିର୍ବାଚନୀ ଦୌଡ଼ରେ ସାମିଲ ହୋଇଛନ୍ତି ।
ଅନ୍ୟପଟେ ୨୦୦୯ ପୂର୍ବରୁ ବିଜେପି ଏଠାରେ ହ୍ୟାଟ୍ରିକ ବିଜୟ ହାସଲ କରିଥିବା ବେଳେ ଗତ ପଞ୍ଚାୟତ ନିର୍ବାଚନରେ ମଧ୍ୟ ପଦ୍ମର ବାସ୍ନାରେ ମହକିଥିଲା ତାଳଚେର । ଏହି ବିଧାନସଭା କ୍ଷେତ୍ର ଅର୍ନ୍ତଗତ ୫ଟି ଜିଲ୍ଲା ପରିଷଦ ଜୋନରୁ ୪ଟି ବିଜେପି ଅକ୍ତିଆର କରିଥିଲା। ବିଜେଡି ମାତ୍ର ଗୋଟିଏ ଆସନରେ ଅଟକିଯାଇଥିଲା। ତାଳଚେର ପଞ୍ଚାୟତ ସମିତି ଅଧ୍ୟକ୍ଷ ପଦ ବି ବିଜେପି ଖାତାକୁ ଯାଇଥିଲା। ଯାହା ବିଜେପିକୁ ୨୦୧୯ ନିବାର୍ଚନ ପାଇଁ ଗୋଟିଏ ପାଦ ଆଗରେ ରଖିଛି ।
ତେବେ ଶାସକ ବିଜେଡି ଭଳି ଦୁଇ ବିରୋଧୀ ଦଳ ବିଜେପି ଓ କଂଗ୍ରେସ ବି ଗୋଷ୍ଠୀ କନ୍ଦଳରୁ ମୁକ୍ତ ନାହିଁ। କାଳନ୍ଦୀ ସାମଲ ଏଥର ମଧ୍ୟ ବିଜେପିର ପ୍ରାର୍ଥୀ ଦୌଡରେ ଅଛନ୍ତି। ତାଙ୍କ ବ୍ୟତୀତ ବିଜେପି ଜିଲ୍ଲା ଉପସଭାପତି ତଥା ଅନୁଗୁଳ ପ୍ରଭାରୀ ଯଯାତି ପଟ୍ଟନାୟକ, ବିରଞ୍ଚି ସାହୁ ମଧ୍ୟ ଦଳୀୟ ଟିକେଟ ଆଶାୟୀ। ତାଳଚେର ଆଗରୁ ବିଜେପିର ଦୁର୍ଗ ଥିଲା। ଏହି ଦୁର୍ଗକୁ ପୁଣି ଅକ୍ତିଆର କରିବା ପାଇଁ ଅନ୍ୟ ଦଳର କର୍ମୀଙ୍କୁ ବିଜେପିରେ ସାମିଲ କରାଯାଉଛି। ତେବେ ନୂଆ କର୍ମୀ ଓ ପୁରୁଣାଙ୍କ ମନର ମିଳନ ହୋଇନପାରିବା ଦଳ ପାଇଁ ଆଉ ଏକ ସମସ୍ୟା ଛିଡ଼ା କରିଛି।
ଅପରପକ୍ଷରେ ଓଡ଼ିଶା ପ୍ରଦେଶ କଂଗ୍ରେସର ନେତୃତ୍ବ ପରିବର୍ତ୍ତନ ଏବଂ ଛତିଶଗଡ଼, ରାଜସ୍ଥାନ ଓ ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନରେ କଂଗ୍ରେସର ବିଜୟ ଯୋଗୁଁ ଦଳୀୟ କର୍ମୀ ଓ ସମର୍ଥକଙ୍କ ମଧ୍ୟରେ ଉତ୍ସାହ ବଢ଼ିଛି। କଂଗ୍ରେସର କେଶବ ଭୁତିଆ, ସୁରେଶ ବେହେରା, ବିଷ୍ଣୁ ମୋହନ ରଥ, ପ୍ରଫୁଲ୍ଲ ଦାଶ, ଦିଗାମ୍ବର ଗଡ଼ନାୟକ ପ୍ରମୁଖ ଟିକେଟ ଦୌଡ଼ରେ ରହିଛନ୍ତି। ଗୋଷ୍ଠୀ ବିବାଦ କାରଣରୁ କଂଗ୍ରେସ ପ୍ରାର୍ଥୀଙ୍କୁ ବି ବିରୋଧୀ ଗୋଷ୍ଠୀର ଅସନ୍ତୋଷର ଶିକାର ହେବାକୁ ପଡ଼ିପାରେ। ଅତଏବ ଗୋଷ୍ଠୀ ବିବାଦ ଏଥର ସବୁ ଦଳର ପ୍ରାର୍ଥୀଙ୍କ ପାଇଁ ଘାତକ ହେବ। ତେଣୁ ବିଜେଡି, ବିଜେପି ଓ କଂଗ୍ରେସ ମଧ୍ୟରେ ହେବାକୁ ତ୍ରିମୁଖୀ ଲଢେଇରେ ଯିଏ ଅସନ୍ତୁଷ୍ଟଙ୍କୁ ମନାଇବାରେ ସକ୍ଷମ ହେବ ସେ ହିଁ ପିନ୍ଧିବ ତାଳଚେରର ତାଜ୍ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/02/TALCHER_00198.png)