ବିବାଦୀୟ ଦକ୍ଷିଣ ଚୀନ୍ ସାଗର ଅନ୍ତର୍ଗତ ତାଇଓ୍ଵାନ୍ ନିୟନ୍ତ୍ରଣାଧୀନ ଦ୍ୱୀପସମୂହ ନିକଟରେ କେତେଗୁଡ଼ିଏ ଚୀନା ଲଢୁଆ ଓ ବୋମା ନିକ୍ଷେପକାରୀ ବିମାନ ସମରାଭ୍ୟାସ ଚଳାଇବାରୁ କ୍ରମାଗତ ଦ୍ୱିତୀୟ ଦିନ ଲାଗି ତାଇଓ୍ଵାନ୍ ନିଜର ବାୟୁସେନାକୁ ସଜାଗ ରହିବାକୁ ନିର୍ଦେଶ ଦେଇଥିବା କଥା ତାଇପେଇ ପ୍ରତିରକ୍ଷା ମନ୍ତ୍ରାଳୟ କହିଛି।
ତାଇଓ୍ଵାନ୍କୁ ନିଜ ଅଞ୍ଚଳ ବୋଲି ଦାବି କରୁଥିବା ବେଜିଙ୍ଗ୍ ଗତ ମାସମାନଙ୍କରେ ତାଇଓ୍ଵାନ୍ର ବାୟୁସେନା ଚିହ୍ନିତ ଅଞ୍ଚଳର ଦକ୍ଷିଣପଶ୍ଚିମ ଭାଗ, ବିଶେଷକରି, ପ୍ରାଟାସ୍ ଦ୍ୱୀପସମୂହ ନିକଟବର୍ତ୍ତୀ ଅଞ୍ଚଳରେ ବାରମ୍ବାର ଲଢୁଆ ବିମାନ ଉଡ଼ାଣ ଅଭିଯାନ ଚଳାଇଛି।
ଶୁକ୍ରବାର ଦିନ ପ୍ରାଟାସ୍ ଦ୍ୱୀପସମୂହ ନିକଟରେ ଚୀନା ବାୟୁସେନାର ୯ଟି ଲଢୁଆ ବିମାନ ଉଡ଼ିଥିବା ବେଳେ ଶନିବାର ଦିନ ୧୧ଟି ଲଢୁଆ ବିମାନ ଉଡ଼ିଥିବା କଥା ତାଇଓ୍ଵାନ ପ୍ରତିରକ୍ଷା ମନ୍ତ୍ରାଳୟ କହିଛି। ଏହି ଦ୍ୱୀପସମୂହ ନିକଟରେ ୮ଟି ଲଢୁଆ ବିମାନ, ୨ଟି ଏଚ୍-୬ ବୋମାବର୍ଷୀ ବିମାନ ଏବଂ ଗୋଟିଏ ବୁଡ଼ାଜାହାଜ ନିରୋଧୀ ଲଢୁଆ ବିମାନ ଉଡୁଥିବା କଥା ମନ୍ତ୍ରାଳୟ କହିଛି।
ଏଥିରେ ଚୀନ୍ର ନୌସେନା ମଧ୍ୟ ସମ୍ପୃକ୍ତ ଥିଲେ ବୋଲି ମନ୍ତ୍ରାଳୟ କହିଥିଲେ ବି, ସେ ସଂକ୍ରାନ୍ତରେ ସବିଶେଷ ବିବରଣୀ ଦେଇନାହିଁ।
ସେ ଅଞ୍ଚଳରୁ ଚାଲିଯିବାକୁ ତାଇଓ୍ଵାନ ବାୟୁସେନା ଚୀନ୍ ଲଢୁଆ ବିମାନଗୁଡ଼ିକୁ କହିବା ସହ ସେମାନଙ୍କ ଗତିବିଧି ଲକ୍ଷ କରିବା ଲାଗି ମିସାଇଲ୍ ସିଷ୍ଟମ୍ ମୁତୟନ କରିଥିବା କଥା ମଧ୍ୟ ମନ୍ତ୍ରାଳୟ କହିଛି।
କିନ୍ତୁ, ଗତ ଦୁଇ ଦିନର କାର୍ଯ୍ୟକଳାପ ସଂକ୍ରାନ୍ତରେ ଚୀନ୍ କୌଣସି ମନ୍ତବ୍ୟ ଦେଇନାହିଁ।