ରାଜସ୍ଥାନ କୋଟାରେ ଫସିଥିବା ଛାତ୍ରଛାତ୍ରୀଙ୍କ ଉଦ୍ଧାର ପାଇଁ ଯୋଗୀ ସରକାରଙ୍କ ପ୍ରୟାସ: କୋଟାକୁ ପଠାଇଲେ ୨୫୦ ବସ୍; ଲକଡାଉନ ନିୟମ ଭାଙ୍ଗୁ ଥିବାରୁ ନୀତିଶ ଉଠାଇଲେ ଆପତି

683

କନକ ବ୍ୟୁରୋ: ରାଜସ୍ଥାନର କୋଟାକୁ ଉତର ପ୍ରଦେଶ ସରକାର ୨୫୦ ବସ ପଠାଇବା ପାଇଁ ନିଷ୍ପତି କରିବା ପରେ ବିବାଦ ବଢିବାରେ ଲାଗିଛି । କାରଣ ଯୋଗୀ ସରକାରଙ୍କ ଏଭଳି ନିଷ୍ପତି ବିରୋଧରେ ସ୍ୱର ଉଠାଇଛନ୍ତି ବିଜେପିର ଅନ୍ୟତମ ସହଯୋଗୀ ନୀତିଶ କୁମାର । ତାଲାବନ୍ଦ କଟକଣାକୁ ଉଲ୍ଲଂଘନ କରି ଏବଂ ସାମାଜିକ ଦୂରତାକୁ ବାଜିରେ ଲଗାଇ ଏଭଳି ପଦକ୍ଷେପ କେତେଦୂର ଠିକ ବୋଲି ସେ ପ୍ରଶ୍ନ ଉଠାଇଥିବା ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । ରାଜସ୍ଥାନ କୋଟାରେ ବିଭିନ୍ନ କୋଚିଂ ସେଂଟରରେ ଫସିରହିଥିବା ଛାତ୍ରଛାତ୍ରୀଙ୍କୁ ଘରକୁ ଫେରାଇ ନେବାପାଇଁ ସେମାନେ ଏକ ସୋସିଆଲ ମିଡିଆ କ୍ୟାମ୍ପେନ ଚଳାଇଥିଲେ ।

ସେଣ୍ଡ ଅସ ବ୍ୟାକ ହମ୍ ଅର୍ଥାତ ଆମକୁ ଆମ ଘରପୁ ପଠାଇ ଦିଅ । ଏହି କ୍ୟାମ୍ପେନ ପରେ ଉତର ପ୍ରଦେଶର ଛାତ୍ରଛାତ୍ରୀଙ୍କୁ ଫେରାଇ ଆଣିବାକୁ ୨୫୦ ବସ ପଠାଇବାକୁ ବନ୍ଦୋବସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଏହାକୁ ପ୍ରଶଂସା କରିବା ସହିତ ଅନ୍ୟ ରାଜ୍ୟ ମଧ୍ୟ ଏଭଳି ପଦକ୍ଷେପ ନେବାକୁ ଆହ୍ୱାନ ଦେଇଛନ୍ତି । ହେଲେ ଏହା କରୋନା ସଂକ୍ରମଣର ଭୟକୁ ବଢାଇଦେବ ବୋଲି ଯୁକ୍ତି ବାଢିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ।