୨୦୦୧ରୁ ୨୦୧୯ । ମୁଖ୍ୟମନ୍ତ୍ରୀରୁ ପ୍ରଧାନମନ୍ତ୍ରୀ । ଗତ ୧୮ ବର୍ଷରେ ମାତ୍ର ଗୋଟିଏ ଛୁଟି ନେଇଛନ୍ତି ମୋଦି, ମ୍ୟାନ ଭର୍ସେସ ୱାଇଲ୍ଡ ସୋ’ରେ ଗୁମର ଖୋଲିଲେ ପ୍ରଧାନମନ୍ତ୍ରୀ ।

168

୧୨ ଅଗଷ୍ଟ ୨୦୧୯ । ସମୟ ରାତି ୯ଟା । ବିଶ୍ୱର ୧୮୦ ଦେଶରେ ଟିଭି ସ୍କ୍ରିନରେ ନଜର ଆସିଥିଲେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଡିସକଭରି ଚ୍ୟାନେଲର ଲୋକପ୍ରିୟ ସୋ ମ୍ୟାନ୍ ଭର୍ସେସ ୱାଇଲ୍ଡରେ ବେୟର ଗ୍ରିଲ୍ସଙ୍କ ସହ ନଜର ଆସିଥିଲେ ମୋଦି । ଉତ୍ତରାଖଣ୍ଡର ଜିମ କାର୍ବେଟ ନ୍ୟାସନାଲ ପାର୍କର ଜଙ୍ଗଲରେ ବୁଲିଥିଲେ ଉଭୟ ବେୟର ଗ୍ରିଲ୍ସ ଓ ମୋଦି । ଆଉ ଏହି ଜଙ୍ଗଲ ଯାତ୍ରା ସମୟରେ ବେୟରଙ୍କ ସାମ୍ନାରେ ନିଜର ଜୀବନ କାହାଣୀ ବଖାଣିଥିଲେ ପ୍ରଧାନମନ୍ତ୍ରୀ ମୋଦି ।

ଏକ ଘଣ୍ଟା ଧରି ପ୍ରସାରଣ ହୋଇଥିବା ଏହି ସୋ’ରେ ନିଜର ପିଲାଦିନର ସ୍ମୃତି ସହ ରାଜନୀତି କ୍ୟାରିୟରର କଥା କହିଥିଲେ ନରେନ୍ଦ୍ର ମୋଦି । କୁମ୍ଭୀର ଧରିବା ଠାରୁ ଆରମ୍ଭ କରି ହିମାଳୟ ଯାତ୍ରାର କାହାଣୀ ଏହି ସୋ’ରେ ମୋଦିଙ୍କ ମୁହଁରୁ ଶୁଣିବାକୁ ମିଳିଥିଲା । ଏପରିକି ନିଜର ରାଜନୀତି କ୍ୟାରିୟର ବିଷୟରେ କହିବାକୁ ଯାଇ ମୋଦି କହିଥିଲେ ଗତ ୧୮ ବର୍ଷ ମଧ୍ୟରେ ଆଜି ପ୍ରଥମ ଥର ପାଇଁ କାମରୁ ଛୁଟି ନେଇଛି । କାରଣ ଗତ ୧୮ ବର୍ଷ ହେବ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ ଭାବେ ଦେଶର ସେବା କରି ଆସୁଛି ।

୨୦୦୧ରୁ ୨୦୧୪ ଯାଏଁ ମୋଦି ଗୁଜୁରାଟର ମୁଖ୍ୟମନ୍ତ୍ରୀ ଥିବା ବେଳେ ୨୦୧୪ରେ ପ୍ରଥମ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ହୋଇଥିଲେ । ଆଉ ଏହି ସମୟ ମଧ୍ୟରେ ସେ ଆଦୌ କାମରୁ ଛୁଟି ନେଇ ନଥିବା କହିଛନ୍ତି ମୋଦି । ଏହାସହ ପ୍ରଧାନମନ୍ତ୍ରୀ କହିଛନ୍ତି, ଯଦି ଆଜିର ଦିନକୁ ଆପଣ ଛୁଟି ବୋଲି ଭାବିବେ ତେବେ ଗତ ୧୮ ବର୍ଷରେ ଏହା ପ୍ରଥମ ହେବ ଯେବେ ମୁଁ କାମରୁ ଛୁଟି ନେଇଛି ।

ଏହି ସୋ’ରେ ପ୍ରକୃତି ଓ ପରିବେଶ ପ୍ରତି ତାଙ୍କର କେତେ ଭଲପାଇବା ରହିଛି ତାହା ଦର୍ଶାଇଛନ୍ତି ମୋଦି । ଏହାଛଡା ଛୋଟବେଳେ ବାପାଙ୍କୁ କାମରେ ସାହାଯ୍ୟ କରିବାକୁ ଯାଇ ରେଳ ଷ୍ଟେସନରେ ଚା ବିକୁଥିବା କଥା କହିବାକୁ ଭୁଲିନାହାନ୍ତି ମୋଦି । ଆଉ ଶେଷରେ ଏହି ସୋ’ ମାଧ୍ୟମରେ ବିଦେଶୀ ପର୍ଯ୍ୟଟକଙ୍କୁ ଭାରତକୁ ଆସିବାକୁ ନିମନ୍ତ୍ରଣ କରିଛନ୍ତି ମୋଦି ।