ସୂତା ଖିଅରେ ଝୁଲୁଛି ଜୀବନ ! ନଦୀ ପାର ହେବାକୁ ୧୦୦ଫୁଟ ଉଚ୍ଚର ଗାର୍ଡୱାଲ ଦେଇ ଯାତାୟତ କରୁଛନ୍ତି ଛାତ୍ରଛାତ୍ରୀ ଓ ଗାଁ ଲୋକେ

ଗଂଜାମ ଆମ୍ବିଳିଆମ୍ବ ଗାଁରୁ ଆସିଲା ଛାତିତରା ଦୃଶ୍ୟ

263

କନକ ବ୍ୟୁରୋ: ଗଂଜାମ ଜିଲ୍ଲା ସୋରଡ଼ା ବ୍ଳକର ମେରିକୋଟ ପଂଚାୟତର ଆମ୍ବିଳିଆମ୍ବ ଗାଁ ଆଉ ଏହି ଗାଁରେ ରୁହଛନ୍ତି ପ୍ରାୟ ୪୫ଟି ପରିବାର । ପଂଚାୟତଠାରୁ ଗାଁର ଦୂରତା ପ୍ରାୟ ୧୫ରୁ ୧୭ କିଲୋମିଟର । ପଂଚୟତ ଅଫିସକୁ ଯିବାକୁ ହେଲେ ଚାଲିବାକୁ ପରେ ଜଙ୍ଗଲି ରାସ୍ତା । ତେଣୁ ରାସ୍ତା ଦେଇ ନିଜ ପଂଚାୟତ ମୁଖ୍ୟାଳୟକୁ ଯିବାକୁ ନାପସନ୍ଦ କରନ୍ତି ଗ୍ରାମବାସୀ । ନିଜ ଆବଶ୍ୟକତା ପୂରଣ ପାଇଁ ଗାଁରୁ ୨ କିଲୋମିଟର ଦୂରରେ ଥିବା ଗୋଛା ପଂଚାୟତ ଉପରେ ନିର୍ଭର କରନ୍ତି । ଆଉ ଏଠାକୁ ଯିବା ପାଇଁ ଜୀବନକୁ ପାଣି ଛଡାଇ ୧୦୦ ପୁଂଟ ଉଚ ଗାଡ଼ ୱାଲରେ ଯା’ଆସ କରନ୍ତି କୋମଳମତି ଛାତ୍ରଛାତ୍ରୀ ଓ ଗ୍ରାମବାସୀ ।

ପ୍ରଶାସନର ବାରଣ ସତ୍ୱେ ଜୀବନକୁ ବାଜି ଲଗାଇ ୧୦୦ ପୁଂଟ ଉଚ୍ଚର ଗାଡ଼ ୱାଲରେ ଯା’ଆସ କରୁଛନ୍ତି କୁନି କୁନି ଛାତ୍ରଛାତ୍ରୀ । ଯାହାକୁ ଦେଖିଲେ ଆଖି ଖୋସି ହୋଇଯାଉଛି । ପାଦେ ପାଦେ ବିପଦ । ଏମିତି ଯିବା ବେଳେ ଅନେକ ଥର ଦୁର୍ଘଟଣା ଘଟିଛି । ତଥାପି ଏହି ବିପଦପୂର୍ଣ୍ଣ ଯାତ୍ରା ବଳବତର ରହିଛି । ଏ ହେଉଛି ଆମ୍ବିଳିଆମ୍ବ ଗାଁର ଜୀବନ ରେଖା କୁହାଯାଉଥିବା ପଦ୍ମାବତୀ ନଦୀ ଉପରେ ଥିବା ହରଭଙ୍ଗି କେନାଲର ଗାଡ଼ୱାଲ । ସମସ୍ତଙ୍କ ଭରସା ଓ ସବୁ ସମୟର ସାଥି ପାଲଟିଛି ଏହି ଗାଡ଼ ୱାଲ୍ । କାରଣ ଏହାରି ଉପରେ ଦୁର୍ଘଟଣାକୁ ଖାତିର ନକରି ଯା’ଆସ କରନ୍ତି ଗ୍ରାମବାସୀ ।

ଗାଁର ଅନ୍ୟପଟେ ରାସ୍ତା ଅଛି, ହେଲେ ସେହି ରାସ୍ତା ଦେଇ ଯା’ଆସ କରିବା ପାଇଁ ଉଚିତ ମଣନ୍ତି ନାହିଁ ଗ୍ରାମବାସୀ । କାରଣ ଘଂଚ ଜଙ୍ଗଲ ଭିତର ଦେଇ ଯାଇଥିବା ରାସ୍ତା କାଠ ମାଫିଆଙ୍କ ରାସ୍ତା ବୋଲି ସ୍ଥାନୀୟ ଲୋକ କୁହନ୍ତି । ୧୫ କିଲୋମିଟର ଘଂଚ ଜଙ୍ଗଲ ଓ ପଥୁରିଆ ଟାଙ୍ଗରା ରାସ୍ତା ଚାଲିବା ପରେ ପଡେ ଜନବସତି । ଏହି ରାସ୍ତାରେ ଯାତାୟତ ବେଳେ ଜଙ୍ଗଲୀ ଜନ୍ତୁଙ୍କ ଭୟ ବି ରହିଛି । ତେଣୁ ଲୋକେ ବାଛି ନିଅନ୍ତି ଏହି ଭୟଙ୍ଗର ରାସ୍ତାକୁ । ଗତ କିଛି ବର୍ଷତଳେ ଏଠାରେ ବାରମ୍ବାର ଦୁର୍ଘଟଣା ଘଟିବାରୁ ଏହି ସ୍ଥାନରେ ଗମନାଗମନ ନିଷେଧ କରିଥିଲା ପ୍ରଶାସନ । କେନାଲର ଉଭୟ ପାଶ୍ୱରେ କଂଟା ବାଡ଼ ଦେଇ ରାସ୍ତା ବନ୍ଦ କରାଯାଇଥିଲା । ତଥାପି ପୁଣି ସେହି ରାସ୍ତାରେ ଲୋକେ ଯାତାୟତ କରୁଥିବା ଚିତ୍ର ସାମ୍ନାକୁ ଆସିଛି ।