ରଥଯାତ୍ରା ଇତିହାସରେ ଗୁପ୍ତ ଗୁଣ୍ଡିଚାର କାହାଣୀ । ଘାତ-ପ୍ରତିଘାତ ଭିତରେ ଅତି ଗୋପନୀୟ ଭାବେ ଏକାଧିକ ଥର ହୋଇଛି ଗୁଣ୍ଡିଚାଯାତ୍ରା, ଶ୍ରୀମନ୍ଦିର ଓ ବିଗ୍ରହଙ୍କ ଉପରେ ଆକ୍ରମଣ ଆଶଙ୍କାରେ ଶଗଡ଼ିରେ ହୋଇଛି ରଥଯାତ୍ରା । 

698

କନକ ବ୍ୟୁରୋ : ଜଗତରନାଥ ଶ୍ରୀଜଗନ୍ନାଥଙ୍କ ଲୀଳା ଯେମିତି ଅଲୌକିକ, ମହାପ୍ରଭୁଙ୍କ କାହାଣୀ ସେମିତି ଅସରନ୍ତି । ଆଉ ଏହି ସବୁ କାହାଣୀ ଜନମାନସରେ ଲୋକସ୍ମୃତି ହୋଇରହି ଆସିଛି । ଆପଣ ଜାଣି ହୁଏତ ଆଶ୍ଚର୍ଯ୍ୟ ହୋଇଯିବେ ଯେ, ଶ୍ରୀକ୍ଷେତ୍ର ବାହାରେ ୫ଥର ରଥଯାତ୍ରା ଅନୁଷ୍ଠିତ ହୋଇଛି । ଆଉ ଏକାଧିକ ଥର ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଅତି ଗୋପନୀୟ ଓ ନିରାଡମ୍ବର ଭାବେ ହୋଇଛି ।

ଶ୍ରୀଜଗନ୍ନାଥଙ୍କ ଗୋପନୀୟ ରଥଯାତ୍ରା । ବିନା ଆଡମ୍ବରରେ ଶ୍ରୀଜିଉଙ୍କ ଘୋଷଯାତ୍ରା । ରଥଯାତ୍ରାର ଇତିହାସରେ ଏମିତି ବି ଉଦହାରଣ ରହିଛି, ଯେତେବେଳେ ମହାପ୍ରଭୁଙ୍କ ରଥଯାତ୍ରାରେ ରଥ ନଥିଲା । ରଥାକୃତିର ଶଗଡ଼ିରେ ଠାକୁରଙ୍କ ଯାତ୍ରା ହୋଇଥିଲା । ବିଗ୍ରହଙ୍କ ଉପରେ ଆକ୍ରମଣ ଆଶଙ୍କା ଥିବାରୁ ଅତିନିରାଡ଼ମ୍ବର ଓ ଗୋପନୀୟ ଭାବେ ରଥଯାତ୍ରା ଅନୁଷ୍ଠିତ ହୋଇଥିଲା ।

୧୬୨୨ ଖ୍ରୀଷ୍ଟାବ୍ଦରେ କଲ୍ୟାଣ ମଲ୍ଲର ଦ୍ୱିତୀୟ ଥର ଶ୍ରୀମନ୍ଦିର ଆକ୍ରମଣ ସମୟରେ ଚକାନାସୀରେ ହୋଇଥିଲା ମହାପ୍ରଭୁଙ୍କ ଏଭଳି ଏକ ଗୋପନୀୟ ରଥଯାତ୍ରା । ଚକାନାସିରୁ ସିପିନାସ ୩ କିଲୋମିଟର ଦୂର ରଥାକୃତି ଶଗଡ଼ିରେ ଯାଇଥିଲେ ଶ୍ରୀଜିଉ । ସେହିବର୍ଷ ଅତି ନିରାଡମ୍ବର ଓ ଗୋପନୀୟ ଭାବେ ରଥଯାତ୍ରା ଅନୁଷ୍ଠିତ ହୋଇଥିଲା ।

ମହାରାଜ ରାମଚନ୍ଦ୍ର ଦେବ ଦ୍ୱିତୀୟ ଗଜପତି ଥିବା ସମୟରେ ସ୍ଥିତି ଆହୁରୀ ସଂଗୀନ ଥିଲା । ସେତେବେଳେ ମହରାଜା ବାରବାଟୀ ଦୁର୍ଗରେ ନଜରବନ୍ଦୀରେ ଥିଲେ ଏବଂ ବିଗ୍ରହମାନେ ନଈରୀରେ ଗୋପନରେ ବିଜେ କରିଥିଲେ । ଏହି ସମୟରେ ଅତି ଗୋପନୀୟ ଭାବେ ଅନୁଷ୍ଠିତ ହୋଇଥିଲା ଶ୍ରୀଜିଉଙ୍କ ରଥଯାତ୍ରା ।

୧୭୩୨ ଖ୍ରୀଷ୍ଟାବ୍ଦରେ ନଈରୀରେ ଅତି ଗୋପନୀୟ ଭାବେ ଶ୍ରୀଜିଉଙ୍କ ରଥଯାତ୍ରା ଅନୁଷ୍ଠିତ ହୋଇଥିଲା । ରଥଯାତ୍ରାର ମୁଖ୍ୟ ଆୟୋଜକ ଥିଲେ ଗଜପତି ମହାରାଜ ରାମଚନ୍ଦ୍ର ଦେବ ଦ୍ୱିତୀୟଙ୍କର ପୁତ୍ର ଯୁବରାଜ କୃଷ୍ଣ ରାୟ । ମହାରାଜା ସେତେବେଳେ ବାରବାଟୀ ଦୁର୍ଗରେ ନଜରବନ୍ଦୀରେ ଥିଲେ । ସେହିବର୍ଷ ରଥଯାତ୍ରା ପାଇଁ ଅସ୍ଥାୟୀ ଗଣ୍ଡିଚା ମନ୍ଦିର ନିର୍ମାଣ ହୋଇଥିଲା । ଆଉ ତିନିଟି ଶଗଡ଼ିରେ ବିଗ୍ରହଙ୍କୁ ବିଜେ କରାଯାଇଥିଲା ।

ଏହି ଦୁଇଟି ଉଦାହରଣ ବ୍ୟତୀତ ଶ୍ରୀକ୍ଷେତ୍ର ବାହାରେ ୪ଟି ସ୍ଥାନରେ ୫ଥର ରଥଯାତ୍ରା ଅନୁଷ୍ଠିତ ହୋଇଥିଲା । ଆଉ ଏହି ସମସ୍ତ ରଥଯାତ୍ରା ଅତି ନିରାଡମ୍ବର ଭାବେ ଅନୁଷ୍ଠିତ ହୋଇଥିଲା । ଆଉ ମୁସଲିମ୍ ଆକ୍ରମଣକାରୀଙ୍କ ଭୟ ଥିବାରୁ ଗୋପନୀୟ ଭାବେ ରଥଯାତ୍ରା ଅନୁଷ୍ଠିତ ହୋଇଥିଲା ।

୧୬୯୨ରୁ ୧୭୦୭ ଖ୍ରୀଷ୍ଟାବ୍ଦରେ ମଧ୍ୟରେ ବିଗ୍ରହମାନେ ବଡ଼ହନ୍ତୁଆଡ଼ରେ ଦୀର୍ଘ ୧୫ ବର୍ଷ ଅବସ୍ଥାନ କରିଥିଲେ । ଶ୍ରୀକ୍ଷେତ୍ର ବାହାରେ ବଡ଼ହନ୍ତୁଆଡ଼ରେ ଦୁଇ ଥର ରଥଯାତ୍ରା ହୋଇଥିଲା । ଭାଟପଡ଼ା ଦଳବେହେରାଙ୍କ ଦ୍ୱାରା ଛେରାପହଁରା ନୀତି ସମ୍ପନ୍ନ ହୋଇଥିଲା ।

୧୬୧୭ ଖ୍ରୀଷ୍ଟାବ୍ଦରେ ମକରମ ଖାଁ ଏବଂ ୧୬୨୨ ଖ୍ରୀଷ୍ଟାବ୍ଦରେ ସୁବେଦାର ଅହମ୍ମଦ ବେଗ ଶ୍ରୀମନ୍ଦିର ଆକ୍ରମଣ କରିଥିଲେ । ଏହି ସମୟରେ ବିଗ୍ରହଙ୍କୁ ଅନ୍ଧାରିଗଡ଼ ଓ ଗଡ଼ମାଣତୀରେ ଅବସ୍ଥାନ କରିଥିଲେ । ୧୬୨୪ ଖ୍ରୀଷ୍ଟାବ୍ଦରେ ରଥଯାତ୍ରା ଶ୍ରୀକ୍ଷେତ୍ର ବାହାରେ ଅନୁଷ୍ଠିତ ହୋଇଥିଲା । ଯାତ୍ରା ପୂର୍ବରୁ ମାର୍ଥାପଦାରେ ଗୁଣ୍ଡିଚା ମନ୍ଦିର ନିର୍ମାଣ ହୋଇଥିଲା ଏବଂ ଗଜପତି ମହାରାଜ ନରସିଂଦେବ ଛେରା ପହଁରା କରିଥିଲେ । ଏତେ ସବୁ ଘାତ-ପ୍ରତିଘାତ ଭିତରେ ଗୋପନୀୟ ଭାବେ ମହାପ୍ରଭୁଙ୍କ ରଥଯାତ୍ରା ଅନୁଷ୍ଠିତ ହୋଇଥିଲା ।