୧୭ ବର୍ଷରେ ୪୩ କି.ମି. କାମ, ବାକି ଅଛି ୧୦୬ କି.ମି. : ତାଳଚେର-ବିମଳାଗଡ଼ ରେଳପଥକୁ ଲାଗିବ ଆହୁରି ୪୨ ବର୍ଷ!

123

କନକ ବ୍ୟୁରୋ : ଛଅ ଦଶନ୍ଧିର ବହୁ ପ୍ରତୀକ୍ଷିତ ତାଳଚେର-ବିମଳାଗଡ଼ ରେଳପଥର ନିର୍ମାଣ କାର୍ଯ୍ୟ ଏତେ ମନ୍ଥର ଗତିରେ ଚାଲିଛି ଯେ ଏହା ସତରେ ଯେ କେବେ ଶେଷ ହେବ, ସେ ନେଇ ସନ୍ଦେହ ସୃଷ୍ଟି ହୋଇଛି। ଆରମ୍ଭ ହେବାର ୧୭ ବର୍ଷ ମଧ୍ୟରେ ମାତ୍ର ୪୩ କି.ମି.ର କାମ ଶେଷ ହୋଇଛି। ଅର୍ଥାତ୍ ବର୍ଷକୁ ପାଖାପାଖି ୨.୫ କି.ମି. କାମ ହେଉଛି। ଏହି ହିସାବରେ ବାକିଥିବା ୧୦୬. ୭୪୩ କି.ମି. ନିର୍ମାଣକୁ ଆହୁରି ୪୨ ବର୍ଷ ଲାଗିଲେ, ଆଶ୍ଚର୍ଯ୍ୟ ହେବାର କିଛି ନାହିଁ।

ପ୍ରତିବର୍ଷ ରେଳ ବଜେଟ୍‌ରେ ଏହି ରେଳପଥ ପାଇଁ ଅନୁଦାନ ରାଶି ବଢ଼ିଛି। ୨୦୦୩-୦୪ରୁ ଆଜି ପର୍ଯ୍ୟନ୍ତ, ଅର୍ଥାତ୍‌ ୧୭ ବର୍ଷ ମୋଟ୍‌ ୧୪୯୦ କୋଟି ଟଙ୍କା ଆସିଛି ଏହାର ନିର୍ମାଣ ପାଇଁ। କିନ୍ତୁ ବିଡ଼ମ୍ବନା ଯେ ସେଥିରୁ ଫେରି ଯାଇଛି ୧୨୧୩ କୋଟି। ଅର୍ଥାତ୍ ଖର୍ଚ୍ଚ ହୋଇଛି ମାତ୍ର ୨୭୬.୧୫ କୋଟି ଟଙ୍କା। ଏହାର ନିର୍ମାଣରେ ବଡ଼ ବାଧକ ସାଜିଛି ଜମି ଅଧିଗ୍ରହଣ। ପ୍ରକଳ୍ପ ପାଇଁ ମୋଟ୍‌ ୨,୦୦୮ ଏକର ଘରୋଇ, ସରକାରୀ ଓ ଜଙ୍ଗଲ ଜମି ଅଧିଗ୍ରହଣ କରିବାକୁ ଥିବାବେଳେ ଅଧିଗ୍ରହଣ ହୋଇଛି ୧୫୦୭ ଏକର। ଏବେ ବି ୫୦୧ ଏକର ଜମି ଅଧିଗ୍ରହଣ ହେବାକୁ ବାକି ରହିଛି। ସେଠାରେ ସମସ୍ୟା ଅଛି ଜଟିଳତମ। ତେଣୁ ଏଥିପାଇଁ ଆଉ କେତେ ବର୍ଷ ଲାଗିବ କାହା ପାଖରେ ଉତ୍ତର ନାହିଁ।

ଏହି ରେଳ ପ୍ରକଳ୍ପ ପାଇଁ ଆରମ୍ଭରେ ମୋଟ୍‌ ୭୨୬ କୋଟି ଟଙ୍କା ବ୍ୟୟ ହେବ ବୋଲି କୁହାଯାଇଥିଲା। ପ୍ରଥମ ପର୍ଯ୍ୟାୟରେ ତାଳଚେରରୁ ସୁନାଖଣି ଷ୍ଟେସନ ପର୍ଯ୍ୟନ୍ତ ପ୍ରାୟ ୨୦ କି.ମି. କାମ ୨୦୦୭-୦୮ ଜୁନ୍‌ରେ ଶେଷ ହୋଇଥିଲା। ସୁନାଖଣିରୁ ବିମଳାଗଡ଼ ପର୍ଯ୍ୟନ୍ତ କାମ ୨୦୧୮ ମାର୍ଚ୍ଚ ସୁଦ୍ଧା ଶେଷ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା। କିନ୍ତୁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଉପଯୁକ୍ତ ସମନ୍ବୟ ଅଭାବରୁ ରେଳପଥ ନିର୍ମାଣ କାର୍ଯ୍ୟ ଆଗେଇ ପାରୁନାହିଁ। ସୁନ୍ଦରଗଡ଼ ଜିଲ୍ଲାରେ ଘରୋଇ ଜମି ୨୪୮ ଏକର, ସରକାରୀ ଜମି ୨୦୨ ଏକର, ଜଙ୍ଗଲ ଜମି୧୬୩ ଏକର ଏବଂ ଦେବଗଡ଼ ଜିଲ୍ଲାର ଘରୋଇ ଜମି ୧୯୨ ଏକର, ସରକାରୀ ଜମି ୮୧ ଏକର ଓ ଜଙ୍ଗଲ ଜମି ୧୮୨ ଏକର ଅଧିଗ୍ରହଣ କରିବାକୁ ବାକି ଅଛି। ପୂର୍ବରୁ ଅବସରପ୍ରାପ୍ତ ଅତିରିକ୍ତ ଜିଲ୍ଲାପାଳ ଅଶୋକ କୁମାର ସିଂହଙ୍କୁ ଜମି ଅଧିଗ୍ରହଣ ଅଧିକାରୀ ଦାୟିତ୍ବ ଦିଆଯାଇଥିଲା।

ତାଙ୍କ କାର୍ଯ୍ୟକାଳ ୨୦୨୦ ମାର୍ଚ୍ଚ ପର୍ଯ୍ୟନ୍ତ ଥିବାବେଳେ ରାଜ୍ୟ ସରକାର ୨୦୧୯ ଅକ୍ଟୋବରରେ ତାଙ୍କୁ ପଦରୁ ହଟାଇ ଦେଇଥିଲେ। ତାଙ୍କ ସ୍ଥାନରେ ଏବେ ପ୍ରମୋଦ କୁମାର ଉର୍ମିଙ୍କୁ ଦାୟିତ୍ବ ଦିଆ ଯାଇଛି। ଶ୍ରୀ ଉର୍ମି ଜମି ଅଧିଗ୍ରହଣ କାର୍ଯ୍ୟକୁ ଆଗେଇ ନେବାରେ କେତେ ସକ୍ଷମ ହେଉଛନ୍ତି, ସମୟ କହିବ। ୧୯୫୫ରେ ରାଉରକେଲା ଇସ୍ପାତ କାରଖାନା (ଆର୍‌ଏସ୍‌ପି) ପ୍ରତିଷ୍ଠା ପାଇଁ ଜର୍ମାନୀରୁ ଆବଶ୍ୟକ ବଡ଼ ବଡ଼ ଯନ୍ତ୍ରପାତିକୁ ଜଳପଥରେ ଆଣିବାକୁ ପଡିଥିଲା। ବମ୍ବେ ବା ଭାଇଜାଗ୍ ବନ୍ଦରରୁ ସେଗୁଡ଼ିକୁ ରାଉରକେଲା ପର୍ଯ୍ୟନ୍ତ ଆଣିବା ଅତ୍ୟନ୍ତ କଷ୍ଟକର ବ୍ୟାପାର ଥିଲା। ଏଥିପାଇଁ ଜର୍ମାନ ଇଞ୍ଜିନିୟରମାନେ ପାରାଦୀପ ବନ୍ଦରକୁ ବୃହତ ବନ୍ଦରରେ ପରିଣତ କରି ତାହାକୁ ରେଳପଥ ସଂଯୋଗ କରିବାକୁ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦେଇଥିଲେ। ଜର୍ମାନ ଇଞ୍ଜିନିୟରମାନେ ତାଳଚେର-ବିମଳାଗଡ଼ ରେଳପଥ ପାଇଁ ସର୍ଭେ କରି ମୋଟ୍‌ ୯୨ କି.ମି. ରେଳ ଲାଇନ୍ ବିଛାଇବା ଲାଗି ୧୨ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଅଟକଳ କରିଥିଲେ। ତେବେ ତାହା ହୋଇ ନଥିଲା।

ପରବର୍ତ୍ତୀ ସମୟରେ, ଅର୍ଥାତ୍‌ ୧୯୬୯ ଜାନୁଆରି ୨୫ରେ ଉତ୍କଳ ଚାମ୍ବର ଅଫ୍‌ କର୍ମସ ଓ ଓଡ଼ିଶା ବଣିକ ସଂଘ ୪ର୍ଥ ପଞ୍ଚବାର୍ଷିକ ଯୋଜନାରେ ତାଳଚେର- ବିମଳାଗଡ଼ ରେଳପଥ ନିର୍ମାଣ କରିବାକୁ ଦାବି କରିଥିଲେ। ତାଳଚେର- ବିମଳାଗଡ଼ ରେଳପଥ ନିର୍ମାଣ ସପକ୍ଷରେ ଜମମତ ସୃଷ୍ଟି କରିବା ଉଦ୍ଦେଶ୍ୟରେ ରାଉରକେଲାରେ ଛାତ୍ର କ୍ରିୟାନୁଷ୍ଠାନ କମିଟି ଗଠନ ହୋଇଥିଲା। ଏହି ଆନ୍ଦୋଳନ ଆଜି ମଧ୍ୟ ଜାରି ରହିଛି, କିନ୍ତୁ ଏଯାଏ ନିର୍ମାଣ କାର୍ଯ୍ୟ ଶେଷ ହୋଇନାହିଁ। ମଝିରେ ଅନେକ ଥର ଏନେଇ ଲୋକଙ୍କୁ ପ୍ରତିଶ୍ରୁତି ଦିଆ ଯାଇଛି। ୨୦୦୧-୦୨ରେ ତତ୍କାଳୀନ ରେଳମନ୍ତ୍ରୀ ମମତା ବାନାର୍ଜୀ ଏହି ରେଳପଥର ଦୈର୍ଘ୍ୟ ୧୫୪ କି.ମି. ହେବ ଏବଂ ୬୦୬ କୋଟି ୬୦ ଲକ୍ଷ ଟଙ୍କା ଖର୍ଚ୍ଚ ହେବ ବୋଲି କହିଥିଲେ।

ପୁଣି ୨୦୦୩-୦୪ ସୁନ୍ଦରଗଡ଼ ସାଂସଦ ତଥା ତତ୍କାଳୀନ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ଉଦ୍ୟମରେ କ୍ୟାବିନେଟ୍‌ ବୈଠକରେ ରେଳ ମନ୍ତ୍ରଣାଳୟ ଏହି ପ୍ରକଳ୍ପ କରିବାକୁ ଉତ୍ସାହ ଦେଖାଇଥିଲେ। ଇତିମଧ୍ୟରେ ମୂଳ ଯୋଜନାରେ ୧୫୪ କି.ମି.ର ଏହି ରେଳପଥ ସମଲ ବ୍ରିଜ୍‌ ନିକଟ ୫ କି.ମି.ଟନେଲ୍‌ ପାଇଁ ୧୪୯ କି.ମି. ହେବ ବୋଲି ସ୍ଥିର କରା ଯାଇଛି। କିନ୍ତୁ ରାଜନୈତିକ ଇଚ୍ଛାଶକ୍ତି ଏବଂ ସହମତିର ଅଭାବ କାରଣରୁ ପ୍ରକଳ୍ପଟି ଅଧାରେ ଅଟକି ରହିଛି। ଏହା ଏପରି ସ୍ଥଳରେ ଅଟକିଛି ଯେ ନିଷ୍ଠାପର ଉଦ୍ୟମ ବିନା ତାହାର ସମାଧାନ ନିକଟ ଭବିଷ୍ୟତରେ ସମ୍ଭବ ମନେ ହେଉନାହିଁ। ଉଲ୍ଲେଖନୀୟ ଯେ ପ୍ରଥମ ପର୍ଯ୍ୟାୟ ଅର୍ଥାତ୍‌ ୨୦୦୩-୦୪ରେ ଜମି ଅଧିଗ୍ରହଣ ପାଇଁ ମାତ୍ର ୧ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିଲା। ୨୦୦୪-୦୫ ଆର୍ଥିକ ବର୍ଷରେ ୧ ଲକ୍ଷ ବଢ଼ି ୧ କୋଟି ହୋଇଥିଲା। ଏମିତି ଭାବେ ୨୦୧୭-୧୮ରେ ସର୍ବାଧିକ ୨୯୦ କୋଟି ଟଙ୍କା ମଞ୍ଜୁର ହୋଇଥିଲା। ତେବେ ୨୦୧୮-୧୯ରେ ଅନୁଦାନ ରାଶି ହ୍ରାସ ପାଇ ୧୫୦ କୋଟିରେ ପହଞ୍ଚିଥିଲା। ୨୦୧୯-୨୦ରେ ତାହା ପୁଣି ହ୍ରାସପାଇ ୧୪୦ କୋଟି ହୋଇଛି।

Comments are closed.