କନକ ବ୍ୟୁରୋ: ଭିଡର ସୁଯୋଗ ନେଇ ବଳଦେବଜୀଉ ମନ୍ଦିରରେ ମାତିଛନ୍ତି ଲୁଟେରା । ଟିକେ ସୁଯୋଗ ପାଇଲେ ଲୁଟି ନେଉଛନ୍ତି ସୁନା ଚେନ୍, ମନି ପର୍ସ । କିନ୍ତୁ ବିଡମ୍ବନାର ବିଷୟ ହେଉଛି, ମନ୍ଦିରରେ ସିସିଟିଭି ଲାଗିଥିଲେ ବି କାମ କରୁନଥିବାରୁ ଚୋର ଧରାପଡୁ ନାହାନ୍ତି । ଯାହାକୁ ନେଇ ବଢ଼ିବାରେ ଲାଗିଛି ଅସନ୍ତୋଷ ।

କେନ୍ଦ୍ରାପଡାର ଆରାଧ ଦେବତା ବଳଦେବଜୀଉ । ପ୍ରତିଦିନ ବଡଠାକୁରଙ୍କ ଦର୍ଶନ ପାଇଁ ହଜାର ହଜାର ଲୋକ ବଳଦେବଜୀଉ ମନ୍ଦିରକୁ ଆସିଥାନ୍ତି । ସୋମବାର ମକର ସଂକ୍ରାନ୍ତି ହୋଇଥିବାରୁ ପ୍ରବଳ ଭିଡ ହୋଇଥିଲା । କିନ୍ତୁ ଏହି ଭିଡର ସୁଯୋଗ ନେଇ ଲୁଟେରା ମାତିଥିବା ଅଭିଯୋଗ ସାମନାକୁ ଆସିଛି । ପାଂଚ ରୁ ଅଧିକ ଶ୍ରଦ୍ଧାଳୁ ଲୁଟର ଶିକାର ହୋଇଥିବା ଅଭିଯୋଗ କରିଛନ୍ତି । କେତେ ଜଣଙ୍କ ସୁନା ଚେନ୍ ଲୁଟ୍ ହୋଇଥିବା ବେଳେ ଆଉ କେତେ ଜଣଙ୍କ ପର୍ସ ଲୁଟି ନେଇଛନ୍ତି ଦୁବୃର୍ତ ।

ବଡ କଥା ହେଉଛି ପୋଲିସ ନିୟୋଜିତ ଥିଲେ ବି ଚୋର ସେମାନଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଇ ଏଭଳି ଲୁଟ୍ କରୁଛନ୍ତି । ଏଥିସହ ବିଡମ୍ବନାର ବିଷୟ ହେଉଛି, ମନ୍ଦିରର ବିଭିନ୍ନ ସ୍ଥାନରେ ସିସିଟିଭି ଲାଗିଥିଲେ ବି କେବଳ ଗର୍ଭଗୃହର ଚାରିଟି କ୍ୟାମେରାକୁ ଛାଡି ଆଉ ସବୁ ଅଚଳ ହୋଇଯାଇଛି । ଯାହାକି ଦୃବୃର୍ତଙ୍କୁ ସୁହାଉଛି । ଅନ୍ୟପଟେ ଲୁଟର ଶିକାର ଶ୍ରଦ୍ଧାଳୁ ଟାଉନ ଥାନାରେ ଅଭିଯୋଗ କରିବା ସତ୍ୱେ ବି ପୋଲିସ ହାତ ଖାଲି । ଏହାକୁ ନେଇ ଶ୍ରଦ୍ଧାଳୁଙ୍କ ଭିତରେ ଅସନ୍ତୋଷ ବଢ଼ିବାରେ ଲାଗିଛି । ତେବେ ସିସିଟିଭି ସଜଡାଯିବ ବୋଲି କହିଛି ମନ୍ଦିର ପ୍ରଶାସନ ।

ତେବେ ପ୍ରଶ୍ନ ଉଠୁଛି ଏହି ମନ୍ଦିର ପାଇଁ ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବାବେଳେ ସିସିଟିଭି ଅଚଳ ହେବା ପୂରା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଶ୍ରଦ୍ଧାଳୁଙ୍କୁ ସୁରକ୍ଷା କିଏ ସୁରକ୍ଷା ଦେବ ତାକୁ ନେଇ ପ୍ରଶ୍ନ ଉଠିଛି ।