ଆତ୍ମଘାତୀ ବିସ୍ଫୋରଣ ପାଇଁ ଦେଉଥିଲା ଟ୍ରେନିଂ, ଏବେ ତାଲିବାନ ସରକାରରେ ମନ୍ତ୍ରୀ । 

219

କନକ ବ୍ୟୁରୋ : ମଙ୍ଗଳବାର ଆଫଗାନିସ୍ତାନରେ ନୂଆ ସରକାରର ଘୋଷଣା କରିଛି ତାଲିବାନ । ଏହି ନୂଆ ସରକାରରେ ତାଲିବାନ ଅନେକ ବିବାଦୀୟ ଚେହେରାଙ୍କୁ ସାମିଲ କରିଛି । ସରକାରରେ ଏମିତି ଅନେକ ନେତା ଅଛନ୍ତି ଯେଉଁମାନଙ୍କୁ ବିଶ୍ୱସ୍ତରରେ ଆତଙ୍କବାଦୀ ବୋଲି ଘୋଷଣା କରାଯାଇଛି । ତାଲିବାନର କ୍ୟାବିନେଟରେ ସେହିଭଳି ଏକ ଯୁବକଙ୍କୁ ସାମିଲ କରାଯାଇଛି ଯିଏ ଆତ୍ମଘାତୀ ବିସ୍ଫୋରଣ ପାଇଁ ଯୁବକଙ୍କୁ ଟ୍ରେନିଂ ଦେବା ସହ ଏକ ଟ୍ରେନିଂ ସେଣ୍ଟର ମଧ୍ୟ ଖୋଲିଥିଲା । ଏହି ଯୁବକ ଜଣକଙ୍କ ନାଁ ହେଉଛି ତାଜ ମୀର ଜାଭେଦ । ଯାହାକୁ ଗୁଇନ୍ଦା ବିଭାଗର ଉପମୁଖ୍ୟ ଘୋଷଣା କରିଛି ତାଲିବାନ । କିଛି ପ୍ରତିରକ୍ଷା ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ଗତ କିଛି ବର୍ଷ ମଧ୍ୟରେ ଅନେକ ଆତ୍ମଘାତୀ ବିସ୍ଫୋରଣର ମାଷ୍ଟର ମାଇଣ୍ଡ ରହିଛି ତାଜ୍ ମୀର ।

ତାଜ ମୀର ଅଲ-ହମଜା ବ୍ରିଗେଡ ନାମରେ ଏକ ଟ୍ରେନିଂ ସେଣ୍ଟର ଚଳାଉଛି ଯାହା ଯୁବକଙ୍କୁ ଆତ୍ମଘାତୀ ବିସ୍ଫୋରଣ ପାଇଁ ପ୍ରଶିକ୍ଷଣ ଦେଇଥାଏ । ଏପରିକି ଆଫଗାନିସ୍ତାନର ପୋଲିସ ମୁଖ୍ୟଙ୍କ ହତ୍ୟାରେ ତାଜ ମୀର ମାଷ୍ଟରମାଇଣ୍ଡ ଥିଲା । ପାକିସ୍ତାନର ପେଶାୱରରେ ରହି ପୂରା ଅପରେସନକୁ ଅପରେଟ କରୁଥିବା ତାଜ ମୀର ସେହି ସମୟରେ ପରୀକ୍ଷାମୂଳକ ବମ୍ ବିସ୍ଫୋରଣ କରୁଥିବା ବେଳେ ଆହତ ହୋଇଥିଲା । ଯେଉଁଥିପାଇଁ ଆଇଏସଆଇ ପକ୍ଷରୁ ତାଜ ମୀରକୁ ପାକିସ୍ତାନ ପାସପୋର୍ଟ ମାଧ୍ୟମରେ ଶ୍ରୀଲଙ୍କା ପଠାଇବାକୁ ଯୋଜନା ହୋଇଥିଲା । କିନ୍ତୁ ଏଥିରେ ବିଫଳ ହେବା ପରେ କରାଚୀରେ ତାଜ୍ ମୀରର ଚିକତ୍ସା ହୋଇଥିଲା ।

କୁହାଯାଏ, ତାଜ୍ ମୀରର ପାକିସ୍ତାନ ସହ ବେଶ ଉତ୍ତମ ସମ୍ପର୍କ ରହିଛି । ଆଇଏସଆଇ ଠାରୁ ଆରମ୍ଭ କରି ପାକିସ୍ତାନରେ ଥିବା ଆତଙ୍କବାଦୀ ସଙ୍ଗଠନ ସହ ତାଜ ମୀରର ସିଧାସଳଖ ସମ୍ପର୍କ ଥିଲା । ୨୦୧୩ ଯାଏଁ ତାଜ୍ ମୀର ହକ୍କାନୀ ନେଟୱର୍କର ସିନିୟର କମାଣ୍ଡର ଥିଲା ।  ସେତେବେଳେ ଆଫଗାନିସ୍ତାନରେ ଅନେକ ଆତଙ୍କବାଦୀ ଆକ୍ରମଣ କରିଛି ତାଜ୍ ମୀର ।