ଐତିହାସିକ ସ୍ଥାନକୁ ନେଇ ବିବାଦ ! ତାଜମହଲ ନା ତେଜୋମହଲ, କୁତବ ମିନାର ନା ବିଷ୍ଣୁ ସ୍ତମ୍ଭ । ପଢନ୍ତୁ କେଉଁଠି ରହିଛି ବିବାଦ…

202

କନକ ବ୍ୟୁରୋ: ତାଜମହଲ, କୁତବ ମିନାର, ଜ୍ଞାନବାପି ମସଜିଦ ସମେତ ଅନେକ ସ୍ଥାନର ଅସ୍ତିତ୍ୱକୁ ନେଇ ପ୍ରଶ୍ନ ଉଠିଛି । ନିକଟରେ ଜ୍ଞାନବାପି ମସଜିଦରେ ସର୍ଭେ କାମ ଶେଷ ହୋଇଛି । ଏହି ମସଜିଦରେ ମନ୍ଦିରର ସମ୍ପର୍କ ନେଇ ସର୍ଭେ କରିବାକୁ ଦାବି ହୋଇଥିଲା । କୋର୍ଟଙ୍କ ନିର୍ଦ୍ଦେଶ ପରେ ସର୍ଭେ ହୋଇଛି । କେବଳ ଏହି ଗୋଟିଏ ଐତିହାସିକ ସ୍ଥାନ ନୁହେଁ ତାଜମହଲ, କୁତବ ମିନାରକୁ ନେଇ ମଧ୍ୟ ବିବାଦ ଦେଖାଦେଇଛି । ନିକଟରେ ଅନେକ ଐତିହାସିକ ସ୍ଥାନକୁ ନେଇ ଏବଂ ତାର ନିର୍ମାଣକୁ ନେଇ ଅନେକ ବିବାଦ ହୋଇଛି । ତାଜମହଲ, କୁତବ ମିନାରବି ଏହି ବାବଦର ଶିକାର ହୋଇଛନ୍ତି । ଭାରତର ଅନେକ ଐତିହାସିକ ସ୍ଥାନର ଇତିହାସ ବର୍ତ୍ତମାନ ଧାର୍ମିକ ରାଜନୀତିର ପଶାପାଲିରେ ଖେଳିହେଉଛି । ତାଲିକା ଲମ୍ବି ଚାଲିଥିବା ବେଳେ ଏହାରୁ ନେଇ ବିବାଦ ତୀବ୍ର ହେବାରେ ଲାଗିଛି ।

ଆସନ୍ତୁ ଆମେ ଆଜି ଆପଣଙ୍କୁ କିଛି ଏଭଳି ଐତିହାସିକ ସ୍ଥାନ ବିଷୟରେ କହିବୁ ଯାହାକୁ ନେଇ ଦେଶରେ ବିବାଦ ଥମିବାର ନା ନେଉନାହିଁ । ଉଭୟ ପକ୍ଷ କଣ ସବୁ ତର୍କ ରଖୁଛନ୍ତି ତା ଉପରେ ମଧ୍ୟ ନଜର ପକାନ୍ତୁ ।
ଜ୍ଞାନବାପି ମସଜିଦ
ଜ୍ଞାନବାପି ମସଜିଦ ବିବାଦରେ ସବୁଠାରୁ ବଡ ତର୍କ ହେଉଛି ମସଜିଦ ନିର୍ମାଣ ହେବା ଆଗରୁ ଏଠାରେ ମନ୍ଦିର ଥିଲା । ଔରଙ୍ଗଜେବଙ୍କ ଶାସନ ସମୟରେ ଏହାକୁ ଧ୍ୱଂସ କରି ଏଠାରେ ମସଜିଦ ନିର୍ମାଣ ହୋଇଥିଲା । ଧ୍ୱଂସ ହୋଇଥିବା ମନ୍ଦିରର ଅବଶେଷରେ ମସଜିଦ ନିର୍ମାଣ ହୋଇଥିଲା । ଏହି ମସଜିଦ ୧୬୬୪ରେ ନିର୍ମାଣ ହୋଇଥିଲା । ଏହାକୁ ଔରଙ୍ଗଜେବ ନିର୍ମାଣ କରିଥିଲେ । ପୂର୍ବରୁ ଏଠାରେ ଶୃଙ୍ଗାର ଗୌରୀ ମନ୍ଦିର ଥିବା ନେଇ ଦାବି ହେଉଛି । ପରେ ଏଠାରେ ସର୍ଭେ ହେବା ସହ ପ୍ରତ୍ୟେକ ଦିନ ପୂଜା ଏବଂ ଦର୍ଶନ କରିବାକୁ ଦାବି ହେଉଛି । କାଶି ବିଶ୍ୱନାଥ ମନ୍ଦିର ଏବଂ ଏହାକୁ ଲାଗି ରହିଥିବା ଜ୍ଞାନବାପି ମସଜିଦର ବିବାଦ ଲମ୍ବା ସମୟ ଧରି ଚାଲିଆସୁଛି ।
ତାଜମହଲ
ବିଶ୍ୱର ସପ୍ତାଶ୍ଚର୍ଯ୍ୟ ମଧ୍ୟରେ ତାଜମହଲ ରହିଛି । ତେବେ ଏହା ପରେ ବି ଏହି ଐତିହାସିକ ସ୍ଥାନକୁ ନେଇ ବିବାଦ ଚାଲିଛି । ଅନେକ ଜଣ ଦାବି କରୁଛନ୍ତି ଏଠାରେ ପୂର୍ବରୁ ଶିବ ମନ୍ଦିର ରହିଥିଲା । ତେବେ ଇତିହାସର ପୃଷ୍ଠାରେ ଲେଖାଅଛ ମୋଗଲ ଶାସକ ଶାହାଜାହାନ ନିଜର ବେଗମ ମମତାଜଙ୍କ ଉଦ୍ଦେଶ୍ୟରେ ଏହାକୁ ତିଆରି କରିଥିଲେ । ଅନେକ ଐତିହାସିକ ମତ ଦିଅନ୍ତି ତାଜମହଲ ପୂର୍ବରୁ ଏଠାରେ ହିନ୍ଦୁ ମନ୍ଦିର ଥିଲା । କେବଳ ଏତିକି ନୁହେଁ ତାଜମହଲର ହିନ୍ଦୁ କଳସ ଭଳି ନିର୍ମାଣ, ଚନ୍ଦ୍ରମା ଥିବା ମନ୍ଦିରର ଦାବିକୁ ଦୃଢ କରୁଛି ।
କୁତବ ମିନାର
ତେବେ ଏଇ ନିକଟରେ କୁତବ ମିନାରକୁ ନେଇ ମଧ୍ୟ ବିବାଦ ହୋଇଥିଲା । କେବଳ ଏତିକି ନୁହେଁ ଏଠି ହନୁମାନ ଚାଳିଶା ପାଠ କରିବା ନେଇ ବିବାଦରେ ରହିଛି । କୁତବ ମିନାରକୁ ନେଇ ବିଶ୍ୱହିନ୍ଦୁ ପରିଷଦର କହିବା କଥା ଏହାକୁ ନିର୍ମାଣ ବେଳେ ୨୭ଟି ମନ୍ଦିରକୁ ଧ୍ୱଂସ କରି ସେଠାରୁ ମିଳିଥିବା ସାମଗ୍ରୀରେ ଏହାର ନିର୍ମାଣ ହୋଇଛି । ଏହା ମଧ୍ୟ ଦାବି ହେଉଛି ପୂର୍ବରୁ ଏଠାରେ ବିଷ୍ଣୁ ସ୍ତମ୍ଭ ରହିଥିଲା । ବିଏଚପିର ଦାବି ସରକାର ଏଠାରେ ପ୍ରାଚୀନ ମନ୍ଦିରର ପୁନଃନିର୍ମାଣ କରି ବିଷ୍ଣୁ ଅନୁଷ୍ଠାନକୁ ଆରମ୍ଭ ପାଇଁ ଅନୁମତି ଦିଅନ୍ତୁ ।
ମଥୁରା ଇଦଗାହ ବିବାଦ
ଜ୍ଞାନବାପି ମସଜିଦ ପରେ ମଥୁରାର ଇଦଗାହ ମସଜିଦ ମଧ୍ୟ ଚର୍ଚ୍ଚାରେ ରହିଛି । ଜ୍ଞାନବାପି ମସଜିଦର ସର୍ଭେ ପରେ ଏଠାର ମଧ୍ୟ ସର୍ଭେ, ଭିଡିଓଗ୍ରାଫି କରିବା ପାଇଁ ଦାବି ହେଉଛି । ଏହି ଇଦଗାହ ଶ୍ରୀକୃଷ୍ଣ ଜନ୍ମଭୂମିକୁ ଲାଗି ରହିଛି । କୁହାଯାଏ, ମୋଗଲ ଶାସକ ଔରଙ୍ଗଜେବ ୧୬୭୦ରେ ମଥୁରାରେ ଶ୍ରୀକୃଷ୍ଣ ଜନ୍ମସ୍ଥାନକୁ ଧ୍ୱଂସ କରିଥିଲେ । ହିନ୍ଦୁ ପକ୍ଷର ଦାବି ଏଠାରେ ମନ୍ଦିର ଥିଲା, ଏହାକୁ ସେତେବେଳେ ନଷ୍ଟ କରାଯାଇ ମସଜିଦ ତିଆରି ହୋଇଥିଲା । ହିନ୍ଦୁ ପକ୍ଷର କହିବା କଥା ଇଦଗାହ ମସଜିଦ ଥିବା ସ୍ଥାନରେ କଂସଙ୍କ ଜେଲ ରହିଥିଲା ।
କମଲ ମୌଲା ମସଜିଦ
କମଲ ମୌଲା ମସଜିଦ ମଧ୍ୟପ୍ରଦେଶରର ଧାର ଅଞ୍ଚଳରେ ରହିଛି । ହିନ୍ଦୁ ପକ୍ଷର ଦାବି ଏଠାରେ ମାତା ସରସ୍ୱତୀଙ୍କର ପ୍ରାଚୀନ ମନ୍ଦିର ରହିଥିଲା । ସେପଟେ କିନ୍ତୁ ମୁସଲମାନ ପକ୍ଷ ଏଠାରେ ମସଜିଦ ଥିବା ସ୍ପଷ୍ଟ କରିଛନ୍ତି । ଦୁଇ ପକ୍ଷଙ୍କ ଲଢେଇରେ ମଙ୍ଗଳବାର ଏବଂ ବସନ୍ତ ପଞ୍ଚମୀରେ ଏଠାରେ ହିନ୍ଦୁ ପକ୍ଷଙ୍କୁ ପୂଜା କରିବାର ଅନୁମତି ରହିଛି । ଶୁକ୍ରବାର ମୁସଲମାନ ଏଠାରେ ନମାଜ ପଢିବାର ଅନୁମତି ରହିଛି ।
ବିଜା ମଣ୍ଡଳ ମସଜିଦ
ମଧ୍ୟପ୍ରଦେଶର ବିଦିଶାରେ ବିଜା ମଣ୍ଡଳ ମସଜିଦକୁ ନେଇ ମଧ୍ୟ ବିବାଦ ରହିଛି । କୁହାଯାଏ ଏଠାରେ ମସଜିଦ ନିର୍ମାଣ ଆଗରୁ ମନ୍ଦିର ଥିଲା । ମନ୍ଦିରକୁ ଭାଙ୍ଗି ଏଠାରେ ମସଜିଦ ତିଆରି କରଯାଇଛି । ସେ ସମୟରେ ଦେଶର ସବୁଠାରୁ ବଡ ମନ୍ଦିର ଏଠାରେ ଥିଲା ।
ଜାମା ମସଜିଦ
ଗୁଜରାଟର ଅହମ୍ମଦାବାଦରେ ଥିବା ଜାମା ମସଜିଦକୁ ନେଇ ହିନ୍ଦୁ ପକ୍ଷ କହିଛନ୍ତି ଏଠାରେ ପୂର୍ବରୁ ଭଦ୍ରକାଳୀଙ୍କର ମନ୍ଦିର ଥିଲା । ୧୪ଶ ଶତାବ୍ଦୀରେ ମୁସଲିମ ସମ୍ରାଟ ଅହମଦ ଶାହ ମାତାଙ୍କ ମନ୍ଦିରର ଶିଖର ଭାଙ୍ଗିବା ସହ ଏଠାରେ ମସଜିଦ ତିଆରି କରିଥିଲେ ।

କେବଳ ଏତିକି ନୁହେଁ ଅନ୍ୟସ୍ଥାନକୁ ନେଇ ମଧ୍ୟ ବିବାଦ ରହିଛି । ଜୌନପୁରର ଅଟାଲା ମସଜିଦ, ମାଳଦାର ଅଦିନା ମସଜିଦ, ପାଟନାର ଜାମି ମସଜିଦକୁ ନେଇ ମଧ୍ୟ ବିବାଦ ଲାଗି ରହିଛି । ହିନ୍ଦୁ ପକ୍ଷର ଦାବି ଏଠାରେ ମନ୍ଦିର ଥିବା ଏବଂ ବର୍ତ୍ତମାନ ମସଜିଦ ରହିଛି । ଅନେକ ମାମଲା ମଧ୍ୟ କୋର୍ଟରେ ପଡିରହିଛି ।