ତୁରନ୍ତ ତ୍ୱରାନ୍ୱିତ ହେଉ ତାଳଚେର-ବିମଳାଗଡ ରେଳଲାଇନ କାମ । ଜମି ଅଧିଗ୍ରହଣ କାମ ତୁରନ୍ତ ଶେଷ କରିବାକୁ ଦାବି ।

69

କନକ ବ୍ୟୁରୋ : ଖୁବଶୀଘ୍ର ତାଳଚେର-ବିମଳାଗଡ ରେଳଲାଇନ କାମ ଆରମ୍ଭ କରାଯାଉ । ରେଳ ଧାରଣା କାମରେ ବାଧକ ସାଜିଥିବା ଜମି ଅଧିଗ୍ରହଣ କାମ ତୁରନ୍ତ ଶେଷ କରାଯାଉ । ଏମିତି କିଛି ଦାବି ନେଇ ସୁନ୍ଦରଗଡ ଜିଲ୍ଲାପାଳଙ୍କୁ ଭେଟିଛନ୍ତି ଏକ ପ୍ରତିନିଧି ଦଳ । ବଣେଇ ବିଧାୟକଙ୍କ ନେତୃତ୍ୱରେ ଏକ ଟିମ୍ ଜିଲ୍ଲାପାଳଙ୍କୁ ଭେଟି ରେଳ ପ୍ରକଳ୍ପ ପାଇଁ ଜମି ଯୋଗାଇ ଦେବାକୁ ଦାବି କରିଛନ୍ତି ।

ଦୀର୍ଘ ୧୧ ବର୍ଷ ହେଲା ତାଳଚେର-ବିମଳାଗଡ ରେଳଲାଇନ କାମ ଆରମ୍ଭ ହେଉନି । ଜମି ଅଧିଗ୍ରହଣରେ ସମସ୍ୟା ଯୋଗୁଁ ରେଳ ଲାଇନ କାର୍ଯ୍ୟ ଆଗେଇ ପାରୁନାହିଁ । ପ୍ରତିବର୍ଷ ବଜେଟରେ ତାଳଚେର-ବିମଳାଗଡ ରେଳଲାଇନ ପାଇଁ ବ୍ୟୟ ବରାଦ ହେଉଛି । ବଜେଟ୍ ଘୋଷଣା ହେବା ପରେ କାର୍ଯ୍ୟ ତ୍ୱରାନ୍ୱିତ ହେବ ବୋଲି ଆଶା କରାଯାଉଛି, କିନ୍ତୁ ସେମିତି କିଛି ହେଉନାହିଁ ରେଳ ଧାରଣା କାମରେ ।

ତାଳଚେର-ବିମଳାଗଡ ରେଳଲାଇନ କାର୍ଯ୍ୟ ତ୍ୱରାନ୍ୱିତ କରାଇବା ଦାବିରେ ଜିଲ୍ଲାପାଳଙ୍କୁ ଭେଟିଛନ୍ତି ବଣାଇଁ ବିଧାୟକ ଲକ୍ଷ୍ମଣ ମୁଣ୍ଡାଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ । ସେପଟେ ଜିଲ୍ଲାପାଳ କହିଛନ୍ତି, ଆସନ୍ତା ମାସ ସୁଦ୍ଧା ୭୦ ପ୍ରତିଶତ ଜମି ଅଧିଗ୍ରହଣ କରି ରେଳ ପ୍ରକଳ୍ପ ପାଇଁ ହସ୍ତାନ୍ତର କରାଯିବ । ତାଳଚେର–ବିମଳାଗଡ ରେଳଲାଇନ ହେଲେ ସୁନ୍ଦରଗଡ, ଦେବଗଡ ଏବଂ କେନ୍ଦୁଝର ଜିଲ୍ଲାରୁ ରାଜଧାନୀ ଭୁବନେଶ୍ୱରକୁ ରେଳ ଯୋଗାଯୋଗ ହେବ । ଅଞ୍ଚଳ ଅଧିବାସୀଙ୍କ ସାମାଜିକ ଏବଂ ଅର୍ଥନୈତିକ ବିକାଶ ହେବ ।