କନକ ବ୍ୟୁରୋ : ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା କମଲନାଥ ଓ ତାଙ୍କ ପୁଅ ସାଂସଦ ନକୁଲନାଥ ବିଜେପିରେ ଯୋଗଦେବା ନେଇ ଜୋରଦାର ଚର୍ଚ୍ଚା ହେଉଛି । ଏହି ଚର୍ଚ୍ଚା ଭିତରେ ବିଜେପି ନେତା ତଜିନ୍ଦର ସିଂ ବଗ୍ଗା ବଡ ବୟାନ ଦେଇଛନ୍ତି । ସେ କହିଛନ୍ତି କି, କମଲନାଥ ବିଜେପିରେ ଯୋଗଦେବା ଖବର ମିଥ୍ୟା । ୧୯୮୪ ଶିଖ୍ ବିରୋଧୀ ଦଙ୍ଗାର ଅଭିଯୁକ୍ତ କମଲନାଥଙ୍କୁ ବିଜେପି କେବେ ବି ଗ୍ରହଣ କରିପାରିବ ନାହିଁ ବୋଲି ସେ କହିଛନ୍ତି ।

ଏକ ଜାତୀୟ ଗଣମାଧ୍ୟମ ସହ ସାକ୍ଷାତକାର ବେଳେ ସେ କହିଛନ୍ତି କି, ୧୯୮୪ ଶିଖ୍ ବିରୋଧୀ ଦଙ୍ଗାର ଅଭିଯୁକ୍ତ ହେଉଛନ୍ତି କମଲନାଥ , ତାଙ୍କ ବିରୋଧରେ ଅନେକ ପ୍ରମାଣ ରହିଛି । ମୁଁ ୮ ଦିନ ଅନଶନ କରିବା ପରେ ଏସଆଇଟି କମଲନାଥଙ୍କ ବିରୋଧରେ ଯାଂଚ କରିଥିଲା । ରକାବଗଞ୍ଚ ଗୁରୁଦ୍ୱାର ପୋଡିବା ପଛରେ କମଲନାଥଙ୍କର ହାତ ରହିଛି । ଏସବୁ କାରଣରୁ ବିଜେପି କମଲନାଥଙ୍କୁ ଗ୍ରହଣ କରିବ ନାହିଁ ବୋଲି ବଗା ସ୍ପଷ୍ଟ କରିଛନ୍ତି ।

କେବଳ ସେତିକି ନୁହେଁ ବଗା କହିଛନ୍ତି କି, ମୁଁ ଦଳର ବରିଷ୍ଠ ନେତାଙ୍କ ସହ ଆଲୋଚନା କରିଛି ଓ ସେମାନଙ୍କ ମତ ହେଉଛି କମଲନାଥଙ୍କ ପାଇଁ ବିଜେପି ଦ୍ୱାର ସର୍ବଦା ବନ୍ଦ । ହେଲେ ବଗା କହିଛନ୍ତି କି, ଯଦି କମଲନାଥଙ୍କ ପୁଅ ସାଂସଦ ନକୁଲନାଥ ବିଜେପିରେ ଯୋଗ ଦିଅନ୍ତି ତେବେ ତାଙ୍କର କୌଣସି ଅଭିଯୋଗ ନାହିଁ ।

ସେପଟେ ମଧ୍ୟପ୍ରଦେଶର କଂଗ୍ରେସ ନେତା କହିଛନ୍ତି କି, କମଲନାଥ ବିଜେପିରେ ଯୋଗ ଦେବା କଥଶ ସେମାନେ ବିଶ୍ୱାସ କରୁନାହାଁନ୍ତି । ଦିଗବିଜୟ ସିଂ କହିଛନ୍ତି, ଯେଉଁନେତା ନିଜର ରାଜନୈତିକ ଜୀବନ ନେହରୁ –ଗାନ୍ଧୀ ପରିବାର ସହ ଆରମ୍ଭ କରିଛି, ସେ ଲୋକ ବିଜେପିରେ ଯୋଗଦେବା ଖବର ମିଥ୍ୟା ।