ହାତରେ କୋଦାଳ, ଝାଡୁ ଧରି ଶଶ୍ମାନରେ ପହଞ୍ଚିଲେ ବିଧାୟକ । ସୁନ୍ଦରଗଡର ଶଶ୍ମାନର କଲେ ସଫେଇ, ସମାଜକୁ ଦେଲେ ସଚେତନତାର ବଡ ବାର୍ତ୍ତା ।
କନକ ବ୍ୟୁରୋ : ମଶାଣୀ । ଏହି ଶବ୍ଦଟି ଶୁଣିଲେ ମନରେ ଟିକିଏ ଭୟ ସୃଷ୍ଟି ହୋଇଥାଏ । ଏଠାରେ କେବଳ ମୃତ୍ୟୁ ଲୋକଙ୍କ ଶବଦାହ କରାଯାଉଥିବାରୁ ଏଭଳି ସ୍ଥାନକୁ କେହିବି ଯାଇନଥାନ୍ତି । ଆଉ ଯେଉଁଥିପାଇଁ ଏହି ସ୍ଥାନ ଅଳିଆ ଆବର୍ଜନା ଓ ଅନାବନା ଗଛଲତାରେ ପରିପୂର୍ଣ୍ଣ ହୋଇଯାଇଥାଏ । ଲୋକେ ଏଠାକୁ ଆସନ୍ତି ଦାହ ସଂସ୍କାର କରି ଚାଲିଯାଆନ୍ତି । ଆଉ ଛାଡିଦିଅନ୍ତି ସବୁ ଅଳିଆ ଆବର୍ଜନା ଆଉ ଅର୍ଦ୍ଧ ଦଗ୍ଧ ଶରୀରର ଅଙ୍ଗ ଏବଂ ଦରପୋଡା କାଠ । କାମ ସରିଗଲା ପରେ କାହା ନଜର ପଡିନଥାଏ ଶଶ୍ମାନ ଉପରେ । ଆଉ ଏଭଳି ପରିବେଶରେ ମଶାଣୀ ସଫା କରିବାକୁ ଆଗେଇ ଆସିଛନ୍ତି ବିଧାୟକ ।
Kanak News is now on WhatsApp
Join and get latest news updates delivered to you via WhatsApp
ଶଶ୍ମାନରେ ବିଧାୟକ । ହାତରେ ଥିଲା କୋଦାଳ ଓ ଝାଡୁ ଏବଂ ଦେହରେ ଆକାଶୀ ରଙ୍ଗର ଟି-ସାର୍ଟ ଓ କଳା ରଙ୍ଗର ଟ୍ରାଉଜର । ମଶାଣୀ ସଫା କରୁଥିବା ଏହି ବ୍ୟକ୍ତିଜଣଙ୍କ ହେଉଛନ୍ତି ସୁନ୍ଦରଗଡ ଜିଲ୍ଲା ତଳସରା ନିର୍ବାଚନ ମଣ୍ଡଳୀର ବିଧାୟକ ଭବାନୀଶଙ୍କର ଭୋଇ । ରବିବାର ଟିକିଏ ଫାଙ୍କା ସମୟ ହୋଇଥିବାରୁ ଶ୍ମଶାନକୁ ନୂଆ ରୂପ ଦେବାରେ ଲାଗିପଡିଛନ୍ତି ବିଧାୟକ ଓ ତାଙ୍କ ସହଯୋଗୀ । ସକାଳୁ ସକାଳୁ ସୁନ୍ଦରଗଡ ରାଣିବଗିଚା ବାଇପାସ ନିକଟରେ ଥିବା ସ୍ୱର୍ଗଦ୍ୱାରରେ ପହଞ୍ଚି, ସେଠାରେ ସଫେଇ କାର୍ଯ୍ୟ କରି ନିଜର ମହନୀୟତା ଦର୍ଶାଇଛନ୍ତି ବିଧାୟକ ।
ଆଉ ଏହି ସଫେଇ ଅଭିଯାନ ପରେ ସହରବାସୀ ଏବଂ ପୌରପାଳିକା ସଚେତନ ହୋଇ ସ୍ୱର୍ଗଦ୍ୱାରର ସଫେଇ ପ୍ରତି ଦୃଷ୍ଟି ଦେବେ ବୋଲି ବିଧାୟକ ଆଶା ରଖିଛନ୍ତି । ଏବଂ ଏହି ସ୍ୱର୍ଗଦ୍ୱାରକୁ ଉନ୍ନତି କରିବା ପାଇଁ ବିଧାୟକ ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି । ତେବେ ବିଧାୟକଙ୍କ ଏଭଳି କାର୍ଯ୍ୟକୁ ସମସ୍ତେ ପ୍ରଂଶସା କରୁଛନ୍ତି । ଆଉ କହୁଛନ୍ତି ବିଧାୟକ ହେବ ତ ଏମିତି ।