କନକ ବ୍ୟୁରୋ : ଯେବେ ବିଦେଶରୁ କେହି ଭାରତ ଭ୍ରମଣ କରିବାକୁ ଆସିଥାନ୍ତି ତାଙ୍କର ଭ୍ରମଣ ତାଲିକାରେ ନିଶ୍ଚିନ୍ତଭାବେ ତାଜମହଲ ରହିଥାଏ । କେବଳ ବିଦେଶୀ ନୁହଁନ୍ତି ବରଂ ପ୍ରତିଟି ଭାରତୀୟଙ୍କର ଇଚ୍ଛାଥଏ ଜୀବନରେ ଥରେ ତାଜମହଲ ଦେଖିବାକୁ । ତାଜମହଲର ଇତିହାସ ଓ ତାର ସୌନ୍ଦର୍ଯ୍ୟ ପାଇଁ ଏଠାରେ ସର୍ବଦା ପର୍ଯ୍ୟଟକମାନଙ୍କର ଭିଡ ଦେଖିବାକୁ ମିଳିଥାଏ । ହେଲେ ଆପଣ କେବେ ଭାବିଛନ୍ତି କି, ବାସ୍ତବରେ ତାଜମହଲରୁ ସରକାର ବାର୍ଷିକ କେତେ ଟଙ୍କା ରୋଜଗାର କରିଥାନ୍ତି ।

Advertisment

୨ବର୍ଷ ଧରି କରୋନା କଟକଣା ପାଇଁ ପର୍ଯ୍ୟଟକମାନେ ବାହାରକୁ ବୁଲିବାକୁ ଯାଇପାରିନଥିଲେ । କରୋନା କଟକଣା ହଟିବା ପରେ ବିଭିନ୍ନ ପର୍ଯ୍ୟଟନସ୍ଥଳରେ ପର୍ଯ୍ୟଟକଙ୍କ ଭିଡ ଦେଖିବାକୁ ମିଳୁଛି   । ଏହି କ୍ରମରେ ସର୍ବାଧିକ ପର୍ଯ୍ୟଟକ ତାଜମହଲ ବୋଲିବାକୁ ଆସୁଛନ୍ତି । ତାଜମହଲ ଏଏସଆଇଙ୍କ ତତ୍ୱାବଧାନରେ ୧୪୩ ଟି ସ୍ଥାନରେ ଟିକେଟ ବିକ୍ରି କରାଯାଉଛି ।

ଅଧିକାରୀଙ୍କ ତଥ୍ୟ ମୁତାବକ ତାଜମହଲ ଦେଖିବାକୁ ପ୍ରତିବର୍ଷ ୭୦ ରୁ ୮୦ ଲକ୍ଷ ପର୍ଯ୍ୟଟକ ଆସିଥାନ୍ତି । ଏହା ମଧ୍ୟରୁ ୮୦ ହଜାର ବିଦେଶୀ ପର୍ଯ୍ୟଟକ ଆସିଥାନ୍ତି । ତାଜମହଲରେ ସ୍ଥାନୀୟ ଲୋକଙ୍କ ପାଇଁ ଟିକେଟର ମୂଲ୍ୟ ମାତ୍ର ୫୦ ଟଙ୍କା ଥିବା ବେଳେ ବିଦେଶୀ ପର୍ଯ୍ୟଟକଙ୍କ ପାଇଁ ଟିକେଟର ମୂଲ୍ୟ ୧୧ଶହ ଟଙ୍କା । ୨୦୧୭-୧୮ ରୁ ୨୦୨୧-୨୨ ମଧ୍ୟରେ ତାଜମହଲରେ ପର୍ଯ୍ୟଟକଙ୍କୁ ଟିକେଟ ବିକ୍ରି କରାଯାଇ ୧୫୨ କୋଟି ଟଙ୍କାର ରାଜସ୍ୱ ଆଦାୟ ହୋଇଛି । ଏହା ପୁରା ଦେଶର ଏତିହାସିକ ସ୍ମାରକୀରୁ ହୋଇଥିବା ରୋଜଗାରର ୪୦ ପ୍ରତିଶତ । ରିପୋର୍ଟ ମୁତାବକ ତାଜମହଲରେ ଲୋକାଲ ଟିକେଟ ବିକ୍ରିରୁ ୪୦ କୋଟି ଟଙ୍କା ଓ ବିଦେଶୀ ପର୍ଯ୍ୟଟକଙ୍କୁ ଟିକେଟ ବିକ୍ରି କରି ୧୧୦ କୋଟି ଟଙ୍କା ଆଦାୟ ହୋଇଛି ।

ରାଜସ୍ୱ ଆଦାୟ କ୍ଷେତ୍ରରେ ତାଜମହଲ ସବୁଠାରୁ ଆଗରେ ରହିଛି । ୨୦୨୧-୨୨ ରେ ଟିକେଟ ବିକ୍ରିରୁ ପାଖାପାଖି ୨୫ କୋଟି ଟଙ୍କା ରୋଜଗାର ହୋଇଛି । ତାଜମହଲ ସହ ଆଗ୍ରା ଦୁର୍ଗରୁ ବି ଭଲ ରାଜସ୍ୱ ଅଦାୟ ହୋଇଛି । ଯଦି ଆମେ ତାଜମହଲ ଓ ଆଗ୍ରାରୁ ଆଦାୟ ହୋଇଥିବା ରାଜସ୍ୱ କଥା କହିବା ତେବେ ଭାରତର ମୋଟ ଐତିହାସିକ ସ୍ମାରକୀରୁ ରୋଜଗାର ହୋଇଥିବା ରାଜସ୍ୱର ଏହା ୫୩ ପ୍ରତିଶତ ।