ଆଗ୍ରା ତାଜମହଲରେ ବୋମା ଗୁଜବ : ପୋଲିସ ଆଇଜିଙ୍କୁ ଅଜଣା ଫୋନ୍ କଲ ଆସିବା ପରେ ଖାଲି କରାଗଲା ପୁରା ଅଂଚଳ

ଯାଂଚରୁ ଜଣାପଡିଲା ବୋମା ଗୁଜବ; ଦର୍ଶକଙ୍କ ପାଇଁ ପୁଣି ଖୋଲିଲା ତାଜମହଲ

91

କନକ ବ୍ୟୁରୋ :ତାଜମହଲ ପରିସରରେ ବୋମା ରଖାଯାଇଥିବା ନେଇ ଆସିଲା ଫୋନ୍ କଲ୍ । ଆଉ ଏହାକୁ ନେଇ ଆଗ୍ରାର ତାଜମହଲ ପରିସରରେ ଖେଳି ଯାଇଥିଲା ଆତଙ୍କ । ପରେ ଜଣାପଡିଥିଲା ଏହି ବୋମା କଥା ଗୁଜବ ମାତ୍ର । ଆଜି ସକାଳେ କେହି ତାଜମହଲ ପୋଲିସକୁ ବୋମା ରଖାଯାଇଥିବା ନେଇ ପ୍ରଥମେ ଫୋନ୍ କରିଥିଲେ । ଏହା ପରେ ପରେ ଏନେଇ ସିଆଇଏପଏଫ୍ ଜବାନଙ୍କୁ ଆଲର୍ଟ କରି ଦିଆଯାଇଥିଲା । ତାଜମହଲ ପରିସରରୁ ପର୍ଯ୍ୟଟକଙ୍କୁ ବାହାର କରିଦିଆଯାଇଥିଲା । ଯାଂଚରୁ ଜଣାପଡିଲା ଏହି ବୋମା କଥାଟି ଗୁଜବ । ଏହା ପରେ ପର୍ଯ୍ୟଟକଙ୍କ ପାଇଁ ଖୋଲି ଦିଆଯାଇଥିଲା ତାଜମହଲ ।

ପରିସ୍ଥିତି ସାଙ୍ଘାତିକ ହେବା ଆଶଙ୍କା କରି ଆଗ୍ରା ପୁଲିସ ଏବଂ ତାଜମହଲର ସୁରକ୍ଷା ଦାୟିତ୍ୱରେ ଥିବା ‘ସିଆଇଏସ୍‌ଏଫ୍‌’ ତାଜମହଲ ମଧ୍ୟରେ ବ୍ୟାପକ ତଲାସ ଆରମ୍ଭ କରିଥିଲେ । ସତର୍କତାମୂଳକ ପଦକ୍ଷେପସ୍ୱରୂପ ଏହି ଐହିହାସିକ ସ୍ମାରକୀ ମଧ୍ୟରେ ଉପସ୍ଥିତ ଥିବା ପର୍ଯ୍ୟଟକମାନଙ୍କୁ ତୁରନ୍ତ ବାହାର କରାଯିବା ପରେ ପ୍ରବେଶ ଓ ପ୍ରସ୍ଥାନ ପଥ ବନ୍ଦ କରି ଦିଆଯାଇଥିଲା ।

ଉତ୍ତର ପ୍ରଦେଶର ଫିରୋଜାବାଦରୁ ଏହି ଫୋନ୍‌ ଆସିଥିବା ଜଣାପଡ଼ିଛି। ଫୋନ୍‌ କରିଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରିବା ଲାଗି ସମ୍ପ୍ରତି ଉଦ୍ୟମ ଚାଲିଛି । ବୋମା ରଖାଯିବା ଭଳି ତାଜମହଲର ସମସ୍ତ ସମ୍ଭାବ୍ୟ ଭିତର ଓ ବାହାର ସ୍ଥାନକୁ ସିଆଇଏସ୍‌ଏଫ୍‌ ଓ ଆଗ୍ରା ପୁଲିସ ତଲାସ କରିଥିଲେ । ଘଟଣାସ୍ଥଳକୁ ବୋମା ନିଷ୍କ୍ରିୟକାରୀ ଦଳ ଓ ସନ୍ଧାନୀ କୁକୁରଙ୍କୁ ମଧ୍ୟ ଅଣାଯାଇଥିଲା । କିନ୍ତୁ, ଏପର୍ଯ୍ୟନ୍ତ ସେଠାରେ କୌଣସି ସନ୍ଦିଗ୍ଧ ସାମଗ୍ରୀ ଠାବ କରାଯାଇ ନାହିଁ ।